ଆଫଗାନିସ୍ତାନକୁ ସାମିଲ କରିବାକୁ ପାକିସ୍ତାନର ଦାବି ପରେ ସାର୍କ ବୈଠକ ବାତିଲ

ନ୍ୟୁୟର୍କ: ଆତଙ୍କିଙ୍କର ମୁରବି ସାଜିଛି ପାକିସ୍ତାନ। ଆଫଗାନିସ୍ତାନରେ ତାଲିବାନ ଆତଙ୍କିଙ୍କ ଦ୍ୱାରା ଶାସନ କ୍ଷମତା ଦଖଲ ପଛରେ ମୁଖ୍ୟ ଭୂମିକା ନେଇଥିବା ପାକିସ୍ତାନ ଏବେ ସେହି ଆତଙ୍କିଙ୍କୁ ଆନ୍ତର୍ଜାତିକ ସ୍ୱୀକୃତି ପ୍ରଦାନ ଉଦ୍ୟମରେ ଲାଗି ପଡିଛି। ଜଣାଯାଇଛି ଯେ ଗତ ଶନିବାର ଦିନ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ) ରାଷ୍ଟ୍ରଗୁଡିକର ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ଅନୁଷ୍ଠିତ ହେବାର ଥିଲା। ସଂପ୍ରତି ତାଲିବାନ ଗୋଷ୍ଠୀ ଆନ୍ତର୍ଜାତିକ ସ୍ୱୀକୃତି ପାଇନଥିବାରୁ ସାର୍କ ସଦସ୍ୟ ରାଷ୍ଟ୍ରମାନେ ବୈଠକରେ ଆଫଗାନିସ୍ତାନ ପାଇଁ ଏକ ଚୌକି ଖାଲି ରଖିବାକୁ ରାଜି ହୋଇଥିଲେ। କିନ୍ତୁ ପାକିସ୍ତାନ ଏଥିରେ ଆପତ୍ତି ଦର୍ଶାଇଥିଲା। ଫଳସ୍ୱରୂପ ସାର୍କ ବୈଠକକୁ ବାତିଲ କରିଦିଆଯାଇଥିଲା। ପାକିସ୍ତାନ ଉକ୍ତ ବୈଠକରେ ଆଫଗାନିସ୍ତାନ ପକ୍ଷରୁ ତାଲିବାନ ନେତୃତ୍ୱଙ୍କ ଉପସ୍ଥିତି ଦାବି କରିଥିଲା। ତେବେ ଭାରତ ସମେତ ସାର୍କର ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ଏହାକୁ ବିରୋଧ କରିବାରୁ ବୈଠକ ବାତିଲ ହୋଇଯାଇଥିଲା। ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ) ବୈଠକ ସମୟରେ ଏହା ଆୟୋଜିତ ହେବାର ଥିଲା। ଚଳିତ ବର୍ଷ ନେପାଳ ଏହି ବୈଠକ ଆୟୋଜନ କରିଥାନ୍ତା। ସୂଚନାଯୋଗ୍ୟ ଯେ ଭାରତ ସମେତ ବିଶ୍ୱ ନେତୃବୃନ୍ଦ ତାଲିବାନ ସରକାରକୁ ସ୍ୱୀକୃତି ଦେଇନାହାନ୍ତି। ତାଲିବାନ ନେତୃତ୍ୱରେ ଆଫଗାନିସ୍ତାନରେ ଗଠନ କରାଯାଇଥିବା ସରକାରରେ ଅମିର ଖାଁ ମୁତ୍ତାକିଙ୍କୁ ବୈଦେଶିକ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ତେବେ ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଜାତିସଂଘ ବୈଠକଗୁଡିକ ସକାଶେ ସେ ପ୍ରତିନିଧିତ୍ୱ କରିବାର ନଥିଲା।
ଏହା ପୂର୍ବରୁ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଆଫଗାନିସ୍ତାନରେ ତାଲିବାନ ସରକାର ଏକ ସମାବେଶୀ ସରକାର ନୁହେଁ। ସମଗ୍ର ବିଶ୍ୱ କାବୁଲରେ ତାଲିବାନ ସରକାରକୁ ସ୍ୱୀକୃତି ଦେବା ପୂର୍ବରୁ ଚିନ୍ତା କରିବା ଉପରେ ମୋଦି ଜୋର ଦେଇଥିଲେ। ଇତିମଧ୍ୟରେ ଆମେରିକାର ଅନେକ ରାଷ୍ଟ୍ର କହିସାରିଛନ୍ତି ଯେ ତାଲିବାନର କାର୍ଯ୍ୟକଳାପ ଆଧାରରେ ସେହି ଗୋଷ୍ଠୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସାର୍କରେ ବାଂଲାଦେଶ, ଭୁଟାନ, ଭାରତ, ମାଳଦ୍ୱୀପ, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଆଦି ରାଷ୍ଟ୍ର ସଦସ୍ୟ ଅଛନ୍ତି।

Comments are closed.