ଅଁଳା ନବମୀ ଓ ବଡ଼ ଏକାଦଶୀ ପ୍ରସ୍ତୁତି ବୈଠକ

ସାକ୍ଷୀଗୋପାଳ: ପ୍ରସିଦ୍ଧ ବୈଷ୍ଣବ ପୀଠ ସାକ୍ଷୀଗୋପାଳ ମନ୍ଦିରରେ ଆସନ୍ତା ୧୨ ତାରିଖରେ ପବିତ୍ର ଅଁଳା ନବମୀ ଓ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ଓ ୧୫ ତାରିଖରେ ବଡ଼ ଏକାଦଶୀ, ଠାକୁର ଶ୍ରୀଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀ ନାରାୟଣ ବେଶ ଓ ମନ୍ଦିର ବେଢାରେ ପ୍ରସିଦ୍ଧ ଚୁଡାଘସା ଭୋଗ ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ ତରଫରୁ ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳା ପରିସରରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉପ ଜିଲ୍ଲାପାଳ ଭବ ତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସହକାରୀ ଦେବୋତ୍ତର ଆୟୁକ୍ତ ଶ୍ରୀପଦ ମିଶ୍ର, ତହସିଲଦାର ଜୟନ୍ତ କୁମାର ଜୟ ସିଂ, ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା, ଏସଡିପିଓ ଦେବଦତ୍ତ ବରାଳ, ଆରକ୍ଷୀ ନିରୀକ୍ଷକ ଦେବୀ ପ୍ରସାଦ ପାତ୍ର, ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାୟକ, ଅଗ୍ନିଶମ ଅଧିକାରୀ ମନୋଜ କୁମାର ପାତ୍ର, ନିୟନ୍ତ୍ରିତ ବଜାର କମିଟି ହିସାବ ନିରୀକ୍ଷକ ଜଗତ ଜ୍ୟୋତି ସାହୁ, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦ ଓ କୋଷାଧ୍ୟାକ୍ଷ ଉମେଶ ଚନ୍ଦ୍ର ନନ୍ଦ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

ଏହି ବୈଠକରେ କୋଭିଡ କଟକଣା ଅନୁଯାଇ ଭକ୍ତ ଓ ଜନସାଧାରଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ବନ୍ଦ ରହିବ। କେବଳ ପାରମ୍ପରିକ ରୀତିନୀତି ଅନୁଯାଇ ଦେବନୀତି ଅନୁଷ୍ଠିତ ହେବ। ମନ୍ଦିରରେ ଆଲୋକ ସଜ୍ଜା ଓ ଫୁଲ ସଜ୍ଜା କରାଯିବ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ତହସିଲଦାର ଜୟନ୍ତ କୁମାର ଜୟ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.