ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ

ବାଲେଶ୍ୱର/ଭୁବନେଶ୍ବର/ଚୌଦ୍ୱାର: ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ ନେଇ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ସୂଚନା ଦେଇଛନ୍ତି। ଡା. ମିଶ୍ର କହିଛନ୍ତି ଯେ ବାଲେଶ୍ବର ଡାକ୍ତରଖାନାକୁ ହାଇଦରଙ୍କୁ ଗୁଳିବିଦ୍ଧ ଅବସ୍ଥାରେ ଅଣାଯାଇଥିଲା। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତରଖାନାରେ ପ୍ରାୟ ୪ ମିନିଟ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ଶରୀରରେ କେତୋଟି ଗୁଳି ବାଜିଛି ତାହା ମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ହାଇଦରଙ୍କ ମୃତଦେହକୁ ଆଶୁ ଚିକିତ୍ସା ବିଭାଗରୁ ଶବବ୍ୟବଚ୍ଛେଦ ଗୃହକୁ ନିଆଯାଇଛି। ସେଠାରେ ହାଇଦରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।


ଆଜି ଗ୍ୟାଙ୍ଗଷ୍ଟାର ସେକ ହାଇଦରଙ୍କୁ ଚୌଦ୍ବାରରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଚୌଦ୍ବାର ଜେଲରେ ନିରାପତ୍ତା ଦୃଷ୍ଟିରୁ ସୁରକ୍ଷିତ ନ ଥିବାରୁ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ହାଇଦରଙ୍କୁ କଟକ ଜିଲା ଏସକର୍ଟପାର୍ଟି ବାରିପଦା ନେଉଥିଲେ। ଅପରାହ୍ଣ ୩.୨୦ ସମୟରେ ବାଲେଶ୍ବର ଜିଲାର ସିମୁଳିଆଠାରେ ହାଇଦର ପରିଶ୍ରା ଯିବା ପାଇଁ ଏସକର୍ଟପାର୍ଟିଙ୍କ ନିକଟରେ ଜିଦ୍ ଧରିଥିଲା। ଭ୍ୟାନରୁ ଓହ୍ଲାଇବାପରେ ଏସକର୍ଟ କରୁଥିବା ଜଣେ ଗାର୍ଡଙ୍କଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲା ଏବଂ ତାଙ୍କ ସହ ଧସ୍ତାଧସ୍ତା ହୋଇଥିଲା। ତାଙ୍କୁ ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ ସେ ଶୁଣିନଥିଲା ଏବଂ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଜଣେ ସବଇନିସପେକ୍ଟର ନିଜର ଆତ୍ମରକ୍ଷା ସହିତ ସମସ୍ତଙ୍କୁ ସୁରକ୍ଷା କରିବା ପାଇଁ ହାଇଦରଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ହାଇଦରଙ୍କ ପେଟରେ ଗୋଟିଏ ଗୁଳି ବାଜିଥିଲା। ଏଥିରେ ହାଇଦର ସଂକଟାପନ୍ନ ହୋଇପଡ଼ିଥିଲା। ଏହାପରେ ପୁଲିସ ପକ୍ଷରୁ ତୁରନ୍ତ ହାଇଦରଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ଡାକ୍ତରଖାନାକୁ ଅଣାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବର୍ତ୍ତମାନ ହାଇଦରଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପାଇଁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଆସନ୍ତାକାଲି ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ପରେ ତାଙ୍କର ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ହାଇଦରଙ୍କ ମୃତଦେହ ହସ୍ତାନ୍ତର କରିବାକୁ ପରିବାର ସଦସ୍ୟ ସରକାରଙ୍କ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୫ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍‌ ସୁଲେମାନର ଭାଇ ସେକ୍‌ ଚୁନା ଓରଫ ମାଲିକ ହନନ୍‌କୁ ହତ୍ୟା ଘଟଣାରେ ହାଇଦର ସମେତ ଅନ୍ୟ ସାତଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର୍‌ର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରିଥିଲା।

ଏନ୍‍କାଉଣ୍ଟରରେ ମୃତ ହାଇଦରକୁ ଚୌଦ୍ୱାର ଜେଲରୁ ନିଆ ଯାଉଥିଲା

ଶନିବାର ଅପରାହ୍ଣରେ ପୁଲିସ୍‍ ଏନ୍‍କାଉଣ୍ଟରରେ ପ୍ରାଣ ହରାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରକୁ ଆଜି ମଧ୍ୟାହ୍ନରେ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଚୌଦ୍ୱାର ଜେଲ ସୁତ୍ରରୁ ପ୍ରକାଶ। କମିସନରେଟ ପୁଲିସର ଏକ ଟିମ୍‍ ଶନିବାର ଜେଲରେ ପହଞ୍ଚି ଦିନ ଗୋଟାଏ ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ହାଇଦରକୁ ବାରିପଦା ଜେଲ ଅଭିମୁଖେ ନେଇଥିଲେ।

ସୁଲେମାନ୍‍ର ଭାଇ ସେକ୍‍ ଚୁନା ହତ୍ୟ ଘଟଣାରେ ୨୦୧୧ ମସିହାରେ ହାଇଦରକୁ ଆଜୀବନ ସଜ୍ଜା ହୋଇଥିଲା। ସେହିପରି ୨୦୧୪ରେ ସେ ପାରୋଲରେ ଆସି ଖଣି ମାଲିକ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ୨୦୧୫ରେ ପୁଣି ଆଜୀବନ ସଜ୍ଜା ଶୁଣାଇଥିଲେ। ୨୦୧୭ ମସିହାରେ ତାକୁ ଝାରପଡ଼ା ଜେଲରୁ ସମ୍ବଲପୁର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ସେ ଅସୁସ୍ଥ ହେବାରୁ ତାକୁ ବୁର୍ଲା ହସପିଟାଲରେ ଚିକିତ୍ସା କରାଯାଇଥିଲା।ପରେ ତାକୁ ଅଧିକ ଚିକିତ୍ସା ପାଇଁ ୨୩ ମାର୍ଚ୍ଚ ୨୦୨୧ରେ କଟକ ବଡ଼ ମେଡ଼ିକାଲକୁ ଅଣା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ପୁଲିସକୁ ଚକମା ଦେଖାଇ ଅପ୍ରେଲ ୧୦ ତାରିଖ ଅପରାହ୍ଣରେ ଫେରାର ହେବାକୁ ସକ୍ଷମ ହୋଇଥିଲା। ହାଇଦରକୁ ଧରିବା କମିସନରେଟ ପୁଲିସପାଇଁ ଏକ ଚ୍ୟାଲେଞ୍ଜ ହୋଇପଡ଼ିଥିଲା।ଦୀର୍ଘ ୧୨୦ ଘଣ୍ଟାର ଅପରେସନ୍‍ ପରେ ତେଲେଙ୍ଗାନାର ସଂଗାରେଡ୍ଡି ଜିଲାରୁ ତାକୁ ପୁଲିସ୍‍ କାବୁ କରିବାରେ ସଫଳ ହୋଇଥିଲେ।ସେହିଦିନ ଠାରୁ ସେ ଚୌଦ୍ୱାର ଜେଲରେ ସଜ୍ଜା କାଟୁଥିଲା।

Comments are closed.