କେଜରିୱାଲଙ୍କ ନୂଆ ରୂପ; ତୃତୀୟ ପାଳିରେ ବିନା ଟୋପିରେ ଶପଥ ଗ୍ରହଣ

ସମାଜ ପୋର୍ଟାଲ ଡେସ୍କ(ବୈଜୟନ୍ତୀ ନାୟକ): ଏଥରକୁ ମିଶାଇ ତୃତୀୟ ଥର ପାଇଁ ଆମ୍‍ ଆଦ୍‍ମୀ ପାର୍ଟିର ଆବାହକ ଅରବିନ୍ଦ କେଜରିୱାଲ ଦିଲ୍ଲୀର ସିଂହାସନ ଆରୋହଣ କରିଛନ୍ତି। ପୂର୍ବରୁ ସେ ୨୦୧୩ ଏବଂ ୨୦୧୫ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ସେହି ଦୁଇଟି  ଶପଥ ଗ୍ରହଣ ଉତ୍ସବ ଓ ଆଜିର ଶପଥ ଗ୍ରହଣ ଉତ୍ସବରେ କିଛି ପରିବର୍ତ୍ତନ ସହ ନୂତନ ରୂପ ପରିଲକ୍ଷିତ ହୋଇଛି। ଏହାକୁ ନେଇ ଆମର ବିଶେଷ ରିପୋର୍ଟ……

ଅରବିନ୍ଦ କେଜରିୱାଲ ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମେ ମଇଦାନକୁ ଓହ୍ଲାଇଥିଲେ। ୧୫ ବର୍ଷଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଶୀଲା ଦୀକ୍ଷିତଙ୍କୁ ୨୫ହଜାରରୁ ଅଧିକ ଭୋଟରେ ହରାଇ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୮ ଡିସେମ୍ବର ୨୦୧୩ରେ କେଜରିୱାଲ ଦିଲ୍ଲୀର ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

୨୦୧୫ ଦିଲ୍ଲୀ ବିଧାନ ସଭା ନିର୍ବାଚନରେ ଆପ୍ ଦଳ ପୂର୍ଣ୍ଣ ବହୁମତ ସହିତ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ୨୦୧୫ ଫେବୃଆରୀ ୧୪ ତାରିଖରେ ସେ ଦ୍ବିତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଦୁଇଟି ଶପଥ ଗ୍ରହଣ ଉତ୍ସବରେ କେଜରିୱାଲ ଦଳୀୟ ଟୋପି ପିନ୍ଧିଥିବା ଦେଖିବାକୁ ମିଳିଥିଲା।

୨୦୨୦ ଫେବୃୟାରୀ ୧୬ ଅର୍ଥାତ୍ ଆଜି କେଜରିୱାଲ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ଏଥର ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ମୁଣ୍ଡରେ ଦଳୀୟ ଟୋପି ଦେଖିବାକୁ ମିଳିନଥିଲା। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଶପଥ ଗ୍ରହଣ କରିଥିବା ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ନେତାମାନେ ମଧ୍ୟ ଦଳୀୟ ଟୋପି ପିନ୍ଧି ନଥିଲେ। ଏହାକୁ ନେଇ ସ୍ପଷ୍ଟ ବାରି ହେଉଛି ଯେ, ତୃତୀୟ ପାଳିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜିରୱାଲ ରାଜନୀତିରେ କିଛି ପରିବର୍ତ୍ତନ ଆଣିବେ। ଅଥବା ନିଆରା ଢଙ୍ଗରେ ସେ ରାଜନୀତି ଗୋଟି ଚଳାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରେ ମଧ୍ୟ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ପୂର୍ବରୁ କେଜିରୱାଲ ଇନସାନିୟତ୍ କୁ ନେଇ ଭାଷଣ ଦେଉଥିବା ବେଳେ ଆଜି ସେ ନିଜକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ସବୁ ଦଳର କର୍ମୀଙ୍କ ମୁଖ୍ୟମନ୍ତ୍ରୀ ବୋଲି କହି ଭାଷଣ ଆରମ୍ଭ କରିଥିଲେ। ଅଭିଭାଷଣ ଶେଷରେ ‘ହାମ୍ ହୋଙ୍ଗେ କାମୟାବ୍’ ଗୀତ ଗାଇଥିଲେ।

Comments are closed.