ଗଣତନ୍ତ୍ର ବି ଡରାଇପାରେ

କୃଷକ ଆନ୍ଦୋଳନ କେବଳ ସରକାରଙ୍କୁ ଶିକ୍ଷା ଦେଇନାହିଁ, ଅନ୍ୟମାନଙ୍କୁ ମଧ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି

ତିନିଟି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରାଯିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ତେବେ ଏହାକୁ ସରକାରଙ୍କ ପରାଜୟ ବା କେବଳ କୃଷକଙ୍କ ବିଜୟ ଭାବେ ନ ଦେଖି ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ ବୋଲି ବିବେଚନା କରିବା ଅଧିକ ଯଥାର୍ଥ। ଭାରତରେ ଅତୀତରେ ବହୁ ଐତିହାସିକ କୃଷକ ଆନ୍ଦୋଳନ ହୋଇଛି; କିନ୍ତୁ ଏହା ଥିଲା ଦୀର୍ଘତମ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ, ଯାହାକୁ ଦିଗ୍‌ଭ୍ରଷ୍ଟ ଓ ଦମନ କରିବାପାଇଁ ସରକାର ନିଜର କଳ ବଳ କୌଶଳ ସବୁକିଛି ପ୍ରୟୋଗ କରିଥିଲେ ହେଁ ସଫଳ ହେଲେ ନାହିଁ ଓ ଶେଷରେ ତାଙ୍କୁ ନତମସ୍ତକ ହେବାକୁ ପଡ଼ିଲା। ଶାସନ କଳ ଓ ଶାସକ ଦଳ ପକ୍ଷରୁ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଆନ୍ଦୋଳନକାରୀ କୃଷକଙ୍କୁ ବାମପନ୍ଥୀ ଓ ଖଲିସ୍ତାନୀ ସମର୍ଥକ, ଦେଶବିରୋଧୀ, ଧନିକ ଗୋଷ୍ଠୀ, ଅରାଜକ ତତ୍ତ୍ବ ଓ ଆହୁରି କେତେକ’ଣ ଆଖ୍ୟା ଦିଆଯାଇଥିଲା; ଏପରିକି ପ୍ରଧାନମନ୍ତ୍ରୀ ନିଜେ ସେମାନଙ୍କୁ ‘ଆନ୍ଦୋଳନଜୀବୀ’ କହିଥିଲେ। ସରକାରଙ୍କ ଏ କୌଶଳ ସଫଳ ତ ହେଲାନାହିଁ, ଓଲଟା ସରକାରଙ୍କ ପ୍ରତି କୃଷକଙ୍କ ବିଶ୍ବାସ କମାଇବାରେ ସହାୟତା କଲା। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସରକାର ହୁଏତ ହୃଦ୍‌ବୋଧ କରିପାରିଥିବେ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ କୌଣସି ଆଇନକୁ ବାଧ୍ୟ କରି ଲୋକଙ୍କ ଉପରେ ଲଦି ଦେଲେ ତାହା କାର୍ଯ୍ୟକ୍ଷମ ହୋଇପାରିବ ନାହିଁ; ସେଥିପାଇଁ ଲୋକଙ୍କ ବିଶ୍ବାସ ଜିଣିବା ସର୍ବାଦୌ ଆବଶ୍ୟକ। ପ୍ରକୃତରେ ତିନି କୃଷି ଆଇନ ବିପକ୍ଷରେ ଯେତିକି ଜନମତ ନଥିଲା, ଏହାର ମନମୁଖୀ କାର୍ଯ୍ୟକାରିତାକୁ ନେଇ ଅଧିକ ବିରୋଧ ରହିଥିଲା। ସରକାର ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ କୃଷକ ବା କୃଷକ ସଂଗଠନଗୁଡ଼ିକ ସହ ପରାମର୍ଶ କିମ୍ବା ଆଲୋଚନା କରି ନଥିଲେ ଏବଂ ମହାମାରୀ କାଳରେ ଅଧ୍ୟାଦେଶ ଜରିଆରେ ଲାଗୁ କରିଥିଲେ ଓ ସଂସଦରେ ମଧ୍ୟ ଏହାକୁ ନେଇ ଉଚିତ ବିତର୍କ ହୋଇନଥିଲା। ଯଦି ସରକାର ଏସବୁ ଗଣତାନ୍ତ୍ରିକ ମାର୍ଗକୁ ପୂର୍ବରୁ ହିଁ ଆପଣାଇଥା’ନ୍ତେ, ତେବେ ବର୍ତ୍ତମାନର ସ୍ଥିତି ନିଶ୍ଚୟ ଉପୁଜି ନଥା’ନ୍ତା। ସରକାରଙ୍କ ବିରୋଧୀ ମଧ୍ୟ ଏହାକୁ କର୍ପୋରେଟ୍‌-ସପକ୍ଷ ଆଇନ ବୋଲି ସହଜରେ କହିବାର ସାହସ କରିପାରି ନଥା’ନ୍ତେ। ଆନ୍ଦୋଳନକାରୀ ଚାଷୀଙ୍କ ସହ ସରକାର ୧୧ଟି ପର୍ଯ୍ୟାୟ ଆଲୋଚନା ସତ୍ତ୍ବେ ସେମାନଙ୍କୁ ବୁଝାଇ ନପାରିବା ସରକାରଙ୍କ ବିଫଳତା ହିଁ ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉଦ୍‌ବୋଧନରେ ମଧ୍ୟ ସ୍ବୀକାର କରିଛନ୍ତି।
ତେବେ ସରକାର ଯେ କେବଳ ଆନ୍ଦୋଳନକୁ ଡରି ନିଜର ଦୃଢ଼ନିଷ୍ପତ୍ତିରୁ ଓହରିବାକୁ ବାଧ୍ୟ ହୋଇଛନ୍ତି, ତାହା ମନେହେଉ ନାହିଁ। ଏଥିସହ ଆଗାମୀ ନିର୍ବାଚନଗୁଡ଼ିକର ଯେଉଁ ରାଜନୈତିକ ଗଣିତ ଯୋଡ଼ି ହୋଇ ରହିଛି, ତାହା ସରକାରଙ୍କୁ ଏପରି କରିବାକୁ ବାଧ୍ୟ କରିଥିବା ସମୀକ୍ଷକଙ୍କ ମତ, ଯାହାକୁ ଅଯଥାର୍ଥ କହିହେବ ନାହିଁ। ପଞ୍ଜାବରେ ବିଜେପି ନିଜର ମାଟି ଖୋଜୁଥିବାବେଳେ ଅତି ଗୁରୁତ୍ବପୂର୍ଣ୍ଣ ଉତ୍ତର ପ୍ରଦେଶରେ ଏହି ଶାସକ ଦଳ ପ୍ରତି ଜନ ଅସନ୍ତୋଷ କ୍ରମଶଃ ବଢ଼ିଚାଲିଛି। ବିଶେଷକରି ଲଖିମପୁର ଖେରିରେ ଚାରି ଜଣ ଚାଷୀଙ୍କ ଉପରେ କାର୍‌ ମଡ଼ାଇଦେବା ଭଳି ବର୍ବର ଘଟନାର ପ୍ରଭାବ ଆଗାମୀ ନିର୍ବାଚନ ଉପରେ ପଡ଼ିବାର ଆଶଙ୍କା ପ୍ରବଳ ହେବାପରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଆଖି ଖୋଲିଛି, ଯଦିଓ ଏହି ଘଟନାର ମୁଖ୍ୟ ଅଭିଯୁକ୍ତର ପିତା ଦେଶର ସ୍ବରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ସରକାର