ମଧ୍ୟପ୍ରଦେଶ ପରେ ରାଜସ୍ଥାନ: ରାହୁଳ ନୀରବ, ଦ୍ବିଧାରେ କଂଗ୍ରେସ

ନା ସିନ୍ଧିଆଙ୍କୁ ରୋକି ପାରିଲେ ନା ପାଇଲଟଙ୍କୁ ମନେଇବାରେ ସକ୍ଷମ ହେଲେ

  • କଂଗ୍ରେସ ଘର ଉଜୁଡ଼ୁଛି । କର୍ଣାଟକ ପରେ ମଧ୍ୟପ୍ରଦେଶ, ଏହାପରେ ରାଜସ୍ଥାନ । ଦଳ ଗୋଟିକ ପରେ ଗୋଟିଏ ଅଗ୍ନିପରୀକ୍ଷା ଦେଇ ଅତିକ୍ରମ କରୁଛି । ଯେଉଁମାନଙ୍କୁ ଆଗରେ ରଖି କଂଗ୍ରେସ ନିର୍ବାଚନ ଲଢ଼ିଥିଲା ପରବର୍ତୀ ସମୟରେ ସେମାନଙ୍କୁ ଉପେକ୍ଷା କରିବା ଦଳ ପାଇଁ ଘାତକ ହୋଇଛି । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ଓ ରାଜସ୍ଥାନରେ ସଚିନ ପାଇଲଟଙ୍କୁ ଯେଉଁ ରାହୁଳ ନିଜର ନିକଟତମ କହୁଥିଲେ ଏବଂ ଦଳର ଭବିଷ୍ୟତ ବୋଲି ବଖାଣୁଥିଲେ ସେମାନେ ଦଳଠାରୁ ଦିନକୁଦିନ ଦୂରେଇ ଯାଉଥିବାବେଳେ ରାହୁଳଙ୍କ ରହସ୍ୟମୟ ନିରବତା ଦଳକୁ ଆହୁରି କଠିନ ସ୍ଥିତିକୁ ଟାଣି ନେଉଛି । 

 

୧୪ ଜୁଲାଇ ୨୦୨୦ରେ ପ୍ରାୟ ସେହି କାହାଣୀର ପୁନରାବୃତ୍ତି ହୋଇଥିଲା, ଯାହା ୧୦ ମାର୍ର୍ଚ ୨୦୨୦ରେ କଂଗ୍ରେସ ନେତୃତ୍ବ ସମ୍ମୁଖରେ ଅଭିନୀତ ହୋଇଥିଲା । କଂଗ୍ରେସ ନେତୃତ୍ବ ୧୪ ଜୁଲାଇରେ ରାଜସ୍ଥାନର ଜନପ୍ରିୟ ଯୁବ ନେତା ସଚିନ ପାଇଲଟଙ୍କ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବାରେ ସକ୍ଷମ ହେଲା, ଯେଉଁଠି କି ମାର୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ଗଡ଼ ଭାଙ୍ଗି ଅଲଗା ​‌ହୋଇ ଯାଇଥିଲେ । କହିବାକୁ ଗଲେତ ମଙ୍ଗଳବାର କେବଳ ଏକ ସଂଯୋଗ ଥିଲା । ମାତ୍ର କଂଗ୍ରେସ ପାଇଁ ମଙ୍ଗଳ ଧ୍ବନୀ କରିଥିବା ଯୁବନେତା ଦଳରୁ ନିଜକୁ ଅଲଗା କରି ଦେଉଥିବାବେଳେ ତଥାକଥିତ ଯୁବ ନେତୃତ୍ବ ପାଇଁ ଦଳର ବଡ଼ବଡ଼ ନେତା ସବୁକିଛି ବାଜିରେ ଲଗାଇ ଦେଉଥିବା ଦେଖାଯାଉଥିଲା, ସେହି ଯୁବ ନେତା ଏଣେତେଣେ ଅନ୍ୟ ପ୍ରସଙ୍ଗରେ ଟ୍ବିଟ୍ ପରେ ଟ୍ବିଟ୍ କରୁଥିବା ଦେଖାଯାଇଛି । ନାଁ ସେତେବେଳେ ସେ ମଧ୍ୟପ୍ରଦେଶ ପ୍ରସଙ୍ଗରେ କିଛି କହି ପାରିଲେ ନା କରି ପାରିଲେ, ନା ରାଜସ୍ଥାନ ପ୍ରସଙ୍ଗରେ ସେ ମୁହଁ ଖୋଲିଲେ। କିନ୍ତୁ ଏକ ସମୟରେ କୁହାଯାଉଥିଲା ଯେ ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ଓ ରାଜସ୍ଥାନର ସଚିନ ପାଇଲଟ୍ ତାଙ୍କର ଡ଼ାହାଣ ଓ ବାଁ ହାତ ବୋଲି କୁହାଯାଉଥିଲା ।

