ଆରଏସ୍‌ପି ଗ୍ୟାସ ଲିକ୍: ମୃତ ଶ୍ରମିକଙ୍କ ପରିବାରର ଜଣକୁ ନିଯୁକ୍ତି ଓ ୨.୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପରେ ଉଠିଲା ଶବ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆରଏସ୍‌ପି) ଭିତରେ ଥିବା କୋଲ କେମିକାଲ ବିଭାଗ (ସିସିଡି)ର ଗ୍ୟାସ୍‌ ମିକ୍ସିଂ ଟ୍ୟାଙ୍କ ଏରିଆ (ସାଇଟ୍‌-ଏ)ଗ୍ୟାସ୍‌ ଲାଇନର ରକ୍ଷଣାବେକ୍ଷଣ କାଳରେ ଗ୍ୟାସ ଲିକ୍‌ ହେବାରୁ ୪ଜଣ ଠିକା ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଗ୍ୟାସଲିକ୍‌ରେ ଆକ୍ରାନ୍ତ ଅନ୍ୟ ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଏହି ଘଟଣାପରେ ଦୁଇଜଣ ଡିଜିଏମ୍‌ଙ୍କୁ କାରଖାନା କର୍ତ୍ତୃପକ୍ଷ ସସ୍‌ପେଣ୍ଡ କରିଛନ୍ତି। ଏହାଛଡ଼ା ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ତିନିଜଣିଆ କମିଟି ଗଠନ କରାଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରାଯାଇଛି।

ଅନ୍ୟପକ୍ଷରେ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିଭିନ୍ନ ଶ୍ରମିକ ସଂଗଠନର ଦାବି ପରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ଠିକା ସଂସ୍ଥା ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା ହୋଇଛି । ବିଏମ୍‌ଏସ୍‌ ସମର୍ଥିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘର ନେତା ହିମାଂଶୁ ବଳଙ୍କ ନେତୃତ୍ୱରେ କାରଖାନା ଭିତରେ ସିସିଡି ଓ କୋକ୍‌ ଓଭେନ୍‌ ବିଭାଗର ସିଜିଏମ୍‌ଙ୍କୁ ଘେରାଉ କରାଯାଇଥିଲା। ଏପଟେ ଅନ୍ୟ ପ୍ରାୟ ସମସ୍ତ ପ୍ରମୁଖ ଶ୍ରମିକ ୟୁନିୟନର ନେତାମାନେ ଆଇଜିଏଚ୍‌ରେ ଏକତ୍ରିତ ହୋଇଥିଲେ।

ସେମାନେ ମର୍ଗହାଉସ୍‌ ଠାରେ ପହଞ୍ଚି ବିଭିନ୍ନ ଦାବି ପୂରଣ ନ ହେବା ଯାଏଁ ଶବ ଗ୍ରହଣ କରାଯିବ ନାହିଁ ବୋଲି ଅଡ଼ି ବସିଥିଲେ। ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଠିକାଶ୍ରମିକ ୟୁନିୟନ ନେତା ବିମାନ ମାଇତି ଓ ଅନ୍ୟମାନେ, ରାଉରକେଲା ମଜଦୁର ସଭାର ନେତା ଶଶଧର ନାୟକ, କ୍ଷୀରୋଦ ପଣ୍ଡା ଓ ଅନ୍ୟମାନେ, ଗାଙ୍ଗପୁର ମଜଦୁର ମଞ୍ଚର ନେତା ଜର୍ଜ ତିର୍କୀ, ଗୋପାଳ ଦାସ ଓ ଅନ୍ୟମାନେ ଏଆଇଟିୟୁସି ନେତା ପ୍ରଭାତ ମିଶ୍ର ଓ ଶ୍ରମିକ ପଞ୍ଚାୟତର ପି.କେ.ନନ୍ଦ, ରାଉରକେଲା ଶ୍ରମିକ ସଂଘର ନେତା ନିହାର ଦାସ, ଦିଲୀପ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ରହି ମୃତ ଠିକାଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ପତ୍ରବଦଳରେ ନିଯୁକ୍ତିପତ୍ର ଦେବା, ଠିକା ସଂସ୍ଥା ପକ୍ଷରୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା, ଗ୍ୟାସ୍‌ ଲିକ୍‌ ଘଟଣାର କାରଣ ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ଦାବି ରଖିଥିଲେ। କାରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଅପରାହ୍ନରେ ଅଧିକାରୀ ମାନେ ଆସି ଆଇଜିଏଚ୍‌ ସମ୍ମିଳନୀ କକ୍ଷରେ ସମସ୍ତ ୟୁନିୟନ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ପରେ ସମସ୍ତ ୪ଜଣ ମୃତଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ସକାଶେ ‘ଅଫର୍‌’ ଦିଆଯାଇଥିଲା।

