ଓଡ଼ିଆ ଭାଷାର ମୃତ୍ୟୁ-ସଙ୍କଟ !

ଅନ୍ତର୍ଯ୍ୟାମୀ ମିଶ୍ର

ବିଶିଷ୍ଟ ଭାଷାବିଜ୍ଞାନୀ ପ୍ରଫେସର ବିଜୟ ପ୍ରସାଦ ମହାପାତ୍ର ଆଜିକୁ ପଚିଶ ବର୍ଷ ତଳେ ଓଡ଼ିଆ ଭାଷାର ମୃତ୍ୟୁ ସଙ୍କଟ ସମ୍ପର୍କରେ ସତର୍କବାଣୀ ଶୁଣାଇଥିଲେ। ତାଙ୍କର ମତ ଥିଲା, ‘‘ଭାରତରେ ଛୋଟବଡ଼ ହୋଇ ବର୍ତ୍ତମାନ ଦୁଇଶହରୁ ବେଶୀ ଭାଷା ଚଳେ। ସେଥିରୁ ପ୍ରାୟ ଦୁଇ-ତୃତୀୟାଂଶ ମରଣୋନ୍ମୁଖୀ। ଓଡ଼ିଆ ଭାଷା ବି ଏହି ବିପଦର ବଳୟ ଭିତରେ ରହିଛି।’’ ତାଙ୍କ ବକ୍ତବ୍ୟ ଶୁଣି କିଛି ଲୋକ ଉତ୍ତେଜିତ ହୋଇପଡ଼ିଲେ ଏବଂ ଯୁକ୍ତି ବାଢ଼ିଲେ ଯେ, ‘‘ଓଡ଼ିଆ ଭାଷା କେବେ ମରିବ ନାହିଁ। ଓଡ଼ିଆ ଭାଷା ପ୍ରତି କୌଣସି ବିପଦ ନାହିଁ। ଓଡ଼ିଆ ଭାଷା ଗାଁ ଗଣ୍ଡା ବଣଜଙ୍ଗଲରେ ଲକ୍ଷଲକ୍ଷ ଓଡ଼ିଆଙ୍କ ଦ୍ବାରା କଥିତ ହୋଇଥାଏ। ପୃଥିବୀରେ ଏପରି କୌଣସି ଶକ୍ତି ନାହିଁ, ଯେଉଁ ଶକ୍ତି ଏଇ ଅସଂଖ୍ୟ ଲୋକଙ୍କ ତୁଣ୍ଡରୁ ତାଙ୍କର ମାତୃଭାଷାକୁ କାଢ଼ି ନେଇପାରିବ ଆଉ ଏଇ ଲୋକେ ହିଁ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବେ।’’ ଏହା ସତ୍ୟ ଯେ ଆଉ କିଛି ବର୍ଷ ପରେ ଓଡ଼ିଆ ଭାଷା ଗାଁଗଣ୍ଡାର ମଫସଲି ଲୋକଙ୍କ ଭାଷାରେ ପରିଣତ ହେବ। ଅନେକ ଅନଭିଜ୍ଞ ତଥା ଭାବପ୍ରବଣ ବ୍ୟକ୍ତି ଭାଷାର ମୃତ୍ୟୁ ସମ୍ପର୍କରେ ଜାଣିନାହାନ୍ତି। ଆଧୁନିକ ଯୁଗରେ ଭାଷା ମଲେ ଲୋକମାନଙ୍କ ତୁଣ୍ଡରୁ ଏହା ଲୋପ ପାଇଯାଏ ନାହିଁ। ଏହା ଜାତିର ବିଭିନ୍ନ ସାମାଜିକ ପରିସରରୁ ଲୋପ ପାଇଯାଏ, ଯାହା ଓଡ଼ିଆ ଭାଷା କ୍ଷେତ୍ରରେ ବର୍ତ୍ତମାନ ଘଟିବାକୁ ଯାଉଛି। ଓଡ଼ିଆ ଭାଷା କ୍ରମେକ୍ରମେ ବିଭିନ୍ନ ସାମାଜିକ ପରିସରରୁ ଲୋପ ପାଇବାକୁ ବସିଲାଣି। ଫଳରେ ଏହାର ଜୀବନୀଶକ୍ତି କ୍ଷୀଣ ହେବାକୁ ବସିଲାଣି। ଭାଷାର