ବିବାଦ ପରେ ମଧ୍ୟ ବଢୁଛି ଶାବରିମାଳା ମନ୍ଦିରର ଆୟ : ୨୦ ଦିନରେ ୬୯ କୋଟି ଟଙ୍କା

କେରଳ : କେରଳର ପ୍ରସିଦ୍ଧ ଶାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଏବେ ମଧ୍ୟ ଜାରି ରହିଛି। ବିବାଦ ପରେ ମଧ୍ୟ ମନ୍ଦିରର ଆୟରେ କୌଣସି ଫରକ ପଡିନଥିବା ଦେଖାଯାଇଛି। ଏପରିକି ମାତ୍ର ୨୦ଦିନରେ ୬୯କୋଟି ଟଙ୍କାର ଆୟ କରାଯାଇଥିବା ଜଣାପଡିଛି।

ଏନେଇ ଧର୍ମସ୍ଥଳ ମାମଲାର ପ୍ରବନ୍ଧକ ତ୍ରାବଣକୋର ଦେବଶ୍ୟମ ବୋର୍ଡ(ଟିଡିପି) ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ଡିସେମ୍ବର ୬ପର୍ୟ୍ୟନ୍ତ ମନ୍ଦିରର ରାଜସ୍ବ ୬୯.୩୯କୋଟି ଟଙ୍କା ପହଞ୍ଚିଛି। ଏହା ୨୦୧୮-୧୯ତିର୍ଥଯାତ୍ରୀଙ୍କ ଠାରୁ ହୋଇଥିବା ଆୟ ଠାରୁ ୨୭.୫୫କୋଟି ଟଙ୍କା ଅଧିକ।
ଟିଡିପିର ଜଣେ ସଦଶ୍ୟ ବିଜୟ କୁମାର ଏନେଇ କହିଛନ୍ତି, ଗତବର୍ଷ ଏହି ସମୟରେ ମନ୍ଦିରର ରାଜସ୍ବ ୪୧.୮୪କୋଟି ଟଙ୍କା ଥିଲା। ଏହି ପବିତ୍ର ସ୍ଥଳକୁ ମଣ୍ଡଳ ପୂଜା ପାଇଁ ୧୬ନଭେମ୍ବରରେ ଖୋଲାଯାଇଥିଲା। ତେବେ ଅରବନ ପ୍ରସାଦର ବିକ୍ରିରେ ୨୮.୨୬କୋଟି ଟଙ୍କା ଆୟ ହୋଇଥିବାବେଳେ ଅପ୍ପମ ପ୍ରସାଦ ବିକ୍ରିରୁ ୪.୨କୋଟି ଟଙ୍କାର ଆୟ ହୋଇଛି। ସେହିଭଳି ହୁଣ୍ଡିରୁ ୨୩.୫୮କୋଟି ଟଙ୍କାର ଆୟ ହୋଇଛି।
ଉଲ୍ଲେଖ ଯୋଗ୍ୟ, ପୂରାତନ ପରମ୍ପରାକୁ ଭାଙ୍ଗି ସୁପ୍ରିମକୋର୍ଟ ଏଠାରେ ସବୁ ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ବିରୋଧ ତୀବ୍ର ରୂପ ଧାରଣ କରିବା ସହ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା।

Comments are closed.