କୁକୁର ବୁଲାଇବା ଚାକିରି! ବର୍ଷକୁ ଦରମା ୨୯ ଲକ୍ଷ ଟଙ୍କା ସାଙ୍ଗକୁ ଜୀବନ ବୀମା, ଅବସର ପରେ ପେନସନ!!

ଲଣ୍ଡନ: ପିଲାଙ୍କ ଯତ୍ନ ନେବାକୁ ବିଦେଶରେ ଲୋକମାନେ ଆୟା ରଖନ୍ତି । ଆମ ଦେଶରେ ବି ଚାକିରିଜୀବୀ ଦମ୍ପତି ପିଲାଙ୍କ ଯତ୍ନ ନେବାକୁ ଆୟା, ଚାକରାଣୀ ରଖନ୍ତି । ମାତ୍ର କୁକୁର ଯନ୍ନ ନେବା ଓ ବୁଲାଇବା ପାଇଁ ଚାକିରି ?  ଆଶ୍ଚର୍ଯ୍ୟ ହେଉଛନ୍ତି କି ? ବ୍ରିଟେନର ଏକ ଆଇନ ସଂସ୍ଥା ଯୋଶେଫ ହେଗ୍ ଆରେନେସନ ସଂସ୍ଥାରେ କୁକୁର ବୁଲାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଆବଶ୍ୟକତା ନେଇ ବିଜ୍ଞପ୍ତି ଦେଇଛନ୍ତି । ଏଥିପାଇଁ ତାଙ୍କୁ ବାର୍ଷିକ ୩୦ ହଜା ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୨୮.୯୫ ଲକ୍ଷ ଟଙ୍କା ବେତନ ମିଳିବ ।

ଚାକିରିର ସର୍ତ ହେଉଛି  କୁକୁରକୁ ବୁଲାଇବା ଓ ସେମାନଙ୍କ ସହ ଖେଳିବା । ସେମାନଙ୍କୁ ଯତ୍ନ ନେବା । ଏଥିପାଇଁ ଦରମା ଭିନ୍ନ ପେନସନ୍, ଜୀବନ ବୀମା ସହିତ ଘରୋଇ ଚିକିତ୍ସା ଏବଂ ଦନ୍ତ ବୀମା ସୁବିଧା ମଧ୍ୟ ଉପଲବ୍ଧ ହେବ ।  ଯେଉଁ ବ୍ୟକ୍ତିଙ୍କୁ ଚାକିରି ମିଳିବ ତାଙ୍କୁ  ସକାଳ ୯ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କାମ କରିବାକୁ ପଡିବ । କୁକୁରକୁ ସନ୍ଧ୍ୟାରେ ବୁଲାଇବା, ତାର ଖାଦ୍ୟ କିଣିବା, ପରିଷ୍କାର ପରିଚ୍ଛନ୍ନତା ଏବଂ ବ୍ୟାୟାମ କରାଇବାକୁ ପଡ଼ିବ ।  ଏହା ସହିତ କୁକୁରର ପୋଷାକକୁ ପରିଷ୍କାର ସହ ଇସ୍ତ୍ରୀ କରିବାକୁ ପଡ଼ିବ । କୁକୁରକୁ ଗାଧୋଇଦେବା ସହ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସ୍ବାସ୍ଥ୍ୟ ଚେକଅପ୍ କରାଇବାକୁ ପଡ଼ିବ । ଅବଶ୍ୟ କୁକୁରକୁ ବୁଲାଇବା ବ୍ୟତୀତ ଅନ୍ୟ କୁକୁର କାର୍ଯ୍ୟରେ ବାହାରକୁ ଗଲେ ସେଥିପାଇଁ ଗାଡ଼ି ଯୋଗାଇ ଦିଆଯିବ । ଅନେକ ଲୋକ ଏହି କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି ।

କୁକୁର କେୟାରଟେକର ପାଇଁ ନିଯୁକ୍ତି ବିଜ୍ଞାପନ ଦେବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଲଣ୍ଡନର ନାଇଟବ୍ରିଜରେ ରହୁଥିବା ଏକ ଦମ୍ପତି ଅନୁରୂପ ଏକ ବିଜ୍ଞାପନ ଦେଇଥିଲେ । ଏହି ଦମ୍ପତି ଅଧିକାଂଶ କାର୍ଯ୍ୟ ଯୋଗୁଁ ଅଧିକାଂଶ ସମୟ ବାହାରେ ରହୁଥିବାରୁ ସେମାନଙ୍କର ଦୁଇଟି ଗୋଲଡ଼େନ୍ ରିଟ୍ରେଭର ‘ମିଲୋ’ ଓ ‘ଓସ୍କାର’ର ଯତ୍ନ ନେବା ପାଇଁ ଜଣେ କେୟାରଟେକର ନିଯୁକ୍ତି ବିଜ୍ଞାପନ ଦେଇଥିଲେ । ଏଥିପାଇଁ ସେ କର୍ମଚାରୀଙ୍କୁ ୪୦ ହଜାର ଡ଼ଲାର (ପ୍ରାୟ ୨୯ ଲକ୍ଷ ଟଙ୍କା) ଦେବାକୁ ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ସପ୍ତାହରେ ୫ ଦିନ କାମ ସହ କୁକୁର ଦୁହିଁଙ୍କ ଖାଇବା କଥା ବୁଝିବା, ସେମାନଙ୍କୁ ବୁଲାଇବା, ଗାଧୁଆପାଧୁଆ କରାଇବା, ମୋଟାମୋଟି ସେମାନଙ୍କର ଯତ୍ନ ନେବାକୁ ସର୍ତ ରଖାଯାଇଥିଲା ।

Comments are closed.