ନିଯୁକ୍ତି କାହିଁ ?

ଓଡ଼ିଶା ସରକାର ନିଯୁକ୍ତି ଓ ରୋଜଗାର ସୃଷ୍ଟିର ବ୍ୟବସ୍ଥା କରୁଥିବା କହିବା ସତ୍ତ୍ବେ ରାଜ୍ୟରେ ବେକାରୀ ବୃଦ୍ଧି ପାଇବା ଚିନ୍ତାଜନକ

ଯୁବଶକ୍ତିକୁ ଦେଶ ବା ରାଜ୍ୟର ସମ୍ବଳ ବୋଲି କୁହାଯାଏ, କାରଣ ତାହା ଏକ ପ୍ରମୁଖ ସଞ୍ଚାଳକ ଓ ଉତ୍ପାଦକ ଶକ୍ତି। ଏହା ଯେ କୌଣସି ବିକାଶର ବାହକ; କିନ୍ତୁ ବିଡ଼ମ୍ବନା ଯେ ଏହି ସମ୍ବଳର ଅପଚୟ ଅଥବା ବ୍ୟବହାର କରାଯାଇ ପାରୁନଥିବାରୁ ଦେଶ ଓ ରାଜ୍ୟର ପ୍ରଭୂତ କ୍ଷତି ଘଟୁଛି। କରୋନା ମହାମାରୀ କବଳିତ ହେବାପରେ ଦେଶ ଓ ରାଜ୍ୟରେ ବେକାରୀ ସମସ୍ୟା ପୂର୍ବଠାରୁ ବହୁ ଗୁଣ ବୃଦ୍ଧି ପାଇଛି। ଅବଶ୍ୟ ଏବେ କଳକାରଖାନା, ଉଦ୍ୟୋଗ ଓ ଚାକିରି କ୍ଷେତ୍ରରେ ପରିସ୍ଥିତି କିଛିଟା ସୁଧୁରିଲାଣି; ତା’ ସତ୍ତ୍ବେ ବେକାରୀ ସମସ୍ୟା ହ୍ରାସ ପାଉ ନାହିଁ। ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟ ଓ ଦେଶର ହାରାହାରି ସ୍ଥିତି ତୁଳନାରେ ଅଧିକ ଖରାପ ବୋଲି କୁହାଯାଇପାରେ। ଭାରତର ପ୍ରମୁଖ ଘରୋଇ ଅର୍ଥନୀତି ଗବେଷଣା ସଂସ୍ଥା ‘ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି’ (ସିଏମ୍‌ଆଇଇ) ଓଡ଼ିଶାର ବେକାରୀ ସ୍ଥିତି ସମ୍ପର୍କିତ ଯେଉଁ ତଥ୍ୟ ପ୍ରକାଶ କରିଛି, ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ଏହାର ମେ-ଅଗଷ୍ଟ ୨୦୨୧ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କେବଳ ଚଳିତବର୍ଷ ଜାନୁଆରୀରୁ ଅଗଷ୍ଟ ମାସ ମଧ୍ୟରେ ରାଜ୍ୟରେ ବେକାରଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ଅଧିକ ବୃଦ୍ଧି ପାଇଛି। ଏହି ସମୟ ଭିତରେ ୨ ଲକ୍ଷ ୮ ହଜାର ଲୋକ ନିଜର ଚାକିରି ବା ରୋଜଗାର ହରାଇଛନ୍ତି। ୨୦୨୦ ଡିସେମ୍ବରରୁ ଏହାକୁ ହିସାବକୁ ନେଲେ ଅଗଷ୍ଟ ମାସ ସୁଦ୍ଧା ୨ ଲକ୍ଷ ୭୪ ହଜାର ଲୋକ ବେକାର ହୋଇଛନ୍ତି। ନିର୍ଦିଷ୍ଟ ଭାବେ ବୟସ ଭିତ୍ତିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଜାନୁଆରୀରୁ ଏପ୍ରିଲ୍‌ ମଧ୍ୟରେ ୧୫ରୁ ୨୯ ବର୍ଷ ବୟସର ପ୍ରାୟ ୨୯ ଲକ୍ଷ ୩୫ ହଜାର ଚାକିରି କରୁଥିବାବେଳେ ମେ-ଅଗଷ୍ଟରେ ଏହା ୨୭ ଲକ୍ଷ ୪୫ ହଜାରକୁ ହ୍ରାସ ପାଇଥିଲା। ଅତଏବ ଏହି ରିପୋର୍ଟ ଅନୁସାରେ ରାଜ୍ୟରେ ଯୁବପିଢ଼ିଙ୍କ ମଧ୍ୟରେ ବେକାରୀ ଓ ବେରୋଜଗାରୀ ଅଧିକ ହୋଇଛି। ସିଏମ୍‌ଆଇଇ ‘ସର୍ବାଧିକ ବେକାରୀ ହାର’ (ଜିୟୁଆର୍‌)ର ହିସାବ ମଧ୍ୟ ଦେଇଛି। ଏଥିରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଏ, ଯେଉଁମାନେ ବେରୋଜଗାର; କିନ୍ତୁ ସକ୍ରିୟ ଭାବେ ଚାକିରି ବା ନିଯୁକ୍ତି ଅନ୍ବେଷଣରେ ନ ଥା’ନ୍ତି। ଗତ ମେ-ଅଗଷ୍ଟରେ ୧୫ରୁ ୧୯ ବର୍ଷ ବୟସର ବ୍ୟକ୍ତି ବା ଯୁବକଯୁବତୀଙ୍କ ସଂଖ୍ୟା ୩୮.୨୦ ଶତାଂଶ ଥିବାବେଳେ ୨୦ରୁ ୨୪ ବର୍ଷ ବୟସ ବର୍ଗର ବେକାରଙ୍କ ସଂଖ୍ୟା ୩୨.୨୭ ଶତାଂଶ। ଡିସେମ୍ବର ୨୦୨୦ ମସିହା ସୁଦ୍ଧା ଏହି ସଂଖ୍ୟା ଯଥାକ୍ରମେ ରହିଥିଲା ୪୪.୪୭ ଶତାଂଶ ଓ ୨୯.୫୬ ଶତାଂଶ। ଅନ୍ୟ ଏକ ରିପୋର୍ଟ ଅନୁସାରେ, ଜାତୀୟ ବେକାରୀ ହାର ତୁଳନାରେ ଯୁବକଯୁବତୀଙ୍କ ବେକାରୀ ହାର ଓଡ଼ିଶାରେ ଅଧିକ। ଏହା ନିଶ୍ଚିତ ଭାବେ ଚିନ୍ତାଜନକ।
ବେକାରୀ ଓ ବେରୋଜଗାରୀ ସମସ୍ୟା ନେଇ ରାଜ୍ୟ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି। ଓଡ଼ିଶାରେ ବେକାରୀ ହାର କେତେ ସେ ନେଇ କେତେକ ଜାତୀୟ ସର୍ବେକ୍ଷଣ ତଥ୍ୟ ରହିଛି; କିନ୍ତୁ ଏହା ଯଥାଯଥ ବୋଲି କହିହେଉ ନାହିଁ। ରାଜ୍ୟ ସରକାର ଏ ନେଇ କେବେ ନିର୍ଦିଷ୍ଟ ଭାବେ ଆକଳନ କରିନାହାନ୍ତି। ଏପରି ଆକଳନ ହେବା ଆବଶ୍ୟକ। ତା’ହେଲେ ହିଁ ପ୍ରକୃତ ଚିତ୍ର ଜଣାପଡ଼ନ୍ତା। ଅତୀତରେ ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଏ ନେଇ ବିଭିନ୍ନ ଅଭିଯୋଗ ଉଠାଯାଇଛି; କିନ୍ତୁ ପ୍ରକୃତ ତଥ୍ୟ ଅଭାବରୁ ସରକାର ବିଭିନ୍ନ ଆଳ ଦେଖାଇ ତାକୁ ଖାରଜ କରିଦେବାକୁ ସୁଯୋଗ ପାଇଛନ୍ତି। ରାଜ୍ୟ ସରକାର ଯୁବକଯୁବତୀଙ୍କୁ ଦକ୍ଷ କରିବା ସହ ନିଯୁକ୍ତି ପ୍ରଦାନ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଓ ଯୋଜନା ହାତକୁ ନେଇଛନ୍ତି ବୋଲି କହୁଛନ୍ତି। ସେମାନଙ୍କର ଦକ୍ଷତା ବିକାଶ ପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି; କିନ୍ତୁ ପ୍ରକୃତରେ ବେକାରୀ ସମସ୍ୟା କମିବା ବଦଳରେ ବୃଦ୍ଧି ପାଉଛି। ଯେଉଁମାନେ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସଫଳ ହେଉଛନ୍ତି, ସେମାନେ ସମସ୍ତେ ମଧ୍ୟ ନିଯୁକ୍ତି ପାଉନଥିବା ଅଭିଯୋଗ ହୋଇଆସୁଛି। ସରକାରୀ କ୍ଷେତ୍ରରେ ସରକାର ସେପରି ଆଖିଦୃଶିଆ ନିଯୁକ୍ତି ସୃଷ୍ଟି କରିପାରି ନାହାନ୍ତି, ଏହାର କାରଣ ଯାହା ଥାଉନା କାହିଁକି। ଇତିମଧ୍ୟରେ ରିକ୍ତ ଶିକ୍ଷକ, ଡାକ୍ତର ଆଦି ପଦରେ ନିଯୁକ୍ତି ଦେବାରେ ସରକାର ଅବଶ୍ୟ ତତ୍ପରତା ଦେଖାଇଛନ୍ତି; କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ। ଅନେକ ଚାକିରି ଆଶାୟୀ ଯୁବକଯୁବତୀ ନିଯୁକ୍ତି ନ ପାଇବା କାରଣ ପଛରେ ଏ କ୍ଷେତ୍ରରେ ଥିବା ବୟସସୀମା ବୋଲି ଅଭିଯୋଗ ହେଉଛି। ତେଣୁ ଏହି ବୟସସୀମାକୁ ୩୨ ବର୍ଷ ପରିବର୍ତ୍ତେ ୪୫ ବର୍ଷ କରିବାକୁ ବିଧାନସଭାରେ ମଧ୍ୟ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଥିଲା। ଅନ୍ୟପକ୍ଷରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାର ଥଇଥାନ ଲକ୍ଷ୍ୟରେ ପୁନଃନିଯୁକ୍ତି ଦେଉଥିବାରୁ ଯୁବକଯୁବତୀମାନେ ନୂତନ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି। ଏହା ସତ୍ୟ ଯେ ଅଭିଜ୍ଞ ବ୍ୟକ୍ତିଙ୍କ ଦ୍ବାରା କାର୍ଯ୍ୟ ଠିକ୍‌ଭାବେ ସମ୍ପନ୍ନ ହୋଇପାରିବ; କିନ୍ତୁ ଯୁବଶକ୍ତିର ଉପଯୋଗ ମଧ୍ୟ ଜରୁରୀ। ତା’ର ସଦୁପଯୋଗ ପ୍ରଶାସନକୁ ଅଧିକ ଦକ୍ଷ, କର୍ମଠ ଓ ଗତିଶୀଳ କରିପାରିବ, ଏହା ଭୁଲିଯିବା ଅନୁଚିତ। ସେହିପରି ରାଜ୍ୟ ସରକାର ନୂତନ ଶିଳ୍ପସଂସ୍ଥାମାନ ନିର୍ମାଣ କରି ବହୁ ଲୋକଙ୍କୁ ନିଯୁକ୍ତି ଦେବେ ବୋଲି କହିଆସୁଛନ୍ତି; କିନ୍ତୁ ଏହା ବାସ୍ତବରେ ସାକାର ହୋଇଥିବା ପରି ମନେହେଉ ନାହିଁ। ସହସ୍ରାଧିକ କୋଟି ଟଙ୍କାର ଶିଳ୍ପସଂସ୍ଥା ନିର୍ମାଣ ପାଇଁ ଅନୁମୋଦନ ଦିଆଯାଉଛି ସତ୍ୟ; କିନ୍ତୁ କାର୍ଯ୍ୟକ୍ଷମ ଓ ଚଳତ୍‌ମାନ ଶିଳ୍ପସଂସ୍ଥା ସଂଖ୍ୟା ନଗଣ୍ୟ; ଅତଏବ ନିଯୁକ୍ତି ମଧ୍ୟ ଆଶାନୁରୂପ ହୋଇପାରୁ ନାହିଁ। ଓଡ଼ିଶା ସରକାରଙ୍କୁ ଏ ନେଇ ଏକ ଦୀର୍ଘମିଆଦୀ ଯୋଜନା ଗ୍ରହଣ କରି ତା’ର ସଫଳ କାର୍ଯ୍ୟାନ୍ବୟନ କରିବାକୁ ହେବ।

Comments are closed.