ବଡ଼ ଋଣ ଖିଲାପକାରୀଙ୍କ ନାଁ ପ୍ରକାଶ କର – ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ରୀୟ ସୂଚନା ଆୟୋଗର ତାଗିଦ

ନୂଆଦିଲ୍ଲୀ: ଋଣ ନେଇ ଫେରସ୍ତ କରିନଥିବା ବଡ଼ ଋଣ ଖିଲାପକାରୀଙ୍କ ନାମ ପ୍ରକାଶ କରିବାକୁ କେନ୍ଦ୍ରୀୟ ସୂଚନା ଆୟୋଗ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଋଣ ଖିଲାପକାରୀଙ୍କ ମାମଲା ସମାଧାନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅନ୍ୟ ବ୍ୟାଙ୍କକୁ କହିଛି, ସେମାନଙ୍କ ନାମ ପ୍ରକାଶ କରିବାକୁ ସୂଚନା ଆୟୋଗ କହିଛନ୍ତି। ଲକ୍ଷ୍ନୌର ସାମାଜିକ କର୍ମୀ ନୂତନ ଠାକୁରଙ୍କ ଅଭିଯୋଗର ବିଚାର କରି ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି। ଠାକୁର ସୂଚନା ଅଧିକାର ବଳରେ ଏହି ତଥ୍ୟ ମାଗିଥିଲେ।

ଠାକୁର ନିଜ ଆବେଦନରେ ସେହି ସବୁ ଗଣମାଧ୍ୟମ ରିପୋର୍ଟ ଉପସ୍ଥାପନ କରିଥିଲେ ଯେଉଁଥିରେ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ୨୦୧୭ରେ କହିଥିଲେ ଯେ କିଛି ଋଣ ଖିଲାପକାରୀଙ୍କ ମାମଲା ବ୍ୟାଙ୍କଗୁଡିକ ପାଖକୁ ସମାଧାନ ପାଇଁ ପଠାଯାଇଛି। ଆଚାର୍ଯ୍ୟ କହିଥିଲେ ଯେ ଆଭ୍ୟନ୍ତରୀଣ ପ୍ରସ୍ତାବକ କମିଟିର ପରାମର୍ଶ ଅନୁଯାୟୀ ରିଜର୍ଭ ବ୍ୟାଙ୍କ ପ୍ରାରମ୍ଭରେ ବଡ଼ ରୂଣଖିଲାପକାରୀଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ। ସେ କହିଥିଲେ ଯେ ବ୍ୟାଙ୍କଗୁଡିକ ଦ୍ୱାରା ଦିଆଯାଇଥିବା ମୋଟ ଅନାଦେୟ ଋଣ ପରିମାଣର ୨୫ ପ୍ରତିଶତ ୧୨ଟି ବଡ଼ ଋଣ ଖିଲାପକାରୀଙ୍କ ପାଖେ ରହିଛି।

ସାମାଜିକ କର୍ମୀ ଠାକୁର ନିଜ ଆବେଦନରେ ସେହି ବଡ ଋଣ ଖିଲାପକାରୀଙ୍କ ତଥ୍ୟ ମାଗିଥିଲେ କିନ୍ତୁ ଏହାକୁ ଗୋପନୀୟ ତଥ୍ୟ କହି କୌଣସି ସୂଚନା ନ ଦେବାକୁ ରିଜର୍ଭ ବ୍ୟାଙ୍କ କହିଥିଲେ। ପରେ ଠାକୁର କେନ୍ଦ୍ରୀୟ ସୂଚନା ଆୟୋଗରେ ଅଭିଯୋଗ କରିଥିଲେ।

Comments are closed.