ମୃତ୍ୟୁ ଦୁଇପ୍ରକାରର। ପ୍ରଥମଟି ଭାଷାକୁ କୁହାଇ ନଦେବା ଏବଂ ଦ୍ବିତୀୟଟି ଭାଷା କୁହାଯାଉନଥିବା। ପ୍ରଥମ ପ୍ରକାରଟି ଅର୍ଥାତ୍‌ ଭାଷାକୁ କୁହାଇନଦେବା କେବଳ ମୃତ୍ୟୁ ନୁହେଁ, ହତ୍ୟା। ଅର୍ଥାତ୍‌ ଭାଷାର ସାମାଜିକ ପରିସରଗୁଡ଼ିକୁ ଏପରି ଭାବେ ରୁନ୍ଧି ଦେବାକୁ ହେବ, ଯେପରି ଭାଷା ନିଜ ସମାଜଠାରୁ ବିଚ୍ଛିନ୍ନ ହୋଇପଡ଼ିବ। ଏହା ଶ୍ବାସରୁଦ୍ଧଜନିତ ମୃତ୍ୟୁ-ଜୀବନ୍ମୃତ୍ୟୁ ସଙ୍ଗେ ସମାନ। ଏପରି ଘଟିଲେ ବୁଝିବାକୁ ହେବ ଯେ, ଭାଷା କୋମା ଅବସ୍ଥାରେ। ଏହି ଅବସ୍ଥାରେ ମରିବା ବଞ୍ଚିବା ସମାନ। ବାନ୍ଧି ଧରିଲେ ଯାହା, ଧରି ମାରିଲେ ସେୟା, ପରିଣତି ମୃତ୍ୟୁ।
ପ୍ରଥମେ ସ୍ବାଭାବିକ ଧରଣର ମୃତ୍ୟୁ ବିଷୟରେ ଆଲୋଚନା କରାଯାଉ। ପୃଥିବୀରେ କେତେକ ସଂଖ୍ୟାଲଘୁ ଗୋଷ୍ଠୀ ଅଛନ୍ତି, ଯେଉଁ ଗୋଷ୍ଠୀର ଜନସଂଖ୍ୟା ହ୍ରାସ ହେବାରେ ଲାଗୁଛି। ଯେତେବେଳେ ସେହି ଗୋଷ୍ଠୀର ଶେଷ ଲୋକଟିର ମୃତ୍ୟୁ ଘଟିବ ସେହି ଗୋଷ୍ଠୀର ଭାଷା ଲୋପପାଇବ। ଏହା ହେଲା, ଗୋଟିଏ ଜାତି ଲୋପ ପାଇଯିବା ପରେ ସେହି ଜାତିର ଭାଷାର ମୃତ୍ୟୁ ଘଟିବ। ଏହି ସୂତ୍ରରେ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡ଼ା ଓ ଭାରତ ମହାସାଗରର ଦ୍ବୀପପୁଞ୍ଜରେ ସହସ୍ରାଧିକ ଆଦିବାସୀ ଗୋଷ୍ଠୀଙ୍କର ଭାଷା ଲୋପ ପାଇଯାଇଛି। ଏହି କାରଣରୁ ଆମ ଓଡ଼ିଶାରେ ମଧ୍ୟ କିଛି ଆଦିବାସୀ ଭାଷା ଲୋପ ପାଇବାର ଆଶଙ୍କା ରହିଛି। ଅନ୍ୟପ୍ରକାର ମୃତ୍ୟୁ ହେଉଛି ଶ୍ବାସରୁଦ୍ଧଜନିତ ମୃତ୍ୟୁ। ଭାଷା ଏକ ସାମାଜିକ ବସ୍ତୁ। ଗୋଟିଏ ଭାଷା ସେହି ଭାଷାଭାଷୀ ସମାଜର ବିଭିନ୍ନ ସାମାଜିକ ପରିସରରେ ବ୍ୟବହୃତ ହୋଇଥାଏ। ସମାଜ ହିଁ ଭାଷାକୁ ଜୀବନୀ ଶକ୍ତି ପ୍ରଦାନ କରିଥାଏ। ସାମାଜିକ ପରିସରଗୁଡ଼ିକରୁ ଭାଷା ଯେତିକି ଯେତିକି ହଟିଯିବ, ସେତିକି ସେତିକି ଭାଷାର ଦମ୍‌ ବନ୍ଦ ହୋଇଯିବ। ବର୍ତ୍ତମାନ ଓଡ଼ିଆ ସାମାଜିକ ପରିସରରୁ ଓଡ଼ିଆ ଭାଷା ହଟିବାକୁ ଆରମ୍ଭ କଲାଣି। ଅନେକ ଓଡ଼ିଆ ନିଜ ମାତୃଭାଷା ଓଡ଼ିଆକୁ ବ୍ୟବହାର କରିବାକୁ ଅସମ୍ମାନଜନକ ଓ ଅବାଞ୍ଛିତ ମନେକଲେଣି। ଅସଲ କଥା ହେଉଛି, ଓଡ଼ିଆ ଭାଷା ବର୍ତ୍ତମାନ ଯେଉଁ ଭାବରେ ଗତି କରୁଛି, ଯଦି ସେହି ଭାବରେ ଗତିକରେ, ଖୁବ୍‌ଶୀଘ୍ର ଏହା ଓଡ଼ିଆ ସମାଜ ଦ୍ବାରା ପ୍ରତ୍ୟାଖ୍ୟାତ ହେବ। ସେହି ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି ଏବଂ ଲୋକେ ଏହି ଭାଷାର ଭବିଷ୍ୟତ ଉପରେ ଆଉ ଆସ୍ଥାବାନ ନୁହନ୍ତି। ଓଡ଼ିଆମାନେ ସେମାନଙ୍କ ପିଲାମାନଙ୍କର ବାହାଘର, ବ୍ରତଘର, ସ୍ବନକ୍ଷତ୍ର ପ୍ରଭୃତିର ନିମନ୍ତ୍ରଣପତ୍ର ଓଡ଼ିଆ ପରିବର୍ତ୍ତେ ଇଂରାଜୀରେ ଛାପୁଛନ୍ତି। ଅନେକ କ୍ଷେତ୍ରରେ ନିମନ୍ତ୍ରଣକର୍ତ୍ତା ଓ ଗ୍ରହୀତା ଉଭୟ ଇଂରାଜୀ ବୁଝିନଥାନ୍ତି; କିନ୍ତୁ ସେମାନଙ୍କର ଧାରଣା ନିମନ୍ତ୍ରଣ ପତ୍ର ଇଂରାଜୀରେ ନ ଛାପିଲେ ସମ୍ମାନ ଉପରେ ଆଞ୍ଚ ଆସିବ। ଘରେ ବାହାରେ ସକଳ ସ୍ଥାନରେ ଓଡ଼ିଆମାନେ ନିଜ ମାତୃଭାଷା ବଦଳରେ ଇଂରାଜୀ ବା ହିନ୍ଦୀରେ କଥାବାର୍ତ୍ତା କରିବାକୁ ସୁଖ ମଣୁଛନ୍ତି। ଭୁଲଭାଲ କରି ପଛେ ଖଣ୍ଡି ବଙ୍ଗଳା, ଖଣ୍ଡି ହିନ୍ଦୀ ଓ ଖଣ୍ଡି ଇଂରାଜୀରେ କହିବାକୁ ଓଡ଼ିଆଏ ଶ୍ରେୟ ମଣୁଛନ୍ତି। ଯେଉଁ ମୁଷ୍ଟିମେୟ ଓଡ଼ିଆ କିଛି ଖ୍ୟାତି ଅର୍ଜନ କରିଛନ୍ତି, ସେମାନେ ନିଜ ମାତୃଭାଷାରେ କଥା କହିବାକୁ କୁଣ୍ଠାବୋଧ କରୁଛନ୍ତି- କାଳେ ଓଡ଼ିଆ ବୋଲି ଧରାପଡ଼ିଯିବେ। କେବଳ ନିଜେ ନୁହେଁ; ନିଜ ପିଲାମାନଙ୍କୁ ଘରେ ଇଂରାଜୀ କଥୋପକଥନ ଓ ବାପାମାଆ ବଦଳରେ ଡାଡିମମି