ଭାରତକୁ ୯ ରନ୍‌ରେ ହରାଇଲା ଦକ୍ଷିଣ ଆଫ୍ରିକା

ପ୍ରଥମ ଦିନିକିଆ : କ୍ଲାସେନ୍‌, ମିଲରଙ୍କ ଅପରାଜିତ ଅର୍ଦ୍ଧଶତକ; ସାମ୍‌ସନଙ୍କ ୮୬* ନିଷ୍ଫଳ

ଲକ୍ଷ୍ନୌ : ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରି ଗୁରୁବାର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୯ ରନ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ହେନ୍‌ରିକ୍ କ୍ଲାସେନ୍‌ ଓ ଡେଭିଡ୍‌ ମିଲରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟରେ ୨୪୯ ରନ୍‌ କରିଥିଲା। ପରେ ସଞ୍ଜୁ ସାମ୍‌ସନଙ୍କ ଅପରାଜିତ ୮୬ ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ୮ ୱିକେଟରେ ୨୪୦ ରନ୍‌ କରି ପାରିଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଜିତି ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ର ଦିନିକିଅା ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଭାରତର ପ୍ରମୁଖ ଖେଳାଳି ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିବା ବେଳେ ବାକି ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲା। ରବିବାର ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ।
୨୫୦ ରନ୍‌ ଲକ୍ଷ୍ୟରେ ଭାରତ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୫ ଓଭରରେ ମାତ୍ର ୮ ରନ୍‌ ଥିବା ବେଳେ ଶୁବ୍‌ମାନ ଗିଲ୍‌ ୩ ଓ ଅଧିନାୟକ ଶିଖର ଧାୱନ ୪ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଦିନିକିଆ ପଦାର୍ପଣ କରିଥିବା ଋତୁରାଜ ଗାଏକ୍‌ୱାଡ ଓ ଈଶାନ୍ କିଷନ୍‌ ଧିମା ବ୍ୟାଟିଂ କରି ୧୧.୩ ଓଭରରେ ମାତ୍ର ୪୦ ରନ୍‌ ଯୋଡ଼ିଥିଲେ। ଋତୁରାଜ ୪୨ ବଲ୍‌ରୁ ୧୯ ଓ କିଷନ୍‌ ୩୭ ବଲ୍‌ରୁ ୨୦ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ପରେ ଶ୍ରେୟାସ ଆୟର ଆକ୍ରମଣ କରିଥିବା ବେଳେ ସେଟ୍‌ ହେବା ପରେ ସଞ୍ଜୁ ସାମ୍‌ସନ ମଧ୍ୟ ସଟ୍‌ ଖେଳିଥିଲେ। ୯ ଓଭରରେ ଦୁହେଁ ୬୭ ରନ୍‌ ଯୋଡ଼ିଥିଲେ। ଆୟର ମାତ୍ର ୩୭ ବଲ୍‌ରୁ ୮ଟି ଚୌକା ସହ ୫୦ ରନ୍‌ କରିଥିଲେ। ସାର୍ଦୁଳ ଠାକୁର ଓ ସାମ୍‌ସନ ୬ଷ୍ଠ ୱିକେଟ ପାଇଁ ୧୧ ଓଭରରେ ୯୩ ରନ୍‌ ଯୋଡ଼ି ଦଳର ବିଜୟ ଆଶା ବଜାୟ ରଖିଥିଲେ। ସାର୍ଦୁଳ ୩୧ ବଲ୍‌ରୁ ୫ଟି ଚୌକା ସହ ୩୩ ରନ୍‌ କରି ଆଉଟ୍‌ ହେବା ଦଳ ପାଇଁ ଶକ୍ତ ଧକ୍କା ଥିଲା। ଶେଷ ଓଭରରୁ ୩୧ ରନ୍‌ ଆବଶ୍ୟକ ଥିବା ବେଳେ ସଞ୍ଜୁ ସାମ୍‌ସନ ୨୦ ରନ୍‌ ନେଇଥିଲେ। ସାମ୍‌ସନ ୬୩ ବଲ୍‌ରୁ ୩ଟି ଛକା ଓ ୯ଟି ଚୌକ ସହ ୮୬ ରନ୍‌କରି ଅପରାଜିତ ଥିଲେ। ଲୁଙ୍ଗି ଏନ୍‌ଗିଡି ୩ଟି ଓ କାଗିସୋ ରାବାଡା ୨ଟି ୱିକେଟ ନେଇଥିଲେ। ହେନ୍‌ରିକ୍ କ୍ଲାସେନ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ବର୍ଷା ଯୋଗୁଁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହେବାରୁ ୪୦ ଓଭରର ହୋଇଥିଲା। ଟସ୍ ଜିତି ଭାରତ ଫିଲ୍‌ଡିଂ ନେବା ପରେ ଏହାର ପେସ୍ ବୋଲର ଚମତ୍କାର ବୋଲିଂ କରିଥିଲେ। ତଥାପି ୧୩ଶ ଓଭରରେ ଦକ୍ଷିଣ ଆଫ୍ରିକା ପ୍ରଥମ ୱିକେଟ ହରାଇଥିଲା। ୟାନେମାନ ମଲାନ୍‌ ୪୨ ବଲ୍‌ରୁ ୨୨ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟକ ତେମ୍ବା ବଭୁମା ୮ ଓ ଐଡେନ ମାର୍କରାମ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। କ୍ବିଣ୍ଟନ ଡି କକ୍‌ ୫୪ ବଲ୍‌ରୁ ୫ଟି ଚୌକା ସହ ୪୮ ରନ୍‌ କରିଥିଲେ। ୧୧୦ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ହେନ୍‌ରିକ୍ କ୍ଲାସେନ୍‌ ଓ ଡେଭିଡ୍‌ ମିଲର ଲଢ଼ୁଅା ବ୍ୟାଟିଂ କରିଥିଲେ ଏବଂ ଇନିଂସ୍ ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିବାରୁ ଦଳ ୨୪୯ ରନ୍‌ କରି ପାରିଥିଲା। ଦୁହେଁ ଅବିଭାଜିତ ୫ମ ୱିକେଟ ପାଇଁ ୧୭.୪ ଓଭରରୁ ୧୩୯ ରନ୍‌ ଯୋଡ଼ିଥିଲେ। କ୍ଲାସେନ୍‌ ୬୫ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୭୪ ଏବଂ ବାମହାତି ଡେଭିଡ୍‌ ମିଲର ୬୩ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୭୫ ରନ୍‌କରି ଅପରାଜିତ ଥିଲେ। ସାର୍ଦୁଳ ଠାକୁର ୨ଟି ୱିକେଟ ନେଇଥିଲେ।

Comments are closed.