ହଁ, ଏ କଥା ରାହୂୁଳଙ୍କ ପ୍ରସଙ୍ଗରେ କୁହାଯାଉଛି ଓ ଦଳ ପାଇଁ ଆଶାର କିରଣ ଦେଖାଉଥିବା ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରସଙ୍ଗ ମଧ୍ୟ କହିବା ଅନୁଚିତ ହେବ ନାହିଁ । ଗାନ୍ଧି ପରିବାରର ଏହି ଭାଇ-ଭଉଣୀ କଂଗ୍ରେସର କୂଳ ଦୀପକ ଓ ତାଙ୍କର ନେତୃତ୍ବ ପୁଣିଥରେ ଦେଶରେ କଂଗ୍ରେସକୁ କ୍ଷମତାସୀନ କରିବ ବୋଲି ଦଳର ଅନେକ ବରିଷ୍ଠ ନେତା ଏବେ ବି ଆଶା ବାନ୍ଧି ବସିଛନ୍ତି । ଜୁଲାଇ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ରାଜନୈତିକ ବାତାବରଣ ସାରା ଦେଶକୁ ଉଷ୍ଣ କରି ରଖିଥିଲା, ଦଳରେ ବରିଷ୍ଠ ନେତାମାନେ ରାଜସ୍ଥାନ ସରକାରକୁ ବଞ୍ଚାଇବା ପାଇଁ ଅହରହ ଉଦ୍ୟମ କରୁଥିଲେ । ମାତ୍ର ରାହୁଳ ଓ ପ୍ରିୟଙ୍କା ଏହି ସମୟରେ ରାଜସ୍ଥାନ ପ୍ରସଙ୍ଗରେ ରହସ୍ୟମୟ ଭାବରେ ନିରବତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଥିଲା । ଏକ ସମୟରେ ପ୍ରିୟଙ୍କା ୧୪ ତାରିଖ ଜୟପୁରରେ ଏହି ସମସ୍ୟାର ସମାଧାନ ନିମନ୍ତେ ସଚିନଙ୍କ ସହ ଆଲୋଚନା କରିବେ ବୋଲି ପ୍ରଚାର ହୋଇଥିଲେ ମଧ୍ୟ ସେପରି କିଛି ଘଟିଲା ନାହିଁ । ଶେଷରେ ସଚିନ ପାଇଲଟଙ୍କୁ ବିଦ୍ରୋହୀ ଘୋଷଣା କରାଯାଇ ତାଙ୍କଠାରୁ ରାଜ୍ୟ ସଭାପତି ଓ ଉପମୁଖ୍ୟମନ୍ତ୍ରୀ ପଦ ଛଡ଼ାଇ ନିଆଗଲା । ତାଙ୍କର ଦୁଇ ଘନିଷ୍ଠ ସହଯୋଗୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଗଲା ।

