କରୋନାର କାୟା ବିସ୍ତାର ; ରଣନୀତିରେ ପରିବର୍ତ୍ତନ ଲୋଡ଼ା

ଜୁନ୍‌, ଜୁଲାଇରେ କରୋନା ସଂକ୍ରମଣ ଭାରତରେ ଶିଖର ପର୍ଯ୍ୟାୟରେ ପହଞ୍ଚିବ ବୋଲି ଯେଉଁ ଅନୁମାନ କରାଯାଉଥିଲା ତାହା ବୋଧହୁଏ ସତ୍ୟ ହେବାକୁ ଯାଉଛି। ଦେଶର ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଗୁରୁତର ରୂପ ନେଇ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଓଡ଼ିଶା ଭଳି ଯେଉଁ କେତେକ ରାଜ୍ୟରେ କରୋନା ମୁକାବିଲା ବ୍ୟବସ୍ଥା ଅପେକ୍ଷାକୃତ ଭଲ ଥିଲା ସେଠାରେ ମଧ୍ୟ କ୍ରମଶଃ ସ୍ଥିତି ଦ୍ରୁତ ବିଗୁଡୁଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏଭଳି ସ୍ଥିତିକୁ ଦେଖି ଏକାଧିକ ରାଜ୍ୟ ସରକାର ଲକ୍‌ଡାଉନ୍‌ ମିଆଦକୁ ଜୁଲାଇ ଶେଷ ଯାଏ ବଢ଼ାଇ ଦେଇ ସାରିଲେଣି। ଅନ୍‌ଲକ୍‌-୧ ପରେ ସମଗ୍ର ଦେଶରେ ସ୍ବାଭାବିକ ସ୍ଥିତି କେତେକ କ୍ଷେତ୍ରରେ ଫେରାଇ ଆଣିବାକୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ସେଥିରେ ପୁଣି ଅସୁବିଧା ଦେଖାଦେଲାଣି। ତେଣୁ କେନ୍ଦ୍ର ସରକାର କେତେକ ଟ୍ରେନ୍‌ ଛାଡ଼ି ଅନ୍ୟ ସମସ୍ତ ରେଳ ଚଳାଚଳକୁ ପୁନର୍ବାର ଅନ୍ୟାଦେଶ ପର୍ଯ୍ୟନ୍ତ ବାତିଲ କରିଦେଇଛନ୍ତି। ନୂଆକରି କଟକଣା ମୁକ୍ତ ହୋଇଥିବା ଅର୍ଥନୈତିକ କ୍ଷେତ୍ରଗୁଡ଼ିକରେ ସଂକ୍ରମଣ ବ୍ୟାପୁଥିବାରୁ ସେସବୁକୁ ବନ୍ଦ କରିବାକୁ ଅନେକ ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ଉପରେ ଚାପ ପକାଉଛନ୍ତି। ତେଣୁ ଆଶଙ୍କା ପ୍ରକାଶ ପାଇଲାଣି ଯେ ପୁନର୍ବାର ସାରା ଦେଶରେ ଆଉ ଏକ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହୋଇପାରେ।

ରୋଗ ନିୟନ୍ତ୍ରଣରେ ଅଛି, ସଂକ୍ରମିତଙ୍କଠାରୁ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ହେଉଛି ଆଦି କହି ଆମେ ଯେତେ ଆତ୍ମସାନ୍ତ୍ବନା ଲାଭ କଲେ ମଧ୍ୟ ପରିସ୍ଥିତି ଯେ ସ୍ଥଳବିଶେଷରେ ଅତି ଜଟିଳ, ସେ କଥାକୁ ଅସ୍ବୀକାର କରାଯାଇ ପାରିବ ନାହିଁ। ଓଡ଼ିଶାରୁ ତ ଆମେ ଏହାର ପ୍ରତ୍ୟକ୍ଷ ଅନୁଭୂତି ପାଉଛୁ। ଗଞ୍ଜାମ ଜିଲା କ୍ରମଶଃ କରୋନା ସଂକ୍ରମଣର ଏକ ହଟସ୍ପଟ୍‌ ପାଲଟୁଛି। ସେଥିପାଇଁ ବ୍ରହ୍ମପୁର ସହରରେ ପୁନର୍ବାର ୪ଦିନ ସଟ୍‌ଡାଉନ୍‌ ଲାଗୁ କରାଯାଇଥିବାବେଳେ ଉପକୂଳବର୍ତ୍ତୀ ସବୁ ଜିଲାରେ ମାସର ପ୍ରତ୍ୟେକ ଶନି ଓ ରବିବାର ଏହି କଟକଣା ଜାରି ହେଉଛି। ସବୁଠୁ ଚିନ୍ତାଜନକ ବିଷୟଟି ହେଲା ହସପିଟାଲରେ ଚିକିତ୍ସାରେ ସମ୍ପୃକ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଅଧିକରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବା। ଏହା ସହିତ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା ବାହାରେ ଥିବା ଲୋକ ମଧ୍ୟ ସଂକ୍ରମିତ ହେଲେଣି। ତେଣୁ ଜୁଲାଇ ମାସଟି ଯେ ସଂକ୍ରମଣ ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ, ତାହାକୁ ଅସ୍ବୀକାର କରି ହେବ ନାହିଁ। ଏଭଳି ସ୍ଥିତିରେ ସରକାର କଟକଣା କୋହଳ କରିବା ସହଜ ବ୍ୟାପାର ନୁହେଁ।

