ସେଲର ରାଉରକେଲାସ୍ଥିତ ସୁପର ସ୍ପେଶାଲିଟି ହସ୍ପିଟାଲ କୋଭିଡ୍ କେୟାର ହସ୍ପିଟାଲ୍ ରୂପେ ଉପଯୋଗ ହେବ

ନୂଆଦିଲ୍ଲୀ/ରାଉରକେଲା : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଧ୍ୟେୟରେ ଅନୁପ୍ରାଣିତ ତଥା କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାସ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ରାଉରକେଲାସ୍ଥିତ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ରୂପେ ଉପଯୋଗ ନିମନ୍ତେ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭରତ ସରକାରଙ୍କ ଇସ୍ପାତ ଏବଂ ପିଏନଜି ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ସ୍ଥିତ ସେଲ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ବିରୁଦ୍ଧରେ ଦେଶର ସଂଗ୍ରାମରେ ସେଲ ସହଭାଗିତା କରିବା ସହ ଯତପରୋନାସ୍ତି ଯୋଗଦାନ ଦେଉଛି ।

Image Source : PIB

କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ସୁପର ସ୍ପେଶାଲିଟି ହସ୍ପିଟାଲର ଆଇସିୟୁ ସୁବିଧା ବ୍ୟବହାର ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ମଧ୍ୟ ଅନୁରୋଧ କରିଥିଲେ। ସେଲ ଆରଏସପିର ସୁପର ସ୍ପେଶାଲିଟି ହସ୍ପିଟାଲରେ ଉପଲବ୍ଧ ୬୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସୁବିଧା କୋଭିଡ-୧୯ ଚିକିତ୍ସା ସେବା ପାଇଁ ବ୍ୟବହୃତ ହେବ। ଏହି ଡାକ୍ତରଖାନା ରାଜ୍ୟରେ କୋଭିଡ ରୋଗୀଙ୍କ ଚିକିତ୍ସା ସୁବିଧାକୁ ଅଧିକ ସୁଦୃଢ କରିବ ।
ଗତ ବର୍ଷ କୋଭିଡ ମହାମାରୀର ପ୍ରକୋପ ଆରମ୍ଭ ହେବାଠାରୁ ସେଲ କାନ୍ଧରେ କାନ୍ଧ ମିଳାଇ ଏହାର ମୁକାବିଲା କରିଆସୁଛି । କମ୍ପାନୀ ପିଏମ କେୟାର୍ସ ପାଣ୍ଠିରେ ୩୦ କୋଟି ଟଙ୍କା ଯୋଗଦାନ କରିବା ସହିତ କର୍ମଚାରୀମାନେ ମଧ୍ୟ ଏହି ପାଣ୍ଠିକୁ ଗୋଟିଏ ଦିନର ଦରମା ପ୍ରଦାନ କରିଥିଲେ। ସେଲ ଦ୍ୱାରା ଗ୍ରହଣ କରାଯାଇଥିବା ବିବିଧ ପ୍ରୟାସ ମାଧ୍ୟମରେ କରୋନା ବିରୁଦ୍ଧରେ ଲଢେଇକୁ ଅଧିକ ବ୍ୟାପକ କରିବା ସହିତ ଏହାର ବିଭିନ୍ନ ପ୍ଲାଣ୍ଟ ଏବଂ ୟୁନିଟ୍ ଗୁଡିକ ସ୍ଥାନୀୟ ପ୍ରଶାସନ ସହିତ ସହଭାଗିତା କରିଆସୁଛନ୍ତି। ଏହି କ୍ରମରେ କମ୍ପାନୀର ହସ୍ପିଟାଲଗୁଡିକରେ ସ୍ଵାସ୍ଥ୍ୟସେବା ସୁବିଧାଗୁଡିକୁ ଅଧିକ ସଂପ୍ରସାରିତ କରାଯାଇଥିଲା। ସେଲ୍ ରାଉରକେଲା ଇସ୍ପାତ କାରଖାନାର ଇସ୍ପାତ ଜେନେରାଲ ହସ୍ପିଟାଲରେ ଏକ କୋଭିଡ-୧୯ ପରୀକ୍ଷା କେନ୍ଦ୍ର ସ୍ଥାପନା କରାଯାଇଥିଲା ଯାହା ନିରନ୍ତର କାର୍ଯ୍ୟ କରୁଛି ଏବଂ ମହାମାରୀ ବିରୋଧରେ ଓଡିଶାର କୋଭିଡ ବିରୋଧୀ ସଂଗ୍ରାମରେ ସହଯୋଗ କରୁଛି। ଅନ୍ନଦାନ ଯୋଜନା ଅଧୀନରେ ସେଲ୍ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଏହାର ପାରିପାର୍ଶ୍ୱିକ ଅଞ୍ଚଳରେ ଶୁଖିଲା ରାସନ ଏବଂ ଖାଦ୍ୟ ବଣ୍ଟନ କରିଛି।

 

Comments are closed.