ଲୋକସେବକ ମଣ୍ଡଳ ପକ୍ଷରୁ ଦିଆଗଲା ସମ୍ମାନ ପତ୍ର : ପଶ୍ଚିମବଙ୍ଗରେ ଓଡ଼ିଶା ଅଗ୍ନିଶମ ବିଭାଗକୁ ପ୍ରଶଂସା ପତ୍ର

ଭୁବନେଶ୍ବର : ପଶ୍ଚିମବଙ୍ଗରେ ସାମୁଦ୍ରିକ ଝଡ ବାତ୍ୟା ଅମ୍ପନ କ୍ଷତିଗ୍ରସ୍ତ ଅଞ୍ଚଳରେ ଓଡିଶା ଅଗ୍ନିଶମ ସେବା ସଂସ୍ଥାର ନିଷ୍ଠାପର କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ପଶ୍ଚିମବଙ୍ଗ ବାସିନ୍ଦାଙ୍କ ସହିତ ସରକାର ଅଗ୍ନିଶମ ବିଭାଗକୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ପଶ୍ଚିମବଙ୍ଗର ବିପର୍ଯ୍ୟୟ ପରିଚାଳନା ଓ ସିଭିଲ୍‌ଡିଫେନ୍ସର ପ୍ରମୁଖ ସଚିବ ଦୁଶ୍ୟନ୍ତ ନରିଆଲା ଓଡ଼ିଶା ସରକାର ଏବଂ ଓଡ଼ିଶା ଅଗ୍ନିଶମ ନିର୍ଦେଶାଳୟକୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ସେହିପରି କୋଲକାତା ମୁନିସିପାଲ୍ଟି କର୍ପୋରେସନ୍‌ର ଅଧ୍ୟକ୍ଷ ଫିରହଦ୍ ହାକିମ୍ ଅଗ୍ନିଶମ ଅଧିକାରୀଙ୍କୁ ପ୍ରଶଂସା ପତ୍ର ଦେବା ସହିତ ମୁଖ୍ୟ ଶାସନ ସଚିବଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି। କେବଳ ଏତିକି ନୁହେଁ ଓଡ଼ିଶା ଅଗ୍ନିଶମ ବିଭାଗର କାର୍ଯ୍ୟକୁ ପଶ୍ଚିମବଙ୍ଗର ଲୋକସେବକ ମଣ୍ଡଳ ପକ୍ଷରୁ ମଧ୍ୟ ଏକ ସମ୍ମାନସୂଚକ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସାମୁଦ୍ରିକ ଝଡ ବାତ୍ୟା ଅମ୍ପନ ଯୋଗୁଁ ପଶ୍ଚିମବଙ୍ଗର କ୍ଷତିଗ୍ରସ୍ତ ଅଞ୍ଚଳକୁ ସ୍ବାଭାବିକ କରିବା ପାଇଁ ରାଜ୍ୟ ସରକାରଙ୍କ ଆଦେଶରେ ଅଗ୍ନିଶମ ବିଭାଗର ୩୭୨ ଜଣିଆ ଏକ ଟିମ୍‌ ଗସ୍ତ କରିଥିଲା। ସେଠାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁଇ ଦିନରେ କଲକାତାର ସମସ୍ତ ମୁଖ୍ୟ ରାସ୍ତାରେ ପଡିଥିବା ବିଜୁଳି ଖୁଣ୍ଟି ଓ କେବୁଲ ତାରକୁ ହଟାଇ ପାରିଛନ୍ତି। ମେ’ ୩୦ ସୁଦ୍ଧା ବିଭିନ୍ନ ରାସ୍ତା ଓ ଘର ଉପରେ ପଡିଥିବା ଗଛ କାଟି ସଫା କରିଛନ୍ତି। ମୋଟ ୨୧୮୭ଟି ଉପୁଡି ପଡ଼ିଥିବା ଗଛକାଟି ୫୭୩ଟି ଅଞ୍ଚଳରୁ ରାସ୍ତା ଅବରୋଧ ହଟାଇ ଥିଲେ। ଯାହାଫଳରେ କଲକାତା ମୁନିସିପାଲିଟି ଅଞ୍ଚଳରେ ଜୀବନଯାତ୍ରା ସ୍ବାଭାବିକ ହୋଇପାରିଛି। ଅଗ୍ନିଶମ ବିଭାଗର ଏଭଳି ସେବା ପାଇଁ ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଛି ବୋଲି ଅଗ୍ନିଶମ ସେବା ବିଭାଗର ମହାନିର୍ଦେଶକ ଡ. ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ବର ସ୍ବାଇଁଙ୍କ ନେତୃତ୍ବରେ କଲକାତାରେ ପହଞ୍ଚିଥିବା ଏହି ଟିମ୍‌ ୩୦ଟି ଦଳରେ ବିଭକ୍ତ ହୋଇ ଅହରହ କାର୍ଯ୍ୟ କରୁଛି। ୧୦ ଜଣ ଲେଖାଏଁ କର୍ମଚାରୀ ଜଣେ କେନ୍ଦ୍ରାଧିକାରୀଙ୍କ ଅଧୀନରେ ରହି କାର୍ଯ୍ୟ କରୁଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ସହକାରୀ ଅଗ୍ନିଶମ ଅଧିକାରୀ ଓ ଉପଅଗ୍ନିଶମ ଅଧିକାରୀ ନିୟୋଜିତ ହୋଇଛନ୍ତି। ଅଗ୍ନିଶମ ବାହିନୀ ବିଭିନ୍ନ ଆବଶ୍ୟକ ବିପର୍ଯ୍ୟୟ ପ୍ରଶମନ ଯନ୍ତ୍ରପାତି ଯଥା-ପାୱାର ସ’, ଟାୱାର ଲାଇଟ୍‌, କମ୍ବିଟୁଲ୍ସ ଓ ବୋଲ୍ଟ କଟର୍ସ ଭଳି ଉପକରଣ ଅତ୍ୟନ୍ତ ଉପାଦେୟ ହୋଇଥିବା ଜଣାପଡିଛି।

Comments are closed.