ଚଳିତ ସପ୍ତାହରେ ସାଧାରଣ ଲୋକଙ୍କୁ କରୋନା ଟୀକା: ରୁଷ ସରକାର ଆରମ୍ଭ କଲେ ପ୍ରସ୍ତୁତି

ସାରା ବିଶ୍ବରେ କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ରୁଷରୁ ଆସିଛି ଭଲ ଖବର । ରୁଷ ସରକାରଙ୍କର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ ଦେଶର ସାଧାରଣ ଲୋକଙ୍କୁ କରୋନା ଟୀକା ଦିଆଯିବା ପାଇଁ ଚଳିତ ସପ୍ତାହରେ ନିର୍ଦେଶ ଜାରି କରାଯାଇପାରେ। ଯଦି ରୁଷ ସରକାର ଏପରି ପଦକ୍ଷେପ ଗ୍ରହଣ କରନ୍ତି, ତେବେ ବିଶ୍ବର ପ୍ରଥମ ଦେଶ ଭାବରେ ରୁଷ ନାଗରିକଙ୍କ ନିକଟରେ ଟୀକା ପହଞ୍ଚି ପାରିବ । ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଗତ ଅଗଷ୍ଟ ୧୧ ତାରିଖରେ କରୋନା ଟୀକା ସ୍ପୁଟନିକ-୫ ପ୍ରସ୍ତୁତ ହୋଇଥିବା ସୂଚନା ଦେବା ସହ ତାଙ୍କ ଝିଅ ପ୍ରଥମ କରୋନା ଟୀକା ନେଇଥିବା କହିଥିଲେ । ଏହି ଟୀକା ମସ୍କୋର ଗାମଲେୟା ରିସର୍ଚ ଇନଷ୍ଟିଚ୍ୟୁଟ ଓ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବରେ ପ୍ରସ୍ତୁତ କରିଥିବା ସେ ସୂଚନା ଦେଇଥିଲେ । 
ରଷିଆନ ଏକାଡ଼େମୀ ଅଫ୍ ସାଇନସେସର ଉପ ନିର୍ଦେଶକ ଡ଼େନିସ ଲୋଗୁନୋଭଙ୍କ ସୂଚନା ଅଧାରରେ  ରୁଷ ନ୍ୟୁଜ ଏଜେନ୍ସି ଟାସ (ଟିଏଏସଏସ୍) ଚଳିତ ସପ୍ତାହରେ ରୁଷର ସାଧାରଣ ଲୋକଙ୍କ ନିମନ୍ତେ ଟୀକାକରଣ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି ପ୍ରକାଶ କରିଛି । ରିପୋର୍ଟ ଅନୁସାରେ ସାଧାରଣ ଲୋକଙ୍କ ବ୍ୟବହାର ନିମନ୍ତେ ଟୀକାର ଗୋଟିଏ ବ୍ୟାଚକୁ ଅଧିକୃତ କରିବା ଏକ ପ୍ରକ୍ରିୟା । ଏହାର ଗୁଣାବତ୍ତା ଯାଞ୍ଚ ପରେ ସାଧାରଣ ଲୋକଙ୍କୁ ଏହା ଦିଆଯିବ । 
ସେଶେନୋଭ ବିଶ୍ବବିଦ୍ୟାଳୟର ଶୀର୍ଷସ୍ତରୀୟ ବୈଜ୍ଞାନିକ ଭାଡ଼ିମ୍ ତରାସୋଭ କହିଛନ୍ତି ଯେ ରୁଷ ୨୦ ବର୍ଷ ହେଲା ଏ କ୍ଷେତ୍ରରେ ଗବେଷଣା କରି ଆସୁଛି । ନିଜ ଦକ୍ଷତା ଓ କ୍ଷମତାକୁ ବିକଶିତ କରିବା ସହ ଦୀର୍ଘସମୟ ଧରି ଭୂତାଣୁ କିପରି ବ୍ୟାପୁଛି ସେ ସମ୍ପର୍କରେ ଗବେଷଣା କରୁଛି । ଦୁଇ ଦଶକର ପରିଶ୍ରମର ଫଳ ଏବେ ଦେଶର ବୈଜ୍ଞାନିକମାନଙ୍କୁ ମିଳିଛି ଏବଂ ସେମାନେ ଆଗୁଆ କରୋନା ଟୀକା ଉଦ୍ଭାବନରେ ସଫଳ ହୋଇଛନ୍ତି । 
ଦେଶର ପ୍ରଥମ କୃତ୍ରିମ ଉପଗ୍ରହ ସ୍ଫୁଟନିକ ନାମରେ ନାମିତ ଏହି ଟୀକା ସାଧାରଣତ। ଥଣ୍ଡା ଓ ଜ୍ବର ସୃଷ୍ଟି କରୁଥିବା ଭୂତାଣୁ ଉପରେ ଆଧାରିତ । ଏହି ଟୀକା ସାର୍ସ-ସିଓଭି-୨ରେ ମିଳୁଥିବା ଷ୍ଟ୍ରକ୍ଚରାଲ ପ୍ରୋଟିନ ଢ଼ାଞ୍ଚାରେ ପ୍ରସ୍ତୁତ ହୋଇଛି । ଶରୀରରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପରି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ଏହି ଟୀକା ସକ୍ଷମ ବୋଲି କୁହାଯାଉଛି। ମସ୍କୋର ସେଶେନୋଭ ବିଶ୍ବବିଦ୍ୟାଳୟରେ ଜୁନ ୧୮ ତାରିଖରେ ଏହାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିଲା ଏବଂ ପରୀକ୍ଷାରେ ସାମିଲ ସମସ୍ତ ୩୮ ଜଣଙ୍କ ଉପରେ ପରୀକ୍ଷା ପରେ ଏହି ଟୀକା ସୁରକ୍ଷିତ ବୋଲି ଜଣାପଡ଼ିଥିଲା । 

Comments are closed.