ଏଥିସହିତ ସମ୍ପୃକ୍ତ ଠିକା ସଂସ୍ଥା ଷ୍ଟାର କନଷ୍ଟ୍ରକ୍ସନ ପକ୍ଷରୁ ପ୍ରତ୍ୟେକ ମୃତ ଶ୍ରମିକଙ୍କ ସକାଶେ ୨.୫ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ୧୦ହଜାର ଟଙ୍କା ଲେଖାଏଁ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଖର୍ଚ୍ଚ ଦେବାକୁ ସ୍ଥିର ହୋଇଥିଲା। ଏଥିସହିତ ଭବିଷ୍ୟତରେ ଏଭଳି ଦୁର୍ଘଟଣାରେ ଠିକା ଶ୍ରମିକଙ୍କ ସାାମାଜିକ ସୁରକ୍ଷା ସକାଶେ ପ୍ରତ୍ୟେକ ଠିକା ଶ୍ରମିକଙ୍କ ନାମରେ ୧୦ଲକ୍ଷ ଟଙ୍କାର ବୀମା କରାଯିବାକୁ ସିଟୁ ନେତା ବିଷ୍ଣୁ ମହାନ୍ତି ଓ ଅନ୍ୟ ନେତାମାନେ ଦାବି କରିଥିଲେ। କର୍ମଚାରୀ ମାନଙ୍କ ଗ୍ରୁପ୍‌ ଇନସ୍ୟୁରାନ୍ସ ଭଳି ଠିକାଶ୍ରମିକଙ୍କ ଦୁର୍ଘଟଣା ବୀମା କରାଯିବାକୁ ବିଏମ୍‌ଏସ୍‌ ନେତା ହିମାଂଶୁ ବଳ ଦାବି କରିଥିଲେ।
ଆରଏସ୍‌ପିରେ ପ୍ରୋଟୋକଲ୍‌, ଏନ୍‌ଜେସିଏସ୍‌ ସର୍ତ୍ତର ଉଲଂଘନ
ଆରଏସ୍‌ପି ପରିସରରେ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେସନାଲ ପ୍ରସିଡ୍ୟୋର)ର ଉଲଂଘନ ହେଉଥିବା ପ୍ରାୟ ସମସ୍ତ ଶ୍ରମିକ ସଂଗଠନ ଅଭିଯୋଗ କରିଛନ୍ତି। ଶ୍ରମିକ ନେତା ବିଷ୍ଣୁ ମହାନ୍ତି, ଜର୍ଜ ତିର୍କୀ ଓ ଅନ୍ୟମାନେ କହିଛନ୍ତି, ଶ୍ରମିକ ମାନଙ୍କ ଚାକିରି ପ୍ରସଙ୍ଗରେ ଏନ୍‌ଜେସିଏସ୍‌ ସହିତ ହେଉଥିବା ଚୁକ୍ତିର ଉଲଂଘନ କରାଯାଉଛି। ଏସ୍‌ଓପି ପାଳନ କରାଯାଉନାହିଁ। ପ୍ରୋଟୋକଲ୍‌ ଅନୁସାରେ କାମ ହେଉନାହିଁ। ଯାହା ଫଳରେ ଏହି ଅଭାବନୀୟ ଘଟଣା ଘଟିଛି ଓ ଲୋକଙ୍କ ଜୀବନ ଯାଇଛି। ଏଭଳି ରକ୍ଷଣାବେକ୍ଷଣ କାମ କରାଯିବା ବେଳେ ସେଠାରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ହୋଇଥିଲେ ଓ ସେଠାରେ ଦମକଳ, ଆମ୍ବୁଲାନ୍ସ ଇତ୍ୟାଦି ମହଜୁଦ୍‌ ଥିଲେ ହୁଏତ ଘଟଣାକୁ ଏଡ଼ାଯାଇ ପାରିଥା’ନ୍ତା।

Comments are closed.