୨୩ଟି ଭାଷାରେ ଘୋଷଣା ହେଲା ୨୦୧୯ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ: ୨୦୧୯ ସାହିତ୍ୟ ଏକାଡେମୀ ପୁରସ୍କାରଗୁଡ଼ିକର ବୁଧବାର ଘୋଷଣା କରାଯାଇଛି। ୨୩ଟି ଭାରତୀୟ ଭାଷା ଉପରେ ସାହିତ୍ୟ ଏକାଡେମୀ ପୁରସ୍କାରମାନ ଘୋଷିତ ହୋଇଛି। ହିନ୍ଦୀରେ ନନ୍ଦକିଶୋର ତାଙ୍କର କବିତା ‘ଚିଲତେ ହୁଏ ଅପନେକୋ’ ପାଇଁ ଓ ଇଂରାଜୀରେ ଡକ୍ଟର ଶଶି ଥରୁର୍‍ ତାଙ୍କର କାଳ୍ପନିକ କାହାଣୀ ‘An Era Of Darkness’ ପାଇଁ ପୁରସ୍କାର ପାଇଛନ୍ତି। ତାମିଲରେ ଚୋ ଧର୍ମନ୍‍ଙ୍କୁ ତାଙ୍କର ଉପନ୍ୟାସ ‘ସୂଲ୍‍’ ପାଇଁ ଓ ଗୁଜରାତିରେ ରୀତାଲାଲ ବୋରି ସାଗରଙ୍କୁ ତାଙ୍କର ପ୍ରବନ୍ଧ ‘ମୋଜାମା ରେବୁ ରେ’ ପାଇଁ ପୁରସ୍କୃତ କରାଯାଇଛି। ସଂସ୍କୃତରେ ପେନ୍ନା ମଧୁସୂଦନଙ୍କୁ ତାଙ୍କର କବିତା ‘ପ୍ରଜ୍ଞାଚକ୍ଷୁଶଂ’ ପାଇଁ ପୁରସ୍କୃତ କରାଯାଇଥିଲା ବେଳେ ଉର୍ଦ୍ଦୁରେ ଶାଫେ କିଦୱେଙ୍କୁ ତାଙ୍କର ଜୀବନୀ ‘ସାୱନେଃ ସର୍‍ ସୟଦ୍‍ : ଏକ୍‍ ବଜଦୀଦ୍‍’ ପାଇଁ ପୁରସ୍କୃତ କରାଯିବ।

