ଆରଏସପି ଦୁର୍ଘଟଣା: କାହା ତ୍ରୁଟି ଯୋଗୁଁ ଚାଲିଗଲା ଚାରି ଜୀବନ? କିଏ ଦେବ ଉତ୍ତର ??

ରାଉରକେଲାସ୍ଥିତ ଇସ୍ପାତ କାରଖାନାରେ ଦୁର୍ଘଟଣାରେ ଆଜି ଯାଇଛି ୪ ଜୀବନ । ତେବେ କେମିତି ଓ କାହିଁକି ହେଲା ଗ୍ୟାସ ଲିକ୍ ଆସନ୍ତୁ ଜାଣିବା

ସୂଚନା ମୁତାବକ, ସିସିଡିର ସାଇଟ୍‌-ଏରେ ରକ୍ଷଣାବେକ୍ଷଣ କାମ ସକାଶେ ହୋଇଥିବା ନିଷ୍ପତ୍ତି ଆଧାରରେ ଆଜି ଏହି କାମ କରାଯିବା ସକାଶେ ଗତକାଲି ସ୍ଥିର ହୋଇଥିବାରୁ ଆଜି ସକାଳୁ କାର୍ଯ୍ୟସ୍ଥଳରେ ସିସିଡିରେ ରକ୍ଷଣାବେକ୍ଷଣ କାମ କରୁଥିବା ଠିକା ସଂସ୍ଥା ଷ୍ଟାର କନଷ୍ଟ୍ରକ୍ସନର ଶ୍ରମିକ ଓ କର୍ମଚାରୀ ପହଞ୍ଚି କାମ ଆରମ୍ଭ କରିଥିଲେ। ବ୍ଲାଷ୍ଟଫର୍ଣ୍ଣେସ ଓ କୋକ୍‌ ଓଭେନ୍‌ ପଟୁ ଆସିଥିବା ଗ୍ୟାସ ପାଇପ୍‌ ଏବଂ ସିସିଡିର ଜଙ୍କସନ (ଗ୍ୟାସ ମିକ୍ସିଂ ଟ୍ୟାଙ୍କ) ନିକଟସ୍ଥ ପାଇପ୍‌ରେ ଏକ ଫ୍ଲାଞ୍ଜ ଭୋଲ୍ଟ ଖୋଲାଯିବାକୁ ଥିଲା। ରକ୍ଷଣାବେକ୍ଷଣ ପ୍ରକ୍ରିୟାରେ ଏହି କାମ ଆରମ୍ଭ ହୋଇଥିଲା। ଏଠାରେ ଥିବା ପାଇପ୍‌ ଗୁଡ଼ିକ ଯୋଗେ କାର୍ବନ ମନୋକସାଇଡ୍‌ ପ୍ରବାହ ହୋଇଥାଏ। ତେବେ ପାଇପ୍‌ରୁ ଗ୍ୟାସ୍‌ ଖାଲି କରାଯିବା ପ୍ରକ୍ରିୟାରେ ନାେଇଟ୍ରୋଜେନ୍‌ ଫର୍ଜିର୍ଂ କରାଯାଇ କାର୍ବନ ମନୋକସାଇଡ୍‌ ଖାଲି କରାଯିବାକଥା। କେବଳ ସେତିକି ନୁହେଁ, କାମ ଆରମ୍ଭ ହେବାପୂର୍ବରୁ କେତେ ପିପିଏମ୍‌ ଗ୍ୟାସ୍‌ପ୍ରବାହ କରୁଛି ବା ରହିଛି ତାହା ଅନୁଧ୍ୟାନ କରାଯିବା କଥା।ହେଲେ ସମ୍ଭବତଃ ସେସବୁ ବିଧିବଦ୍ଧ ଭାବେ କରାଯାଇନଥିବାରୁ ପ୍ରାୟ ୯ଟା ବେଳେ ଫ୍ଲାଞ୍ଜ ଭୋଲ୍ଟ ଖୋଲିବା କ୍ଷଣି ଗ୍ୟାସ୍‌ ଲିକ୍‌ ହୋଇଥିଲା। କାମ କରୁଥିବା ଠିକା ଶ୍ରମିକ ସିଧାସଳଖ ପ୍ରଭାବିତ ହୋଇଥିଲେ। ଅଧିକ ଗ୍ୟାସ ଆକ୍ରାନ୍ତ ହୋଇଥିବା ଶ୍ରମିକ ଘଟଣାସ୍ଥଳରେ ତଳେ ପଡ଼ି ଯାଇଥିଲେ। ଅନ୍ୟଶ୍ରମିକ ମାନେ ଅସୁସ୍ଥ ହୋଇପଡ଼ିଥିଲେ। ଏହି ଘଟଣା ପରେ ପରେ ସେଠାରେ ପହଞ୍ଚିଥିଲା ଫାୟାର ବ୍ରିଗେଡ ଗାଡ଼ି ଓ ଆମ୍ବୁଲାନ୍ସ। ଆକ୍ରାନ୍ତ ଶ୍ରମିକଙ୍କୁ ତୁରନ୍ତ କାରଖାନା ଭିତରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।ସେଠାରୁ ଗୁରୁତର ଥିବା ଶ୍ରମିକଙ୍କୁ ଇସ୍ପାତ ଜେନେରାଲ ହସପିଟାଲର ଆଇସିୟୁକୁ ନିଆଯାଇଥିଲା। ଆଇଜିଏଚ୍‌ରେ ଡାକ୍ତରମାନଙ୍କ ବ୍ୟାପକ ଚେଷ୍ଟା ସତ୍ତ୍ୱେ ଶ୍ରମିକମାନଙ୍କ ଜୀବନରକ୍ଷା କରାଯାଇ ପାରିନଥିଲା। ଦିନ ପ୍ରାୟ ୧୧ଟା ୪୦ସୁଦ୍ଧା ସମସ୍ତଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଠିକା ଶ୍ରମିକ ମାନେ ହେଲେ,ବ୍ରହ୍ମାନନ୍ଦ ପଣ୍ଡା (୫୧), ରବିନ୍ଦ୍ର ସାହୁ (୫୯), ଅଭିମନ୍ୟୁ ଶାହ (୩୩) ଓ ଗଣେଶ ଚନ୍ଦ୍ର ପହିଲ (୫୫)।

