ମଙ୍ଗଳବାର ଠାରୁ ଆର୍‌ଟିଓରେ ଏକକ ରସିଦ ବ୍ୟବସ୍ଥା

ଅନ୍‌ଲାଇନରେ ପୈଠ ହେବ ଘରୋଇ ସଂସ୍ଥାର ଦେୟ

ଭୁବନେଶ୍ବର : ପୂର୍ବାପେକ୍ଷା ଟ୍ରାଫିକ୍ କଟକଣା ଅଧିକ କଡ଼ାକଡ଼ି ହେଉଥିବା ବେଳେ କାଗଜପତ୍ର ପ୍ରକ୍ରିୟା କିନ୍ତୁ ସରଳ ହେଉଛି। ବିଶେଷକରି ଅନ୍‌ଲାଇନ୍ ବ୍ୟବସ୍ଥା ସହିତ ବିଭିନ୍ନ ସେବାକୁ ଯୋଡ଼ି ଆରଟିଓରୁ ଭିଡ଼ ହ୍ରାସ ପାଇଁ ପରିବହନ ବିଭାଗ ଲକ୍ଷ୍ୟ ରଖିଛି। ନୂଆ ବ୍ୟବସ୍ଥା ଅନୁସାରେ ଏଣିକି ସେବା ପ୍ରଦାନକାରୀ ଘରୋଇ ସଂସ୍ଥାର ଦେୟ ପୈଠ କରିବା ପାଇଁ ଆରଟିଓ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ପୂର୍ବରୁ ସରକାରୀ ଦେୟ ଅନ୍‌ଲାଇନ୍‌ରେ ପୈଠ କରା ଯାଉଥିବା ବେଳେ ଏବେ ଘରୋଇ ସଂସ୍ଥାର ଦେୟ ମଧ୍ୟ ଅନ୍‌ଲାଇନ୍‌ରେ ସଂଗ୍ରହ କରାଯିବ। ଆସନ୍ତା ମଙ୍ଗଳବାର ଠାରୁ ଏକକ ରସିଦ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ଏବେ ପରିବହନ ବିଭାଗର ଅନେକ ପ୍ରକାର ସେବାକୁ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଯାଇଛି। ବିଶେଷକରି ଆବେଦନ, ସରକାରୀ ଫି ଦାଖଲ କରିବା ଆଦି କାମ ଅନ୍‌ଲାଇନ୍‌ରେ ହୋଇପାରୁଛି। ଆବେଦନ ସମୟରେ ହିଁ ଅନ୍‌ଲାଇନ୍‌ରେ ଦେୟ ଦାଖଲ ହେଉଛି। ତେବେ ବର୍ତ୍ତମାନ ପରିବହନ ବିଭାଗ ପକ୍ଷରୁ ନିୟୋଜିତ ସ୍ମାର୍ଟଚିପ୍ ଲିମିଟେଡ୍‌ର ଦେୟ ଦାଖଲ ପାଇଁ ଆରଟିଓ କାଉଣ୍ଟରକୁ ଆସିବାକୁ ହେଉଛି। ଅର୍ଥାତ୍ ଗୋଟିଏ ଦେୟ ଅନ୍‌ଲାଇନ୍‌ରେ ଦେବା ପରେ ଆଉ ଏକ ଦେୟ ଦାଖଲ ପାଇଁ ଆରଟିଓ କାର୍ଯ୍ୟାଳୟକୁ ଆସି ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ତେବେ ୧୭ ତାରିଖରୁ ଏପରି ହେବ ନାହିଁ। ଜନସାଧାରଣ ଘରୋଇ ସଂସ୍ଥାର ଫି ଅନ୍‌ଲାଇନ୍‌ରେ ପୈଠ କରିପାରିବେ। ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣର ଲାଇସେନ୍ସ, ଗାଡ଼ି ପଞ୍ଜୀକରଣ, ପରମିଟ୍‌, ଫିଟ୍‌ନେସ୍ ଏବଂ ଅନ୍ୟ ସେବା ବାବଦକୁ ଘରୋଇ ସଂସ୍ଥାର ଦେୟ କେବଳ ଗୋଟିଏ କ୍ଲିକ୍‌ରେ ଦାଖଲ କରିହେବ। ବକେୟା ଥିବା ଫି ମଧ୍ୟ ଅନ୍‌ଲାଇନ୍‌ରେ ଦାଖଲ କରିହେବ। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଭିନ୍ନ ସରକାରୀ ଫି ଅନ୍‌ଲାଇନ୍‌ରେ ଦାଖଲ ବ୍ୟବସ୍ଥା ହୋଇଥିଲା। ତେବେ କେବଳ ଘରୋଇ ସଂସ୍ଥାର ଫି, ଆରଟିଓ କାଉଣ୍ଟରରେ ଜମା କରିବାକୁ ପଡ଼ୁଥିଲା। ଫଳରେ କାଉଣ୍ଟର ଆଗରେ ପୂର୍ବଭଳି ଭିଡ଼ ଲାଗି ରହୁଛି। ଆସନ୍ତା ମଙ୍ଗଳବାର ଠାରୁ ଏକକ ରସିଦ ବ୍ୟବସ୍ଥା ପ୍ରଚଳନ ହେବା ପରେ ଆରଟିଓକୁ ଆସିବା ଜରୁରୀ ହେବ ନାହିଁ।

Comments are closed.