ସମବାୟ ମାଧ୍ୟମରେ ରବି ଫସଲ ପାଇଁ ଦିଆଯିବ ୬୫୦୦କୋଟି ଟଙ୍କାର ଋଣ

ଭୁବନେଶ୍ୱର: ଚଳିତ ରବି ଋତୁରେ ସ୍ୱଳ୍ପମିଆଦି ଫସଲ ଋଣ ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରବିରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬୫୦୦ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି ସୁବିଧାରେ ଫସଲ ଋଣ ପାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ କୁହାଯାଇଛି। ଋଣ ପ୍ରଦାନ କ୍ଷେତ୍ରରେ ଅଣଧାନ ଅର୍ଥକରୀ ଫସଲ ଡାଲି, ତୈଳବୀଜ, ଫଳ, ପନିପରିବା, ଫୁଲଚାଷ ଆଦିକୁ ଅଗ୍ରାଧିକାର ଭିତ୍ତିରେ ଋଣ ପ୍ରଦାନ କରାଯିବ। ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ସମବାୟ ବିଭାଗ ସଚିବ ବୀରବିକ୍ରମ ଯାଦବ ସମସ୍ତ ଜିଲାପାଳମାନଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି।
ଚାଷୀଙ୍କୁ ରାଜ୍ୟର ମୋଟ ଫସଲ ଋଣର ୬୫ରୁ ୭୦ ପ୍ରତିଶତ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଦିଆଯାଉଛି। ୨୦୧୯ଖରିଫ ଋତୁରେ ୧୭.୯୬ ଲକ୍ଷ ଚାଷୀଙ୍କୁ ୭୩୩୦.୫୬ କୋଟି ଟଙ୍କା ଫସଲ ଋଣ ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ/ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯାଇଥିଲା। ସେହିପରି ରବିଋତୁରେ ଋଣ ପ୍ରଦାନ ଲକ୍ଷ ୫ ହଜାର ୬୦୦ କୋଟି ଧାର୍ଯ୍ୟ କରାଯାଇଥିବାବେଳେ ସମବାୟ ବ୍ୟାଙ୍କ ଓ ପାକ୍ସ ଦ୍ୱାରା ଚାଷୀଙ୍କୁ ୬୦୦୪.୨୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
ଚଳିତ ରବିଋତୁରେ ଚାଷୀମାନେ ଯେପରି ଠିକ୍ ସମୟରେ ଋଣ ପାଇବେ ଏବଂ କୃଷି କାର୍ଯ୍ୟରେ ଲଗାଇ ପାରିବେ ସେଥି ନିମନ୍ତେ ସମବାୟ ସମିତିଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଫସଲ ଋଣର ଯେପରି ସଦୁପଯୋଗ ହୋଇପାରିବ ସେଥି ନିମନ୍ତେ ଉନ୍ନତ ମାନର ବିହନ, ସାର, କୀଟନାଶକ ଚାଷୀମାନଙ୍କୁ ଯେପରି ପାକ୍ସ ଏବଂ କୃଷି ବିଭାଗ ଦ୍ୱାରା ଠିକ୍ ସମୟରେ ଉପଲବ୍ଧ ହେବ ସେଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ କରି ଧାର୍ଯ୍ୟ ସମୟ ମଧ୍ୟରେ ପଇଠ କରିଥିବା ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି। ସେହିପରି ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରି ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପଇଠ କଲେ ଚାଷୀମାନଙ୍କୁ ୨ ପ୍ରତିଶତ ସୁଧ ଦେବାକୁ ପଡୁଛି। ଚଳିତ ବର୍ଷ ରବି ଫସଲ ଋଣରେ ଧାର୍ଯ୍ୟ ୬୫୦୦ କୋଟି ମଧ୍ୟରୁ ଅନ୍ତତଃ ପକ୍ଷେ ୧୦ ପ୍ରତିଶତ ଋଣ ଯୁଗ୍ମ ଦେୟ ଗୋଷ୍ଠୀ ମାଧ୍ୟମରେ ଭୂମିହୀନ ଓ ପ୍ରକୃତ ଚାଷୀଙ୍କୁ ଦେବା ପାଇଁ ସ୍ଥିର କରାଯାଇଛି। ପ୍ରକୃତ ଚାଷୀ ଯେପରି ଫସଲ ଋଣ ପାଇବେ ସେଥି ନିମନ୍ତେ ଚାଷୀଙ୍କ କିଷାନ କ୍ରେଡିଟ କାର୍ଡ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ, ପାକ୍ସ କିମ୍ବା ବାଣିଜ୍ୟିକ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ନିଶ୍ଚିତ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଆଧାର ସଂଯୋଗ ବିନା ଋଣ ପ୍ରଦାନ ବେନିୟମ ବୋଲି ବିବେଚନା କରାଯିବ।
ଅକ୍ଟୋବର ୧ ତାରିଖରୁ ଡିସେମ୍ବର ୩୧, ୨୦୧୯ ମଧ୍ୟରେ କେତେକ ଫସଲ ଉପରେ ଦିଆଯାଉଥିବା ଫସଲ ଋଣ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅନ୍ତର୍ଭୁକ୍ତ ହେବ। ସମସ୍ତ ଋଣୀ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ବାଧ୍ୟତାମୂଳକ କରାଯାଇଛି। ଅଣଋଣୀ ଚାଷୀ ଚାହିଁଲେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ସରକାରଙ୍କ ପକ୍ଷରୁ ଚଳିତ ରବିଋତୁରେ ଧାନ ସମେତ ବିରି, ମୁଗ, ଚିନାବାଦାମ, ସୂର୍ଯ୍ୟମୁଖୀ, ସୋରିଷ, ଆଳୁ, ପିଆଜ ଓ ଆଖୁ ଫସଲକୁ ବୀମାଭୁକ୍ତ କରିବା ପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଡିସେମ୍ବର ୩୧ ତାରିଖ ପରେ ଏବଂ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଅନ୍ୟ ଫସଲ ନିମନ୍ତେ କୃଷି ଋଣ ନେଲେ ଋଣ ଗ୍ରହୀତାମାନେ ବୀମାଭୁକ୍ତ ହୋଇପାରିବେ ନାହିଁ।
ଏଥି ସହିତ କିଷାନ କ୍ରେଡିଟ୍ କାର୍ଡର ବହୁଳ ବ୍ୟବହାର କରି ଏଥିରେ ଉପଲବ୍ଧ ସୁବିଧାଗୁଡ଼ିକର ଉପଯୋଗ କରିବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯିବ।

Comments are closed.