MEllora 950×100

ପୁରୀ ବୁଲିବା ସ୍ବପ୍ନ ଅଧୁରା ରହିଲା; ସାକ୍ଷୀଗୋପାଳରେ ଚାଲିଗଲା ଜୀବନ

ସାକ୍ଷୀଗୋପାଳ: କେତେ ଆଶା ନେଇ ପୁରୀ ବୁଲିବାକୁ ଆସୁଥିଲେ। ମାତ୍ର ପୁରୀ ବୁଲିବା ସ୍ବପ୍ନ ଅଧୁରା ରହିଗଲା। ସାକ୍ଷୀଗୋପାଳରେ ଜୀବନ ଚାଲିଗଲା। ବଞ୍ଚିଥିବା ଅବସ୍ଥାରେ ତ ପୁରୀ ବୁଲିବା ସମ୍ଭବ ହେଲାନାହିଁ। କିନ୍ତୁ ତାଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପୁରୀ ଗଲା ଓ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେଲା। ବୋଧହୁଏ ଏହାହିଁ ଥିଲା ବିଧିର ବିଧାନ।

କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଖ୍ରୀଷ୍ଟ କୁମାରୀ ନାୟକ(୪୧) ପୁରୀ ବୁଲିବା ପାଇଁ ବସ୍ ଯୋଗେ ବୁଧବାର ସକାଳ ପ୍ରାୟ ୭ଟା ସମୟରେ ପୁରୀ ଆସୁଥିଲେ। ସାକ୍ଷୀଗୋପାଳ ପୂର୍ବରୁ ହଠାତ ସେ ବସ୍ ମଧ୍ୟରେ ସିଟ ଉପରେ ଟଳି ପଡ଼ିଥିଲେ। ଯାତ୍ରୀମାନେ ଏ ସମ୍ପର୍କରେ କଣ୍ଡକ୍ଟରଙ୍କୁ ଜଣାଇଥିଲେ। କଣ୍ଡକ୍ଟର ସାକ୍ଷୀଗୋପାଳରେ ପହଞ୍ଚି ଏ ଘଟଣା ସମ୍ପର୍କରେ ସତ୍ୟବାଦୀ ଥାନାରେ ଜଣାଇଥିଲେ। ସତ୍ୟବାଦୀ ଥାନା ଏଏସଆଇ ବୈଷ୍ଣବ ଚରଣ ମହାରଣା ମହିଳାଙ୍କୁ ଚିକିତ୍ସା ପାଇଁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସତ୍ୟବାଦୀ ପୁଲିସ ମୃତ ମହିଳାଙ୍କ ନିକଟରେ ଥିବା ମୋବାଇଲ ଫୋନରୁ ପୁରୀରେ ରହୁଥିବା ତାଙ୍କ ସମ୍ପର୍କୀୟ ଶିବ କୁମାର ନାୟକଙ୍କ ସହିତ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ସତ୍ୟବାଦୀ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିଲା। ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।

Comments are closed.