ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଏସ୍‌. ଆଶ୍ୱଥୀ

ଭୁବନେଶ୍ୱର : ଆଜି ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଏସ୍‌. ଆଶ୍ୱଥୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବା ପରେ ଶାସନ ସଚିବ ଏସ୍‌. ଆଶ୍ୱଥୀ ବିଭାଗୀୟ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କୁ ତାଙ୍କ ଲୋକସେବା ଭବନସ୍ଥିତ ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ।

ମନ୍ତ୍ରୀ ଶ୍ରୀ ଦାଶଙ୍କ ସହ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା ଆଦି ବାବଦରେ ସେ ଆଲୋଚନା କରିଥିଲେ। ବିଭାଗକୁ ଅଧିକ କ୍ରିୟାଶୀଳ କରି ଶିକ୍ଷା କ୍ଷେତ୍ରରେ ରାଜ୍ୟକୁ ଏକ ଉଚ୍ଚତର ସୋପାନକୁ ନେବା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ଶାସନ ସଚିବଙ୍କୁ ପରାମର୍ଶ ଦେଇଥିଲେ। ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ସମୟରେ ବିଭାଗରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରମୁଖ ଯୋଜନା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।

Comments are closed.