୩ ଡିଜିଏମ୍‌ ସସ୍‌ପେଣ୍ଡ, ତଦନ୍ତ କରିବ କମିଟି

ଠିିକାଶ୍ରମିକଙ୍କ ମୃତ୍ୟୁରେ ହୋଇଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ। କାରଣ ଏହି ଗ୍ୟାସ୍‌ ଲିକ୍‌ ଦୁର୍ଘଟଣା ବେଳେ ଶ୍ରମିକ ମାନେ ମାସ୍କ ବା ପିପିଇ କିଟ୍‌ ପିନ୍ଧିନଥିଲେ। ପାଖରେ ପ୍ରୋଟୋକଲ୍‌ ଅନୁସାରେ ନଥିଲା ଦମକଳ ବା ଆମ୍ବୁଲାନ୍ସ। ମୃତ ଶ୍ରମିକଙ୍କ ସକାଶେ ଗଭୀର ଶୋକପ୍ରକାଶ କରିଛନ୍ତି ଆରଏସ୍‌ପି ସିଇଓ ଦୀପକ ଚଟ୍ଟରାଜ। ଦୁର୍ଘଟଣାର ତଦନ୍ତ ପାଇଁ ୨ଜଣଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ତିନିଜଣ ସିଜିଏମ୍‌ଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟ ପଦକ୍ଷେପ ନିଆଯିବ। ଏହି ସିଜିଏମ୍‌ ମାନେ ହେଲେ ସି.ଆର୍‌. ମହାପାତ୍ର (ସାମଗ୍ରୀ ପରିଚାଳନା ଓ ମାର୍କେଟିଂ) ଏସ୍‌.କେ.ବେହେରା(ପ୍ରୋଜେକ୍ଟ) ଓ ଏ.ଭି.ରାଜଶେଖର (ମେକାନିକାଲ)।ପ୍ରାଥମିକ ସୂଚନା ଆଧାରରେ ୨ଜଣ ଡିଜିଏମ୍‌ଙ୍କୁ ସସ୍‌ପେଣ୍ଡ କରିଛନ୍ତି କର୍ତ୍ତୃପକ୍ଷ।

ସେମାନେ ହେଲେ ଏନର୍ଜି ମେନେଜମେଣ୍ଟ ଡିଜିଏମ୍‌ ଜି.ବାରିକ ଓ ସିସିଡି ଡିଜିଏମ୍‌ ଏନ୍‌.ଦାସ। ବିଗତ ଅନେକ ବର୍ଷ ମଧ୍ୟରେ ଘଟିଥିବା ଦୁର୍ଘଟଣା ମାନଙ୍କରେ ଏକକାଳୀନ ୪ଜଣଙ୍କ ମୃତ୍ୟୁ ହୋଇନଥିବା ବେଳେ ୨୦୨୧ଆରମ୍ଭରୁ ଏହି ଘଟଣା ଉତ୍ତମ ପ୍ରଦର୍ଶନରେ ରେକର୍ଡ଼ କରି ଆସୁଥିବା ଆରଏସ୍‌ପିରେ ନୈରାଶ୍ୟ ଆଣିଦେଇଛି। ତେବେ, କାରଖାନା ଇତିହାସରେ କୌଣସି ଦୁର୍ଘଟଣାରେ ଶ୍ରମିକ ମୃତାହତ ହେବାପରେ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ମଧ୍ୟ ଆଜିର କାର୍ଯ୍ୟାନୁଷ୍ଠାନ ଐତିହାସିକ ବୋଲି ବିବେଚନା କରାଯାଉଛି।

Comments are closed.