ରାନ୍ଧୁଣିଆ ସଲମାନ୍‌

 

ସୁଲତାନ୍ ସଲମାନ୍ ଖାନ୍ କୋଭିଡ୍ ପାଇଁ ହୋଇଥିବା ଲକ୍‌-ଡାଉନ୍ ସମୟରେ ବିଭିନ୍ନ ପରିସ୍ଥିତି ଦେଇ ଅତିକ୍ରମ କରିବା ସହ ନିଜର ଅନ୍ୟଗୁଣଗୁଡ଼ିକୁ ମଧ୍ୟ ଚିହ୍ନିଥିବାର କହିଛନ୍ତି। ଲକ୍‌-ଡାଉନ୍ ଘୋଷଣାବେଳକୁ ସେ ପାନ୍‌ଭେଲ୍‌ସ୍ଥିତ ଫାର୍ମ ହାଉସ୍‌ରେ ଥିଲେ। ଘରର ପିଲାମାନେ, ଦୁଇ ଭଉଣୀ ଓ କେତେଜଣ କର୍ମଚାରୀଙ୍କ ମଧ୍ୟ ସଲମାନ୍‌ଙ୍କ ସହ ଥିଲେ। ଏପାଖେ ମୁମ୍ବଇର ଗ୍ୟାଲାକ୍ସି ଅପାର୍ଟମେଣ୍ଟରେ ବୟସ୍କ ବାପା-ମା’ଙ୍କ ସହ ଭାଇ ଅରବାଜ୍, ସୋହେଲ୍ ଥିଲେ, ଘରର ମୁଖ୍ୟ ରାନ୍ଧୁଣିଆ ଜାଫର୍ ଭାଇ ମଧ୍ୟ ମୁମ୍ବଇରେ ରହିଗଲେ। ସଲମାନ୍‌ କହିଛନ୍ତି, ପାନଭେଲ୍‌ରେ ଥିବାବେଳେ ସେ ରୋଷେଇ କରିବା ଶିଖିଗଲେ। ପିଲାଙ୍କ ମନ ଜିଣି ରୋଷେଇ କରିବା ସବୁଠୁ କଷ୍ଟକର କାମ, ଫାର୍ମ ହାଉସ୍‌ରେ ଥିବା ରାନ୍ଧୁଣିଆଙ୍କ ଖାଦ୍ୟ ସେମାନଙ୍କ ମନପସନ୍ଦର ନଥିଲା। ଶେଷରେ ଆଉ କିଛି ଉପାୟ ନ ପାଇ ସଲମାନ୍‌ ନିଜେ ଡାଲ୍ ମଖନୀ, ଚିକେନ୍ ରୋଷ୍ଟ ତିଆରି କଲେ। ମା’ ସଲମାଙ୍କୁ ଫୋନ୍‌‌ରେ ପଚାରିପଚାରି ସଲମାନ୍ ଏସବୁ ରୋଷେଇ କରି ପିଲାଙ୍କ ପାଇଁ ପରଷୁଥିଲେ। ଲକ୍-ଡାଉନ୍ ଶେଷ ପରେ ସେ ଆଶ୍ବସ୍ତ ହୋଇ ମୁମ୍ବଇ ଘରକୁ ଫେରି ପ୍ରଥମେ ଜାଫର୍‌ ଭାଇ ହାତରନ୍ଧା ବିରିୟାନୀ ଖାଇ ମନ ଖୁସି କରିଥିବାର କହିଛନ୍ତି ସଲମାନ୍ ଖାନ୍।

Comments are closed.