MEllora 950×100

ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଅନୁଧ୍ୟାନ 

ସାକ୍ଷୀଗୋପାଳ: ସରକାରଙ୍କ ପ୍ରତ୍ୟେକ ଯୋଜନାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ମିଳିତ ଜାତିସଂଘ ପକ୍ଷରୁ ୨୦୧୬ ମସିହାରୁ ଆରମ୍ଭ କରାଯାଇଥିବା ମିଶନକୁ ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପର ପ୍ରଥମ ସୋପାନ ସତ୍ୟବାଦୀ ବ୍ଲକର ପେଣ୍ଠପଡା ପଞ୍ଚାୟତରୁ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ପକ୍ଷରୁ ଯୁଗ୍ମ ନିର୍ଦେଶକ ଉମେଶ ଚନ୍ଦ୍ର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚ ସ୍ତରୀୟ କମିଟି ଗତକାଲି ପୂର୍ବାହ୍ନ ଦଶ ଘଟିକା ସମୟରେ ପେଣ୍ଠପଡା ପଞ୍ଚାୟତର ଗ୍ରାମ ଗୁଡିକ ପରିଦର୍ଶନ ସହିତ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

ମୁଖ୍ୟତଃ ଦରିଦ୍ର୍ୟତା, ସୁସ୍ବାସ୍ଥ୍ୟ, ଖାଦ୍ୟ, ପାନୀୟ ଜଳ, ସାର୍ବଜନୀନ ଶିକ୍ଷା, ମହିଳା ଓ ଶିଶୁ ବିକାଶ, ପରିମଳ, ଆଦି ୧୭ଟି ଲକ୍ଷ୍ୟ ସାଧନ ନିମନ୍ତେ ମିଶନରେ ନିଆଯାଇଥିବା ପଦକ୍ଷେପ ଆସନ୍ତା ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ପୂରଣ କରିବା ପାଇଁ ତୃଣମୂଳ ସ୍ତରରେ ରହିଥିବା ତଥା ବିଶେଷ କରି ଗାଁ ମାନଙ୍କରେ ବାସ କରୁଥିବା ଲୋକଙ୍କ ସହଯୋଗ ରହିବା ଜରୁରୀ । ଅପରପକ୍ଷରେ ସରକାରଙ୍କ  ପ୍ରଣୟନ ଯୋଜନାକୁ ଉପର ସ୍ତରରୁ ତଳସ୍ତର ପର୍ଯ୍ୟନ୍ତ ହିତାଧିକାରୀଙ୍କ ପାଖରେ କାହିଁକି ପହଞ୍ଚି ପାରୁନାହିଁ । କେଉଁଠି ଦୁର୍ନୀତି ହେଉଛି ତାର ସଠିକ୍‌ ତଦାରଖ କରାଯିବା ସହ କାର୍ଯ୍ୟ ପାଇଁ  ଉତ୍ତରଦାୟୀ ରହିବା ଆବଶ୍ୟକ । ଏଥିପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସମେତ ରାଜନୈତିକ ବ୍ୟକ୍ତି  ବିଶେଷ, ବୁଦ୍ଧିଜୀବୀ ଏବଂ ଏ ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନର କର୍ମକର୍ତ୍ତାଙ୍କ ମଧ୍ୟ ଆନ୍ତରିକ ଉଦ୍ୟମ ରହିଲେ ନିଆଯାଇଥିବା ଲକ୍ଷ୍ୟ ପୂରଣରେ ସନ୍ଦେହ ରହିବ ନାହିଁ ବୋଲି ଯୋଜନା ସମନ୍ୱୟ ବିଭାଗ ତରଫରୁ ମୁଖ୍ୟ ପ୍ରଶିକ୍ଷକ ପ୍ରଣତି ମିଶ୍ର ପ୍ରକାଶ କରିଥିଲେ ।

ସହକାରୀ ସଂଯୋଜକ ପ୍ରମୋଦ କୁମାର ମଲ୍ଲିକ ଉପସ୍ଥିତ ରହିଥିଲେ । ଏଥିରେ  କଣାସ ବିଡ଼ିଓ ପବିତ୍ର କୁମାର ବେହେରା, ପିପିଲି ବିଡିଓ ରଶ୍ମିତା ନାଥ, କାକଟପୁର ଓ ଅସ୍ତରଙ୍ଗ  ବିଡିଓ ତୃଷାରକାନ୍ତ ଦାସ ଓ ଡେଲାଙ୍ଗ ବିଡ଼ିଓ ଦିଲ୍ଲୀପ କୁମାର ଷଢଙ୍ଗୀ ପ୍ରମୁଖଙ୍କ ସହିତ ଉଦ୍ୟାନ ବିଭାଗ, ଜୀବିକା ମିଶନର ଅଧିକାରୀ, ପେଣ୍ଠପଡା ସରପଞ୍ଚ, ୱାର୍ଡ ମେମ୍ବର, ଆଶା, ଅଙ୍ଗନବାଡି କର୍ମୀ, ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମ କର୍ତ୍ତା ମାନେ ପରିଦର୍ଶନରେ ସାମିଲ ହୋଇ ଗାଁକୁ ଗାଁ, ଘରକୁ ଘରକୁ ପହଞ୍ଚି ସାଧାରଣ ଲୋକଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ | ସତ୍ୟବାଦୀ ବିଡିଓ ଲୋଚନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ର ପରିଦର୍ଶନରେ ଜିପିଇଓ ସୌଭାଗ୍ୟ ରଞ୍ଜନ କର, ସିଡିପିଓ ରାଜଲକ୍ଷ୍ମୀ ଦାସ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ ଓ ସମିତି ସଭ୍ୟ ସୁମନ୍ତ ଘଟୁଆରୀ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ପଞ୍ଚାୟତର କାଞ୍ଜିଆ ଗ୍ରାମରେ ରହିଥିବା ଏକ ପୋଖରୀ  ଓ ଗ୍ରାମର ଅନ୍ୟ ସମସ୍ୟା ଉପରେ ଅନୁଧ୍ୟାନ କରିବା ପାଇଁ କ୍ଷେତ୍ର ପରିଦର୍ଶନ କରିଥିଲେ ।

Comments are closed.