ଓଡ଼ିଆରେ ତରୁଣକାନ୍ତି ମିଶ୍ର ତାଙ୍କର କ୍ଷୁଦ୍ରଗଳ୍ପ ‘ଭାସ୍ୱତୀ’ ପାଇଁ ପୁରସ୍କୃତ ହେଉଥିବା ବେଳେ ଅସମୀୟାରେ ଜୟଶ୍ରୀ ଗୋସ୍ୱାମୀ ମହନ୍ତ ତାଙ୍କର ଉପନ୍ୟାସ ‘ଚାଣକ୍ୟ’ ପାଇଁ ପୁରସ୍କୃତ ହେବେ। ବଙ୍ଗଳାରେ ଚିନ୍ମୟ ଗୁହାଙ୍କୁ ତାଙ୍କର ପ୍ରବନ୍ଧ ‘ଘୁମରଦର୍ଜା ଥେଲେ’ ପାଇଁ ପୁରସ୍କୃତ କରାଯାଉଥିବା ବେଳେ ବୋଡୋ ଭାଷାରେ ଫୁକନ୍‍ ଚ ବସୁମତାରୀଙ୍କୁ ତାଙ୍କର କବିତା ‘ଅଖାଇ ଅଥୁମ୍‍ନିଫରାଇ’ ପାଇଁ ପୁରସ୍କୃତ କରାଯାଉଛି। ଡୋଗ୍ରି ଭାଷାରେ ଓମ୍‍ ଶର୍ମା ଜନ୍‍ଦ୍ରିଆରୀଙ୍କୁ ତାଙ୍କର ପ୍ରବନ୍ଧ ‘ବାନ୍ଦ୍ରଲ୍‍ତା ଦର୍ପଣ’ ପାଇଁ ପୁରସ୍କୃତ କରାଯିବ। କନ୍ନଡ ଭାଷାରେ ବିଜୟଙ୍କୁ ତାଙ୍କର ଆତ୍ମଜୀବନୀ ‘କୁଡି ଏସାରୁ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି। କାଶ୍ମୀର ଭାଷାରେ ଅଖ ୟାଦ ଅଖ କୟାମତ କ୍ଷୁଦ୍ରଗଳ୍ପଗୁଡ଼ିକ ପାଇଁ ଅବଦୁଲ ଆହଦ୍‍ ହାଜିନିଙ୍କୁ ପୁରସ୍କୃତ କରାଯାଇଛି। କୋଙ୍କଣୀରେ ନିଲବା ଏ ଖାଣ୍ଡେକରଙ୍କୁ ତାଙ୍କର କବିତା ‘ଦ ୱାର୍ଡସ୍‍’ ପାଇଁ ପୁରସ୍କୃତ କରାଯାଇଛି। ମୈଥିଲିରେ କୁମାର ମନିଶ ଅରବୀନ୍ଦଙ୍କୁ ତାଙ୍କର କବିତା ‘ଜିଙ୍ଗିକ୍‍ ଓରିଆଓଁ କରାଇତ୍‍’ ପାଇଁ ଓ ମାଲାୟଲମରେ ଭି. ମଧୁସୂଦନନ ନାୟାରଙ୍କୁ ତାଙ୍କର କବିତା ‘ଆଚନ୍‍ ପିରାନ୍ନା ବୀଦୁ’ ପାଇଁ ପୁରସ୍କୃତ କରାଯିବ। ମଣିପୁରୀରେ ଏଲ୍‍. ବୀରମାଙ୍ଗୋଲ ସିଂହଙ୍କୁ ତାଙ୍କର ଉପନ୍ୟାସ ‘ଏଇ ଅମାଦି ଅଦୁନ୍‍ଗେଗି ଅଜୁନାହି’ ପାଇଁ ପୁରସ୍କୃତ କରାଯିବ।

ପଞ୍ଜାବୀ ପାଇଁ କିରପାଲ୍‍ କାଜାକଙ୍କୁ ତାଙ୍କର କ୍ଷୁଦ୍ରଗଳ୍ପ ‘ଅନ୍ଥୀନ’ ପାଇଁ ଓ ରାଜସ୍ଥାନୀ ରାମସ୍ୱରୂପ କିଶାନଙ୍କୁ ତାଙ୍କର କ୍ଷୁଦ୍ରଗଳ୍ପ ‘ବାରିକ ବାତ୍‍’ ପାଇଁ ପୁରସ୍କୃତ କରାଯିବ। ସାନ୍ତାଳୀ ଭାଷାରେ କାଳୀ ଚରଣ ହେମ୍ବ୍ରମ୍‍ଙ୍କୁ ତାଙ୍କର କ୍ଷୁଦ୍ରଗଳ୍ପ ‘ଶିଶିରଜାଲି’ ପାଇଁ ଓ ସିନ୍ଧୀରେ ଈଶ୍ୱର ମୁର୍ଜାନୀଙ୍କୁ ତାଙ୍କର କ୍ଷୁଦ୍ର ଗଳ୍ପ ‘ଜୀଜଲ’ ପାଇଁ ପୁରସ୍କାର କରାଯିବ। ତେଲୁଗୁରେ ବାନ୍ଦୀ ନାରାୟଣ ସ୍ୱାମୀଙ୍କୁ ତାଙ୍କର ଉପନ୍ୟାସ ‘ସେତାଭୂମୀ’ ପାଇଁ ପୁରସ୍କୃତ କରାଯିବ।

Comments are closed.