ଶିଖାଇ ଏକ ଆଭିଜାତ୍ୟ ବିଚାରୁଛନ୍ତି। ମୋଟ ଉପରେ କହିଲେ, ସଂପ୍ରତି ଓଡ଼ିଆ ଭାଷା ପ୍ରସାରର ସବୁ ମାଧ୍ୟମଗୁଡ଼ିକ ଅନ୍ୟ ଭାଷା ଦ୍ବାରା କରାୟତ୍ତ। ଟେଲିଭିଜନ, ରୋଡ଼ିଓ, ସିନେମା, କ୍ୟାସେଟ ମାଧ୍ୟମରେ ଅନ୍ୟ ଭାଷାମାନେ ଓଡ଼ିଆ ଭାଷାର କଣ୍ଠରୋଧ କରିଦେଉଛନ୍ତି। ପ୍ରାତଃସ୍ମରଣୀୟ ବଳରାମ ଦାସ, ଦାଣ୍ଡି ରାମାୟଣ, ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ, ବିଶ୍ବନାଥ ଖୁଣ୍ଟିଆ ବିଚିତ୍ର ରାମାୟଣ, ଅନଙ୍ଗ ନରେନ୍ଦ୍ର ଅନଙ୍ଗ ରାମାୟଣ ପ୍ରଭୃତି ଅଗଣିତ ଶାସ୍ତ୍ର ଓଡ଼ିଆ ଜାତି ପାଇଁ ଲେଖି ଦେଇଯାଇଛନ୍ତି, ଅଥଚ ଓଡ଼ିଆମାନେ ଏହିସବୁ ଶାସ୍ତ୍ରକୁ ନାକ ଟେକୁଛନ୍ତି। ସହର ଗ୍ରାମ ସବୁଠି ଶ୍ରୀରାମଚରିତ ମାନସ ପାରାୟଣ ଓ ପ୍ରବଚନ ଚାଲିଛି। ରାମଲୀଳା ପରିବର୍ତ୍ତେ ହିନ୍ଦୀ ରାମାୟଣ ପ୍ରଦର୍ଶିତ ହେଉଛି। ଦାସକାଠିଆ, ଭାରତଲୀଳା, ଦଣ୍ଡନାଚ ପରିବର୍ତ୍ତେ ହିନ୍ଦୀ ଭଜନ ଆସରର ଆୟୋଜନ ହେଉଛି। ଓଡ଼ିଆ ଭକ୍ତିସଙ୍ଗୀତ ପରିବର୍ତ୍ତେ ପଙ୍କଜ ଉଧାସ୍‌ କି ଅନୁପ ଜଲୋଟାଙ୍କ କ୍ୟାସେଟ୍‌ ବାଜୁଛି। ଓଡ଼ିଆ ଭାଷା ଓଡ଼ିଆ ସମାଜରେ ପହଞ୍ଚିବାର ବାଟନାହିଁ। ଆମ ଭାଷାକୁ ଆମଠାରୁ ଛଡ଼ାଇ ନିଆହେଉଛି। ଆମ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଅଲଗା ଭାଷା, ଆମ କାର୍ଯ୍ୟାଳୟ, ନ୍ୟାୟାଳୟ, ବଜାର, ହାଟରେ ଅଲଗା ଭାଷା, ଆମ ପୂଜା ପ୍ରାର୍ଥନାରେ ଅଲଗା ଭାଷା। ମାତୃଭାଷାର ଏଇ ଅବରୋଧ ତା’ର ମୃତ୍ୟୁର ପଥ ପରିଷ୍କାର କରି ଦେଉଛି। ଓଡ଼ିଆ ଭାଷା ଆଉ ଓଡ଼ିଆଙ୍କ ନିକଟରେ ପହଞ୍ଚୁନାହିଁ। ଯାହା ଜରିଆରେ ଓଡ଼ିଆ ଭାଷା କୋଟିକୋଟି ଓଡ଼ିଆଙ୍କ ପାଖରେ ପହଞ୍ଚିପାରନ୍ତା ସେ ସବୁ ଉପାୟଗୁଡ଼ିକୁ ଅନ୍ୟ ଭାଷାରେ ଜାମ୍‌ କରି ଦିଆଯାଇଛି। ଓଡ଼ିଆ ଭାଷାର ଫାଶ ଫିଟିଯାଇଛି ଓଡ଼ିଆମାନଙ୍କ ଉପରୁ। ଯେଉଁ ଭାଷା ଗତ ଦୁଇହଜାରରୁ ଊର୍ଦ୍ଧ୍ବ ବର୍ଷ ଧରି ଆମକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥିଲା, ସେ ଗଣ୍ଠି ଆମ ଆଖି ଆଗରେ ହୁଗୁଳା ହୋଇଯାଇଛି। ଆମ ଆଖି ଆଗରେ ଖଡ଼ଗପୁର, ମେଦିନୀପୁର, କାନ୍ଥି ଅଞ୍ଚଳରେ ଓଡ଼ିଆମାନେ ବଙ୍ଗାଳୀ ହୋଇଗଲେ, ଖରସୁଆଁ, ଷଢ଼େଇକଳା, ସିଂହଭୂମି, ଧଳଭୂମି, ଚାଇଁବସାର ଓଡ଼ିଆମାନେ ହିନ୍ଦୀ କହିବାକୁ ବାଧ୍ୟ ହେଲେ, ମଞ୍ଜୁଷା, ଟିକାଲି, ତରଣ, ଜଳନ୍ତରର ଓଡ଼ିଆମାନେ ତେଲୁଗୁ ଶିଖିବାକୁ ବାଧ୍ୟ ହେଲେ। ଏବେ ପଶ୍ଚିମାଞ୍ଚଳ ଲୋକେ ପାଟି କରୁଛନ୍ତି ତାଙ୍କ ଭାଷା ଓଡ଼ିଆ ନୁହେଁ ବୋଲି। ଏକମାତ୍ର ଓଡ଼ିଆ ଭାଷା ହିଁ ଆମକୁ ବାନ୍ଧି ରଖିଥିଲା। ସେ ଭାଷା ଆଜି ତାକତହୀନ ହୋଇପଡ଼ିଛି ଆମ ଅବହେଳାରୁ ଓ ଅନ୍ୟମାନଙ୍କ ଦୁରଭିସନ୍ଧିରୁ। ଓଡ଼ିଆ ଭାଷାର ସବୁ ପ୍ରବେଶପଥକୁ ରୁନ୍ଧି ଦିଆଯାଇଛି। ଓଡ଼ିଆ ଭାଷା ପଙ୍ଗୁ ହୋଇଯାଇଛି।

ଆମର ଅନ୍ୟତମ ଭାଷାବିଜ୍ଞାନୀ ପ୍ରଫେସର ପଞ୍ଚାନନ ମହାନ୍ତି ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ଓଡ଼ିଆ ଭାଷାର ଏହି ଦୁରବସ୍ଥା ପାଇଁ। ଭାଷାର ମୃତ୍ୟୁକୁ ସେ ଭାଷାବିଲୋପ ବା ଭାଷାବଦଳ ବୋଲି କହିଛନ୍ତି। ସଂସ୍କୃତ ଓ ପ୍ରାକୃତ ଭାଷାର ଉଦାହରଣ ଦେଇ ସେ ପ୍ରାଚୀନ ଯୁଗୀୟ ଭାଷା ମୃତ୍ୟୁ ଓ ଆଧୁନିକ ଯୁଗର ଭାଷାମୃତ୍ୟୁ ଭିତରେ ଥିବା ପ୍ରଭେଦକୁ ସ୍ପଷ୍ଟ କରିଦେଇଛନ୍ତି। ତାଙ୍କ ମତରେ ସଂସ୍କୃତ ଓ ପ୍ରାକୃତ ଏବେ କାହାରି ମାତୃଭାଷା ନୁହେଁ, ତେଣୁ ଆଜି ଆଉ ଜୀବିତ ଭାଷା ପଦବାଚ୍ୟ ନୁହେଁ। ପ୍ରାକୃତ ଭାଷା ଅପଭ୍ରଂଶ ରୂପ ଗ୍ରହଣ କଲାପରେ ବହୁ ଆଧୁନିକ ଭାଷା ଜନ୍ମ ନେଇଛି ଏବଂ ସେହି ସବୁ ଆଧୁନିକ ଭାଷାରେ ମନୀଷୀ ବୃନ୍ଦ ବହୁ ମୂଲ୍ୟବାନ ଲୋକପ୍ରିୟ ଶାସ୍ତ୍ର ରଚନା କରି ପୁଷ୍କଳ କରିଯାଇଛନ୍ତି। ତେଣୁ ସଂସ୍କୃତ ଓ ପ୍ରାକୃତର ମୃତ୍ୟୁରେ ଦୁଃଖିତ ହେବା ଲାଗି ଯେତେ କାରଣ ରହିଛି, ସୁଖୀ ହେବା ଲାଗି ସେତିକି କାରଣ ରହିଛି। ପ୍ରଫେସର ମହାନ୍ତି ଭାଷାବିତ୍‌ମାନଙ୍କ ମତକୁ ଆଧାର କରି ଭାଷା ମୃତ୍ୟୁକୁ ଚାରିଗୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି, ଯଥା- ଆକସ୍ମିକ ମୃତ୍ୟୁ, ଚରମ ମୃତ୍ୟୁ, କ୍ରମିକ ମୃତ୍ୟୁ ଏବଂ ତଳୁ-ଉପର ମୃତ୍ୟୁ। କୌଣସି ଭାଷାଗୋଷ୍ଠୀ ହଠାତ୍‌ ମୂଳପୋଛ ହୋଇଗଲେ ସେମାନେ ବ୍ୟବହାର କରୁଥିବା ଭାଷାର ଆକସ୍ମିକ ମୃତ୍ୟୁ ଘଟେ, କୌଣସି ଭାଷାଗୋଷ୍ଠୀ ଘୋର ରାଜନୈତିକ ନିର୍ଯାତନାରୁ ତ୍ରାହି ପାଇବା ପାଇଁ ନିଜ ମାତୃଭାଷା କହିବା ବନ୍ଦ କଲେ ତାହାକୁ ଭାଷାର ଚରମ ମୃତ୍ୟୁ କୁହାଯାଏ। କୌଣସି ଦ୍ବିଭାଷୀ ବା ବହୁଭାଷୀ ସମାଜ ମୂଳ ମାତୃଭାଷାକୁ ଛାଡ଼ି ଅନ୍ୟ ଏକ ଶକ୍ତିଶାଳୀ ଭାଷାକୁ ଗ୍ରହଣ କରିନେଲେ ମୂଳଭାଷାର କ୍ରମିକ ମୃତ୍ୟୁ ଘଟେ ଏବଂ ସମୟେ ସମୟେ ଏକ ଜୀବନ୍ତ ଭାଷା ଲୋକମାନଙ୍କର ନିତିଦିନିଆ ଜୀବନରୁ ଅପସରିଯାଇ କେବଳ ବିଧିବିଧାନ ଓ କର୍ମକାଣ୍ଡ ଭିତରେ ବଞ୍ଚିରହିଲେ ଏହାକୁ ତଳୁ-ଉପର ମୃତ୍ୟୁ କୁହାଯାଏ। ପ୍ରଫେସର ମହାନ୍ତି ଓଡ଼ିଆ ଭାଷାର ମୃତ୍ୟୁ ସମ୍ପର୍କରେ ତୃତୀୟ ପ୍ରକାର ମୃତ୍ୟୁ ଅର୍ଥାତ୍‌ କ୍ରମିକ ମୃତ୍ୟୁ ଉପରେ ଗୁରୁତ୍ବାରୋପ କରିଛନ୍ତି।