ଏ ପର୍ଯ୍ୟନ୍ତ ଚୁପ୍‌ ରହିଛନ୍ତି। କୃଷକଙ୍କ ବର୍ଷବ୍ୟାପୀ ଆନ୍ଦୋଳନ କେବଳ ସରକାରଙ୍କୁ ଶିକ୍ଷା ଦେଇ ନାହିଁ, ଅନ୍ୟମାନଙ୍କୁ ମଧ୍ୟ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧଗୁଡ଼ିକ ଉପରେ ଚିନ୍ତା କରିବାକୁ ବାଧ୍ୟ କରିଛି। କୃଷକମାନେ ଯାବତୀୟ ଲାଞ୍ଛନା, ପ୍ରତାରଣା ଓ ଦମନକୁ ଭ୍ରୂକ୍ଷେପ ନକରି ଗଣତାନ୍ତ୍ରିକ ଉପାୟରେ ଏହି ଦୀର୍ଘ ଆନ୍ଦୋଳନକୁ ଚଳାଇ ରଖିପାରିଛନ୍ତି, ତାହା ମଧ୍ୟ କମ୍‌ ମହତ୍ତ୍ବପୂର୍ଣ୍ଣ ନୁହେଁ। ଭାରତକୁ ଶିଳ୍ପକୈନ୍ଦ୍ରିକ ଅର୍ଥନୀତି ଓ ନଗରୀକରଣ ସଭ୍ୟତାରେ ପରିଣତ କରିବାକୁ ଶାସକବର୍ଗ ଚେଷ୍ଟା କରୁଥି​‌େ​‌ଲ ହେଁ କୃଷି ଓ କୃଷକ ହିଁ ଏବେ ବି ଜାତୀୟ ଜନଜୀବନର କେନ୍ଦ୍ରରେ ଅବସ୍ଥିତ, ତାହାକୁ ପୁନଃ ପ୍ରମାଣିତ ହୋଇଛି। ଆହୁରି ମଧ୍ୟ ଗଣତନ୍ତ୍ରରେ କେବଳ ବହୁମତ ହାସଲ କରିଦେବା ଯଥେଷ୍ଟ ନୁହେଁ, ଜନସାଧାରଣଙ୍କ ବିଶ୍ବାସକୁ ନେଇ ଚାଲିବା ଗୁରୁତ୍ବପୂର୍ଣ୍ଣ ତାହା ଏହି ଘଟନାରୁ ସ୍ପଷ୍ଟ ହୋଇଛି। ନିର୍ବାଚନରେ ତଥାକଥିତ ବହୁମତ ହାସଲକୁ ନେଇ ଯଦି କୌଣସି ଦଳ ଗର୍ବ କରେ ଓ ଏକାଧିପତ୍ୟ ଶାସନ ଚଳାଇବାକୁ ଚେଷ୍ଟା କରେ, ତା’ର ଅବନତି ଓ ପରାଭବ ଅନିବାର୍ଯ୍ୟ; କାରଣ ଇତିହାସ କହୁଚି ଯେ ଯାବତୀୟ କଳାକୌଶଳ ସତ୍ତ୍ବେ ଦେଶର କୌଣସି ଏକକ ରାଜନୈତିକ ଦଳ ଏ ପର୍ଯ୍ୟନ୍ତ ସଂସଦୀୟ ନିର୍ବାଚନରେ ୫୦%ରୁ ଅଧିକ ମତ ହାସଲ କରିପାରି ନାହିଁ। ସମ୍ଭବତଃ କୃଷକ ଆନ୍ଦୋଳନ ଏବେ ଶେଷ ହେବା ପରି ମନେହେଉ ନାହିଁ; କାରଣ ସଂସଦରେ ଆଇନ ରଦ୍ଦ ହେବା ପର୍ଯ୍ୟନ୍ତ ଏହାକୁ ଚଳାଇ ରଖାଯିବ ବୋଲି ସ୍ପଷ୍ଟ କରାଯିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ନିର୍ଦିଷ୍ଟ ଆଇନ ଆଣିବାକୁ ସଂଯୁକ୍ତ କିଷାନ ମୋର୍ଚା ପକ୍ଷରୁ ଦାବି କରାଯାଇଛି। ଜନମତକୁ ସମ୍ମାନ ଦେଲେ ହିଁ ସରକାରଙ୍କ ସମ୍ମାନ ବଢ଼ିବ; ନଚେତ୍‌ ଗଣତନ୍ତ୍ର ବି ଡରାଇପାରେ, ଏହା ଭୁଲିଯିବା ଅନୁଚିତ।

Comments are closed.