ଦକ୍ଷିଣ ଏସୀୟ କ୍ରୀଡ଼ା : ଖୋଖୋ ଚମ୍ପିଆନ ଭାରତ ଦଳରେ ସସ୍ମିତା ଓ ସତ୍ୟଜିତ

ଭୁବନେଶ୍ବର/କାଠମାଣ୍ଡୁ : ନେପାଳର କାଠମାଣ୍ଡୁଠାରେ ଚାଲିଥିବା ତ୍ରୟୋଦଶତମ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ପଦକ ହାସଲ କରିଛନ୍ତି ସତ୍ୟଜିତ ସିଂ ଓ ସସ୍ମିତା ନାଥଶର୍ମା। ପ୍ରତିଯୋଗିତାର ପୁରୁଷ ଓ ମହିଳା ଖୋଖୋ ବିଭାଗରେ ଭାରତ ଚମ୍ପିଆନ ହୋଇଛି। ଭାରତୀୟ ଦଳ ପକ୍ଷରୁ ଦୁଇ ଓଡ଼ିଆ ଖେଳାଳି ସତ୍ୟଜିତ ପୁୁରୁଷ ଓ ସସ୍ମିତା ମହିଳା ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ବୁଧବାର ଖେଳାଯାଇଥିବ​‌ା ପୁରୁଷ ବିଭାଗ ଫାଇନାଲରେ ଭାରତ ବାଂଲାଦେଶକୁ ଓ ମହିଳା ବିଭାଗରେ ଭାରତ ନେପାଳକୁ ପରାସ୍ତ କରି ଚମ୍ପିଆନ ହୋଇଛି। ପୁରୁଷ ବର୍ଗରେ ସତ୍ୟଜିତ ଓ ମହିଳା ବର୍ଗରେ ସସ୍ମିତା ପ୍ରତିଯୋଗିତାରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଭାରତକୁ ଚମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏହି ସଫଳତା ଲାଗି ଓଡ଼ିଶା ଖୋଖୋ ଆସୋସିଏସନ ସଭାପତି ନାରାୟଣ ପାତ୍ର, ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ, କ୍ରୀଡ଼ା ନିର୍ଦେଶକ ଆର. ଭିନିଲ କ୍ରିଷ୍ଣା, ଓଡ଼ିଶା ଖୋଖୋ ଆସୋସିଏସନ ମୁଖ୍ୟ ଉପଦେଷ୍ଟା ଆଶୀର୍ବାଦ ବେହେରା ପ୍ରମୁଖ ସତ୍ୟଜିତ ଓ ସସ୍ମିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି ବୁଧବାର ମଧ୍ୟ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ବୁଧବାର ପୁରୁଷ ଓ ମହିଳା ଡିସ୍‌କସ୍‌ ଥ୍ରୋରେ ଭାରତୀୟ ଖେଳାଳି ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ବିଭାଗରେ ଭାରତର କ୍ରିପାଲ୍‌ ସିଂହ ୫୭.୯୯ ମିଟରକୁ ଡିସକସ୍‌ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଗଗନଦୀପ ସିଂହ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ମହିଳା ବିଭାଗ ଡିସକସ୍‌ରେ ଭାରତର ନବଜୀତ୍‌ କୌର୍‌ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ସୌରଭି ବିଶ୍ବାସ ରୌପ୍ୟ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ସେହିପରି ପୁରୁଷ ଲଙ୍ଗଜମ୍ପରେ ଭାରତର ଲୋକେସ୍‌ ସନ୍ଥୟା ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଅନ୍ୟତମ ଭାରତୀୟ ସ୍ବାମୀନାଥନ୍‌ ରୌପ୍ୟ ପଦକ ଜିତିଛନ୍ତି। ମହିଳା ଲଙ୍ଗଜମ୍ପରେ ଭାରତର ସାନ୍ଦ୍ରା ବାବୁ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ମହିଳା ୨୦୦ ମିଟର ଦୌଡ଼ରେ ଭାରତର ଅର୍ଚ୍ଚନା ସୁସନେତ୍‌ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଚନ୍ଦ୍ରଲେଖା ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ପୁରୁଷ ୧୦ ହଜାର ମିଟର ଦୌଡ଼ରେ ସୁରେଶ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି।

Comments are closed.