ଆଦିବାସୀଙ୍କ ପ୍ରାଣରେ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼ିବାର ସାମର୍ଥ୍ୟ ଆଣିଦେଇଥିଲା ଶହୀଦ ଲକ୍ଷ୍ମଣ ନାୟକଙ୍କ ଅସୀମ ତ୍ୟାଗ ଓ ଦେଶପ୍ରେମ

ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତ

ଭୁବନେଶ୍ୱର: ଆଦିବାସୀ ଜୀବନର ଚିରନ୍ତନ କାହାଣୀ ତଥା ଗତାନୁଗତିକତାର ପ୍ରାଚୀନକୁ ଭାଙ୍ଗି ନୂଆ ଚିନ୍ତା ଓ ଚେତନାରେ ସେମାନଙ୍କୁ ଉଦ୍‌ବୁଦ୍ଧ କରିବାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଭୂମିକା ଅବିସ୍ମରଣୀୟ । ତାଙ୍କର ଅସୀମ ତ୍ୟାଗ ଓ ଦେଶପ୍ରେମ ଆଦିବାସୀଙ୍କ ପ୍ରାଣରେ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼ିବାର ସାମର୍ଥ୍ୟ ଆଣିଦେଇଥିଲା ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉଭୟ ମଞ୍ଚ ଓ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକ ଶ୍ରାଦ୍ଧଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ଗାନ୍ଧୀଜୀଙ୍କର ଅହିଂସାକୁ ପରମ ଅସ୍ତ୍ର ଭାବେ ଗ୍ରହଣ କରି ଲକ୍ଷ୍ମଣ ନାଏକ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଉଦ୍ରେକ କରିବା ସହ ସେମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ସଚେତନ କରାଇ ପାରିଥିଲେ। ଶ୍ରାଦ୍ଧ ଉତ୍ସବରେ ସଭାପତିତ୍ୱ କରି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଥିଲେ ଲକ୍ଷ୍ମଣ ନାଏକଙ୍କ ସତ୍ୟପ୍ରୀତି ଓ ସମ୍ବେଦନଶୀଳତା ତଥା ବି୍ରଟିଶ ଶାସନର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ସାଫଲ୍ୟ କ୍ୱଚିତ ବ୍ୟକ୍ତିଙ୍କ ପାଖରେ ଦୃଷ୍ଟି ଗୋଚର ହୁଏ । ତାଙ୍କର ଅନନ୍ୟ ଦେଶପ୍ରେମ ଆଦିବାସୀଙ୍କ ମଧ୍ୟରେ ଅପୂର୍ବ ଜାଗରଣ ସୃଷ୍ଟି କରିଥିଲା । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି ଶହୀଦ ଲକ୍ଷ୍ମଣ ନାଏକଙ୍କୁ କୋରାପୁଟ ଗାନ୍ଧୀ ବା ମାଲକାନଗିରି ଗାନ୍ଧୀ ଭାବେ ଚିତ୍ରିତ କରାଯାଉଥିବାବେଳେ ତାଙ୍କର ସ୍ୱଳ୍ପ ଜୀବନକାଳ ମଧ୍ୟରେ ଦେଶାମତୃକା ପାଇଁ ଯାହା କରିଯାଇଛନ୍ତି ତାହା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ  କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଶହୀଦ ଲକ୍ଷ୍ମଣ ନାଏକଙ୍କ ତ୍ୟାଗ, ଆଦର୍ଶ ଏବଂ ଦେଶପ୍ରୀତି ଚିରଦିନ ପାଇଁ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ମନ୍ତବ୍ୟ ରଖିଥିଲେ । ଭର୍ଚୁଆଲ୍‌ ମାଧ୍ୟମରେ ସାଂସଦ ମୁନ୍ନା ଖାନ୍‌, ସାଂସଦ ସପ୍ତଗିରି ଉଲାକା, ବିଧାୟକ ପ୍ରୀତମ ପାଢ଼ୀ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଶ୍ରାଦ୍ଧ
ଦିବସରେ ସଂଯୁକ୍ତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରଘୁନାଥ ଗମାଙ୍ଗ, ବିଧାୟକ ପ୍ରକାଶ ମାଝୀ ଏବଂ ମକରନ୍ଦ ମୁଦୁଲି ସଭାରେ ଉପସ୍ଥିତ ରହି ଶହୀଦ ଲକ୍ଷ୍ମଣ ନାଏକଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବା ସହ ଭାରତ ସ୍ୱାଧୀନ କିପରି ହେବ ତାହା ହିଁ ତାଙ୍କର ସ୍ୱପ୍ନ ଏବଂ ସଂକଳ୍ପ ରହିଥିବା ବୋଲି କହିଥିଲେ ।

ଶ୍ରାଦ୍ଧ ଉତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସକାଳେ ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଏବଂ କଳିଙ୍ଗ ହସ୍‌ପିଟାଲ୍‌ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ବିଧାୟକ ରଘୁନାଥ
ଗମାଙ୍ଗ , ପ୍ରକାଶ ମାଝୀ, ମକରନ୍ଦ ମୁଦୁଲି ଏବଂ ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଏବଂ ବିଭ ଗାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ କାର୍ଯ୍ୟକ୍ରମକୁ ସୂଚନା ଅଧିକାରୀ ପ୍ରମିଳା ମାଝୀ ସଂଯୋଜନା କରିଥିବାବେଳେ ଶବରୀ ସାଂସ୍କୃତିକ ସଂସଦର ଯୁଗ୍ମ ସଂପଦାକ ନୀଳମାଧବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.