ସାଇପ୍ରସନ୍ନା ବେହେରାଙ୍କୁ ମିଳିଲା ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍‌ ରନର୍ସଅପ୍ ମୁକୁଟ

ମହିଳା ଚାହିଁଲେ ସମାଜକୁ ପରିବର୍ତ୍ତନ କରିପାରିବେ:ସାଇପ୍ରସନ୍ନା

ଭୁବନେଶ୍ୱର : ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ ୨୦୨୧ରେ ପ୍ରଥମ ରନର୍ସ ଅପ୍ ଏବଂ ମିସେସ୍ ମ୍ୟାଗ୍ନିଫିସେଣ୍ଟ ୨୦୨୧ର ଟାଇଟେଲ ହାସଲ କରି ନିଜର ସ୍ୱପ୍ନ ପୂରଣ କରିଛନ୍ତି ସାଇପ୍ରସନ୍ନା ବେହେରା। ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍ ୨୦୨୧ ପ୍ରତିଯୋଗିତାରେ ଭୁବନେଶ୍ୱରରୁ ହୋଇଥିବା ଅଡିସନ୍ ରାଉଣ୍ଡରେ ଓଡିଶାରୁ ମାତ୍ର ୫ ଜଣ ମନୋନୀତ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ରାଉରକେଲା ନିବାସୀ ତଥା ଭୁବନେଶ୍ୱରର ବୋହୂ ସାଇପ୍ରସନ୍ନା ଓଡିଶାର ଏକମାତ୍ର ତଥା ପ୍ରଥମ ମହିଳା ଭାବେ ଦୁବାଇ ମାଟିରେ ନିଜ ରାଜ୍ୟ ତଥା ଦେଶର ମାନ ରଖି ପ୍ରଥମ ରନର୍ସଅପ୍ ଭାବେ ବିଜୟୀ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି। ପେଶାରେ ସେ ହେଉଛନ୍ତି ଫାର୍ମାକୋଲୋଜିଷ୍ଟ ଏବଂ ଜଣେ ସଫଳ ଉଦ୍ୟୋଗୀ। ଜଣେ ସୁଗୃହିଣୀ ଭାବେ ଦାୟିତ୍ୱ ସମ୍ପନ୍ନ କରିବା ସହ ନିଜ କର୍ମକୁ ମଧ୍ୟ ଗୁରୁତ୍ୱ ଦେବାକୁ ଭୁଲିନାହାନ୍ତି ଏହି ମହିଳା ଜଣକ। ଏହା ସହ କିଛି ସମୟ ନିଜ ପାଇଁ ବାହାର କରିଛନ୍ତି।

 

ମହିଳାମାନେ ନିଜକୁ କେବଳ ହୋମ୍ ଓରିଏଣ୍ଟେଡ କିମ୍ବା କ୍ୟାରିଅର ଓରିଏଣ୍ଟେଡ କରି ରଖିବା ଉଚିତ ନୁହେଁ। ଆଜିର ସମୟରେ ମହିଳାମାନେ ସମସ୍ତ ଦାୟିତ୍ୱ ନିର୍ବାହ କରିବା ସହ ନିଜ ପାଇଁ ସମୟ କାଢି ନିଜର ସ୍ଥାପତ୍ୟ ବିସ୍ତାର କରିବା ଅତ୍ୟାବଶ୍ୟକ। ବୈଷୟିକ କ୍ଷେତ୍ର ହେଉ କିମ୍ବା ରାଜନୈତିକ କ୍ଷେତ୍ର ସମସ୍ତ ସ୍ତରରେ ନାରୀ ସଫଳତାର ସହ ନିଜର ଦାୟିତ୍ୱ ସମ୍ପନ୍ନ କରିଛି। ମହିଳା ଚାହିଁଲେ ସମାଜକୁ ପରିବର୍ତ୍ତନ କରିପାରିବେ ଏବଂ ସଠିକ୍ ଢଙ୍ଗରେ ନିଜର ପରାକାଷ୍ଠାକୁ ବିଶ୍ୱ ଦରବାରରେ ପରିପ୍ରକାଶ କରିପାରିବେ ବୋଲି ସାଇପ୍ରସନ୍ନା ବେହେରା ନିଜ ମତ ରଖିଛନ୍ତି।

Comments are closed.