ଧ୍ବନିବିଜ୍ଞାନୀ ପ୍ରଫେସର ଗୋଲୋକ ବିହାରୀ ଧଳ ଆଜିକୁ ପ୍ରାୟ ଷାଠିଏ ବର୍ଷ ତଳେ ଓଡ଼ିଆ ଭାଷାର ଏହି ଦୁରବସ୍ଥା ସମ୍ପର୍କରେ ‘ଓଡ଼ିଆ କେବେ ?’ ପୁସ୍ତକରେ ଆଲୋଚନା କରିଥିଲେ। ଅତ୍ୟନ୍ତ ଦୁଃଖର କଥା ଯେ ଓଡ଼ିଆ ଭାଷା ନିଜ ରାଜ୍ୟରେ ଯଥୋଚିତ ଭାବେ ପ୍ରତିଷ୍ଠିତ ହେବା ପୂର୍ବରୁ ଆମେ ତା’ର କ୍ଷୟ ଓ ମୃତ୍ୟୁ ସମ୍ପର୍କରେ ଆଲୋଚନା କରୁଚେ। ଏହା ସତ୍ୟ ଯେ ନେଡ଼ିଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ଅଗଣିତ ଓଡ଼ିଆଙ୍କୁ ଓ ଓଡ଼ିଶା ସରକାରଙ୍କୁ ଚେତାଇଦେବା ଆମର କର୍ତ୍ତବ୍ୟ। ଓଡ଼ିଆ ଗୋଟିଏ ସମ୍ବିଧାନ ସ୍ବୀକୃତ ଭାଷା ଏବଂ ଓଡ଼ିଶା ପ୍ରଦେଶ ହେଉଛି ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ; କିନ୍ତୁ ଏସବୁ ସତ୍ତ୍ବେ ଓଡ଼ିଆ ଭାଷା ଯେ ମୃତ୍ୟୁସଙ୍କଟର ସମ୍ମୁଖୀନ, ଏହା ଅତି ଆଶ୍ଚର୍ଯ୍ୟଜନକ ନିଶ୍ଚୟ। ଓଡ଼ିଶାବାସୀଙ୍କର ପରିଚୟ ହେଲା ‘ଓଡ଼ିଆ’ ଅର୍ଥାତ୍‌ ଭାଷା ହିଁ ଆମର ପରିଚୟ। ମାତ୍ର ପରିତାପର ବିଷୟ ହେଉଛି, ସଂପ୍ରତି ଆମର ଭାଷାନୁଗତ୍ୟ ଖୁବ୍‌ ଶିଥିଳ। ଆମର ଭାଷା-ଅସ୍ମିତା ଲୋପ ପାଇବାରୁ ଆମ ଭାଷା ମରଣୋନ୍ମୁଖୀ। ଦ୍ବିତୀୟ କଥା ହେଉଛି, ଓଡ଼ିଆ ସରକାରୀ ଭାଷା ଆଇନ ପ୍ରଚଳନ ନିମିତ୍ତ ବହୁଚେଷ୍ଟା କରାଯାଇଥିଲେ ହେଁ ଫଳପ୍ରଦ ହୋଇପାରିନାହିଁ। ଓଡ଼ିଶା ସରକାର ଅଦ୍ୟାବଧି ଜଣେ ଭାଷାବିତ୍‌ଙ୍କୁ ଭାଷା କମିସନ ଭାବରେ ନିଯୁକ୍ତି କରିନାହାନ୍ତି ବା ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶକ ଭାବରେ କୌଣସି ଭାଷାବିତ୍‌ଙ୍କୁ ନିଯୁକ୍ତି କରିନାହାନ୍ତି। ଅଧିକନ୍ତୁ ଘରୋଇ ଅନୁଷ୍ଠାନକୁ ଭାଷାବିକାଶର ଦାୟିତ୍ବ ନ୍ୟସ୍ତ କରି ସରକାରୀ ଘର ଓ ପ୍ରଚୁର ଅନୁଦାନ ପ୍ରଦାନ କରିଥିଲେ ହେଁ ଫଳାଫଳ ଶୂନ। ଦୁର୍ଯୋଗକୁ କେନ୍ଦ୍ରୀୟ ଭାଷାକେନ୍ଦ୍ର ମହୀଶୂର ଏ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରରେ ଜଣେ ଭାଷାବିତ୍‌ଙ୍କୁ ନିର୍ଦେଶକ ଭାବରେ ଅବସ୍ଥାପିତ କରିନାହାନ୍ତି। ଉପରୋକ୍ତ କାରଣ ଦୃଷ୍ଟେ ସାମାଜିକ କ୍ଷେତ୍ରରେ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ନିମିତ୍ତ ଯୋଜନାୟିତ ପ୍ରଚେଷ୍ଟା କରାଯାଇପାରିନି। ପୃଥିବୀର ସକଳ ଜାତି ନିଜ ଭାଷାର ଉନ୍ନତି ନିମିତ୍ତ ଯୋଜନା କରୁଥିବାବେଳେ ଓଡ଼ିଶାରେ ତହିଁର ପ୍ରଚେଷ୍ଟା ନାହିଁ। କେବଳ କିଛି ସଭାସମିତିରେ ଓଡ଼ିଆ ଭାଷା ବିକାଶ ନିମିତ୍ତ ତର୍ଜନଗର୍ଜନ, ଯାହାର କିଛି ମୂଲ୍ୟ ନାହିଁ। କେହି ମତପ୍ରଦାନ କରୁଛନ୍ତି, ପ୍ରାଚୀନ ସାହିତ୍ୟ ପୁନର୍ମୁଦ୍ରଣ କର, କାହାର ମତ ଓଡ଼ିଆ ସାହିତ୍ୟର ବ୍ୟାପକ ଅନୁବାଦ। ଏସବୁ ବୃଥା ଆସ୍ଫାଳନ ମାତ୍ର। ଏହାଦ୍ବାରା ଓଡ଼ିଆ ଭାଷାର କିପରି ଉନ୍ନତି ହେବ ଜଣାପଡୁନାହିଁ।

ଏ ଯୁଗ ହେଉଛି ଯୋଜନାୟିତ ଭାଷା ବା ଲାଙ୍ଗୁଏଜ୍‌ ପ୍ଲାନିଙ୍ଗ୍‌ର ଯୁଗ। କେବଳ ଭାଷାବିଜ୍ଞାନୀ, ଭାଷାବିତ୍‌ ଓ ଭାଷା ଗବେଷକମାନେ ବୈଷୟିକ ଜ୍ଞାନ ଦ୍ବାରା ଭାଷାର ବିକାଶ ନିମିତ୍ତ ଯୋଜନାୟିତ ପଦକ୍ଷେପ ନେଇପାରିବେ। ଓଡ଼ିଆ ଭାଷାର ଏହି ଦୁର୍ଦିନରେ ଅଭିଜ୍ଞ ଭାଷାବିତ୍‌ଙ୍କୁ ଭାଷା କମିସନ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶକ ଭାବେ ଭାଷାତତ୍ତ୍ବବିତ୍‌ ଓ ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ନିର୍ଦେଶକ ଭାବରେ ଭାଷାବିତ୍‌ଙ୍କୁ ନିଯୁକ୍ତି ଦିଆଗଲେ ସେମାନଙ୍କ ପ୍ରଚେଷ୍ଟାରେ ଓଡ଼ିଆ ଭାଷା ନିମିତ୍ତ ଯୁଗୋପଯୋଗୀ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ ହୋଇପାରିବ ତଥା ଓଡ଼ିଆ ଭାଷାର ମୃତ୍ୟୁସଙ୍କଟ ଦୂରୀଭୂତ ହୋଇପାରିବ।

Comments are closed.