ପାଇଲଟ ପ୍ରସଙ୍ଗ ରାଜସ୍ଥାନ ରାଜନୀତିକୁ ଦୋହଲାଇ ଦେଇଛି । ଏହି ଧକ୍କା ସମ୍ଭାଳିବାରେ ରାଜ୍ୟ କଂଗ୍ରେସ କେତେ ସଫଳ ହେବ, ସରକାର କେତେ ମୁକାବିଲା କରିପାରିବେ ତାହା ତ ଭବିଷ୍ୟତ ହିଁ କହିବ । ୧୯ ମାସ ପୂର୍ବରୁ ଦୁଇ ରାଜ୍ୟରେ ଦୁଇ ଅସମଞ୍ଜସ୍ୟ ଯୋଡ଼ିକୁ ରାହୁଳ ଏକାଠି କରିବାକୁ ସକ୍ଷମ ହୋଇଥିଲେ । ସେତେବେଳେ ଏହାର ଶ୍ରେୟ ରାହୁଳଙ୍କୁ ଯାଇଥିଲା । ମାତ୍ର ଏବେ ଗୋଟିଏ ରାଜ୍ୟରେ ସରକାର ଯାଇଛି ଓ ଅନ୍ୟ ଗୋଟିଏ ରାଜ୍ୟରେ ସରକାର ଟଳମଳ ହେଉଥିବାବେଳେ ରାହୁଳ କାହିଁକି ନିରବ ତାହାର ଉତ୍ତର କେହି ଦେଇ ପାରୁନାହାନ୍ତି ।

୧୩ ଡ଼ିସେମ୍ବର ୨୦୧୮ରେ ରାହୁଳ ମଧ୍ୟପ୍ରଦେଶରେ ନୂଆ ଫର୍ମୁଲାରେ ଏକ ନୂଆ ଯୋଡ଼ି ସୃଷ୍ଟି କରିଥିଲେ । ଏ ସମ୍ପର୍କରେ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରିବା ସହ ଲିଓ ଟଲଷ୍ଟୟଙ୍କର ଏକ ଉଦ୍ଧୃତି ଉଲ୍ଲେଖ କରିଥିଲେ – ଧୈର୍ଯ୍ୟ ଓ ସମୟ ସବୁଠାରୁ ବଳଶାଳୀ ଯୋଦ୍ଧା ।

ମାତ୍ର ସମୟ ରାହୁଳଙ୍କ ଏହି ସ୍ବପ୍ନକୁ ଲିଭାଇ ଦେଲା ଓ ନିଜକୁ ପୁଣିଥରେ ବଳଶାଳୀ ବୋଲି ପ୍ରମାଣିତ କରିଦେଲା । ଧୈର୍ଯ୍ୟ ଓ ସମୟ ହାତରୁ ଖସିଗଲା ଓ ଏହି ଯୋଡ଼ି ମାର୍ଚରେ ଭାଙ୍ଗିଗଲା । ହୋଲିରେ ହୃଦୟ ତ ମିଶିଲା ନାହିଁ, କିନ୍ତୁ ଯୋଡ଼ି ଭାଙ୍ଗିଗଲା । ଏହା ସହିତ ମଧ୍ୟପ୍ରଦେଶରେ ସରକାର ବି ହାତରୁ କସିଗଲା । ସେତେବେଳେ ରାହୁଳ କିଛି ବି କହିଲେ ନାହିଁ, ଏହି ପ୍ରସଙ୍ଗରେ ତୁଣ୍ଡ ଖୋଲିଲେ ନାହିଁ । ଏକଦା ନିଜର ଘନିଷ୍ଠ କୁହାଯାଉଥିବା ଜ୍ୟୋତିରାଦିତ୍ୟଙ୍କୁ ରୋକିବାରେ ରାହୁଳ ସଫଳ ହୋଇ ପାରିଲେ ନାହିଁ ।

୧୪ ଡ଼ିସେମ୍ବର ୨୦୧୮ରେ ରାହୁଳ ଦିନକ ତଳେ କମଳନାଥ ଓ ସିନ୍ଧିଆଙ୍କ ଛବି ପରି ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ଏକ ଛବି ମଧ୍ୟ ନିଜ ଟ୍ବିଟରରେ ପୋଷ୍ଟ କରିଥିଲେ । ଅଭିବ୍ୟକ୍ତି ଠିକ୍ ପୂର୍ବଦିନ ପରି ଥିଲା । ମଝିରେ ରାହୁଳ ଓ ଦୁଇ ପାଶ୍ବର୍ର୍ରେ ରାଜସ୍ଥାନର ନୂଆ ଯୋଡ଼ି । ଏଥିରେ ରାହୁଳ ଲେଖିଥିଲେ – ରାଜସ୍ଥାନରେ ଏକତାର ରଙ୍ଗ । ବରିଷ୍ଠ ଓ ଯୁବକଙ୍କୁ ନେଇ ଦଳ ଆଗକୁ ବଢ଼ିବ ବୋଲି ଆଶା କରାଯାଉଥିଲା, ଆଶା କରାଯାଉଥିଲା ଦୁଇ ବିପରୀତମୁଖୀ ଶକ୍ତି ଏକମୁଖୀ ହୋଇ ଦଳକୁ ଆଗକୁ ନେବାକୁ ସକ୍ଷମ ହେବେ ।