ଜାତୀୟ ସ୍ତରରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି। କର୍ତ୍ତୃପକ୍ଷ କହୁଛନ୍ତି ଯେ ଅଧିକ ସଂଖ୍ୟାରେ ଟେଷ୍ଟ ହେଲେ ରୋଗୀଙ୍କ ସଂଖ୍ୟା ବଢ଼ିବ। ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେଉଥିବାରୁ ଏଥିରେ ଚିନ୍ତିତ ହେବାର ବିଶେଷ କିଛି କାରଣ ନାହିଁ। ତେବେ ଗୋଟିଏ କଥା ବୁଝି ହେଉନାହିଁ ଯେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶର ଲୋକଙ୍କୁ ପରୀକ୍ଷା କରିବାକୁ କେତେ କାଳ ଲାଗିବ ଏବଂ ଦେଶକୁ କେତେକାଳ କଟକଣା ଭିତରେ ରଖାଯାଇ ପାରିବ ?

ଲକ୍‌ଡାଉନ୍‌ର ଗୁରୁତର ପ୍ରଭାବ ଲୋକଙ୍କ ରୋଜଗାର ଓ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଜୀବନର ଅନ୍ୟାନ୍ୟ ସମସ୍ତ କ୍ଷେତ୍ର ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଛି। ସାଂପ୍ରତିକ ‘ଅନ୍‌ଲକିଂ’ (ତାଲାବନ୍ଦ ଖୋଲିବା) ଏକ ସାମୟିକ ପରୀକ୍ଷାମୂଳକ ପଦକ୍ଷେପ। ଏହା ମଧ୍ୟ ଘଟିଯାଇଥିବା କ୍ଷତିର ଭରଣା କରିବାକୁ ଯଥେଷ୍ଟ ନୁହେଁ। ତେଣୁ ‘ଜାନ୍‌ ହେ ତୋ ଜାହାନ୍‌ ହେ’ ସ୍ଲୋଗାନ ଆଉ କେତେକାଳ ଚାଲିବ ତାହା ନେଇ ଲୋକେ ସନ୍ଦେହରେ। ଏଥିପାଇଁ ଗୋଟିଏ ବାଟ ହେଲା ଲକ୍‌ଡାଉନ୍‌କୁ ସମ୍ପୂର୍ଣ୍ଣ ଉଠାଇ ଦେଇ ଗୋଷ୍ଠୀ ସଂକ୍ରମଣ ପାଇଁ ଦେଶକୁ ଖୋଲିଦିଅ କିମ୍ବା ଲୋକଙ୍କୁ ଶୀଘ୍ର ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା ଓ ପ୍ରତିବିଧାନ ବ୍ୟବସ୍ଥା କର। ଅବଶ୍ୟ ଏହା ସରକାରଙ୍କ ପାଇଁ ଗ୍ରହଣୀୟ ହେବ ନାହିଁ। ନୂଆ କରୋନା ଔଷଧ ବଜାରକୁ ଆସିଲାଣି। ଅତ୍ୟନ୍ତ ବ୍ୟୟବହୁଳ ହୋଇଥିଲେ ମଧ୍ୟ ଏହା ଆଶାର ଏକ କିରଣ ଦେଉଛି। ଏଭଳି ସ୍ଥିତିରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତା’ଉପରେ ସମସ୍ତଙ୍କର ନଜର। ସତକଥା ହେଲା କରୋନା ଭଳି ଔଷଧ ଓ ଚିକିତ୍ସାବିହୀନ ମହାମାରୀର ସଫଳ ମୁକାବିଲା ଅତ୍ୟନ୍ତ କଷ୍ଟସାଧ୍ୟ ଓ ସମୟସାପେକ୍ଷ। ତେଣୁ ସର୍ବନିମ୍ନ କ୍ଷତିରେ ଦେଶର ଅର୍ଥନୀତି ଓ ଲୋକଙ୍କ ଜୀବନଜୀବିକା କିପରି ବଞ୍ଚିବ ତାହା ଅଧିକ ଗୁରୁତ୍ବ ରଖେ। ସେଥିପାଇଁ ରଣନୀତି ବଦଳାଇ ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ

Comments are closed.