ଛତ୍ରପୁର ପୁଲିସର ସଡ଼କ ସୁରକ୍ଷା ରାଲି

ଛତ୍ରପୁର: ଟ୍ରାଫିକ ନିୟମକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗୁରୁବାର ଗଞ୍ଜାମ ଜିଲାର ଛତ୍ରପୁର ପୁଲିସ ପକ୍ଷରୁ ଛତ୍ରପୁର ଠାରେ ଏକ ସଡ଼କ ସୁରକ୍ଷା ରାଲି ଆୟୋଜିତ ହୋଇଛି। ଛତ୍ରପୁର ମିନି ଷ୍ଟାଡିୟମ ପରିସରରୁ ଏହି ରାଲି ବାହାରି ସହର ପରିକ୍ରମା କରିଥିଲା। ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ପତାକା ଦେଖାଇ ରାଲି ଆରମ୍ଭ କରିଥିଲେ।

ହେଲମେଟ ବ୍ୟବହାର କରିବା, ଟ୍ରାଫିକ ନିୟମ ପାଳନ କରିବା, ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା, କମ୍ ବୟସର ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ନ ଦେବା ଇତ୍ୟାଦି ସ୍ଲୋଗାନ ଦିଆଯାଇଥିଲା। ରାସ୍ତାରେ ଯେଉଁ ଗାଡ଼ି ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଥିଲେ ତାଙ୍କୁ ଗୋଲାପ ଫୁଲ ଦେଇ ହେଲମେଟ ବ୍ୟବହାର କରିବା ପାଇଁ କୁହାଯାଇଥିଲା। ଏହାପରେ ଷ୍ଟାଡିୟମରେ ଏକ ସଭାର ଆୟୋଜନ କରାଯାଇ ବିଭିନ୍ନ ସମୟରେ ଲୋକଙ୍କୁ ସାହାଯ୍ୟ କରିଥିବା ଚାରି ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କାର୍ୟ୍ୟକ୍ରମରେ ଅନେକ କଲେଜ ଛାତ୍ରଛାତ୍ରୀ ଟ୍ରାଫିକ ନିୟମ ମାନିବା ନେଇ ଶପଥ କରିଥିଲେ। ଏହି କାର୍ୟ୍ୟକ୍ରମକୁ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଗୌତମ କିଷାନ, ଆରଆଇ ଗଙ୍ଗାଧର ଧାଙ୍ଗର, ଛତ୍ରପୁର ଏନଏସି ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମାଲିକଙ୍କ ସମେତ ଛତ୍ରପୁରର ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଛତ୍ରପୁର ଅଟୋ ସଂଘ, କିନ୍ନର ସଂଘ ଉପସ୍ଥିତ ଥିଲେ।

Comments are closed.