ମାତ୍ର ସେମିତି କିଛି ଘଟିଲା ନାହିଁ । ଆରମ୍ଭରୁ ଘର ଭିତରେ ଖଟଖଟ୍ ଲାଗି ରହିଥିଲା । ଆଶା କରାଯାଉଥିଲା ଦଳରେ କିଛି ବିଭ୍ରାଟ ଘଟିଲେ ରାହୁଳ-ପ୍ରିୟଙ୍କା, ନ ହେଲେ ସୋନିଆ ପରିସ୍ଥିତିକୁ ସମ୍ଭାଳି ନେବେ । ମାତ୍ର ସେପରି କିଛି ହେଲା ନାହିଁ । ୨୦୧୮ର ଏକତାର ରଙ୍ଗ ୨୦୨୦ ମଧ୍ୟଭାଗରେ ହୋଲିରେ ବୋହିଗଲା । ରାହୁଳ ନିରବ ରହିଲେ ଓ ପାଇଲଟଙ୍କ ସହ ଆଲୋଚନା କଲେ ନାହିଁ ଏବଂ ଶେଷରେ ତାଙ୍କ ଲାଗି ଆତ୍ମନିର୍ଭର ହେବା ପାଇଁ ବିକଳ୍ପ ସୁଯୋଗ ସୃଷ୍ଟି କଲେ ।

୧୧ ଜୁଲାଇରୁ ୧୪ ଜୁଲାଇ ମଧ୍ୟରେ ରାହୁଳ ୯ଟି ଟ୍ବିଟ୍ କରିଥିଲେ । ମାତ୍ର ଏହାମଧ୍ୟରୁ ଗୋଟିଏରେ ମଧ୍ୟ ରାଜସ୍ଥାନ ପ୍ରସଙ୍ଗ କିମ୍ବା ଗେହଲଟ-ପାଇଲଟ ପ୍ରସଙ୍ଗ ସ୍ଥାନ ପାଇ ନ ଥିଲା । ୧୪ ଜୁଲାଇରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏକ ସତର୍କତାକୁ ନେଇ ସେ ଗୋଟିଏ ଟ୍ବିଟ୍ କରିଥିଲେ । ୧୩ ଜୁଲାଇରେ ରାହୁଳ ୩ଟି (କରୋନା ଗ୍ରାଫ୍, ଚୀନ-ଭାରତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ), ୧୨ ଜୁଲାଇରେ ଗୋଟିଏ ଟ୍ବିଟ୍ (ୱେୟାର ଖବରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରଶ୍ନବାଚୀ) ଓ ୧୧ ଜୁଲାଇରେ ୩ଟି (ଧରାବୀ ମଡ଼େଲ, ମୋଦୀଙ୍କୁ ସମାଲୋଚନା ଓ ରିୱା ସୌର ପ୍ରକଳ୍ପ) ଟ୍ବିଟ୍ କରିଥିଲେ । ମାତ୍ର ରାଜସ୍ଥାନ ପ୍ରସଙ୍ଗରେ ସେ ସମ୍ପୂର୍ଣ୍ଣ ନିରବ ରହିଥିଲେ। ଅନୁରୂପ ଭାବରେ ପ୍ରିୟଙ୍କାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି । ଏହି ସମୟରେ ପ୍ରିୟଙ୍କା ଜାତୀୟ ଓ ଉତ୍ତରପ୍ରଦେଶକୁ ନେଇ କିଛି ଟ୍ବିଟ୍ କରିଛନ୍ତି, କିନ୍ତୁ କୌଣସିଥିରେ ରାଜସ୍ଥାନ ବା ପାଇଲଟଙ୍କ ପ୍ରସଙ୍ଗ ସ୍ଥାନ ପାଇନାହିଁ ।

Comments are closed.