ବଦଳି ପ୍ରତିବାଦ: ୧୦ଦଫା ଦାବିରେ ପ୍ରାଣୀଚିକିତ୍ସକଙ୍କ ସମୂହ ଇସ୍ତଫା

କେନ୍ଦୁଝରଗଡ: ପ୍ରାଣୀ ଚିକିତ୍ସକଙ୍କ ପକ୍ଷରୁ ଦୀର୍ଘମାସ ଧରି ୧୦ ଦଫା ଦାବି ପୁରଣ ନେଇ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇ ଆସୁଥିବା ବେଳେ ସରକାର ଦାବି ପୁରଣ କରିବା ପରିବର୍ତ୍ତେ ଯେଭଳି ଭାବେ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘର କର୍ମକର୍ତ୍ତାଙ୍କୁ ରାତିଅଧିଆ ଆକ୍ରୋଶମୂଳକ ବଦଳି କରାଗଲା ତାହା ପ୍ରତିବାଦରେ ରାଜ୍ୟବ୍ୟାପୀ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କ ସମୂହ ଇସ୍ତଫା ପ୍ରଦାନ ଏବେ ସରକାରଙ୍କୁ ଅଡୁଆରେ ପକାଇଛି।

ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟ ସମୟ ଓ କାର୍ଯ୍ୟ ସାରଣୀ ନିର୍ଦ୍ଧାରଣ, ସାଧାରଣବର୍ଗ ଡାକ୍ତରଙ୍କ ସହ ସମାନ ବେତନ ପ୍ରଦାନ ଓ ପଦୋନ୍ନତି ସୁବିଧା, ନିରବଛିନ୍ନ ଔଷଧ ଯୋଗାଣ, ନ୍ୟୁନତମ ପ୍ରାଣୀ ଚିକିତ୍ସା ଭିତ୍ତିଭୂମି ସୁଦୃଢ଼ ଓ ମାନବସମ୍ବଳ ବ୍ୟବସ୍ଥା, ୨୪ଘଣ୍ଟିଆ ପ୍ରାଣୀ ଚିକିତ୍ସା ସେବା, ଜିଲା ଓ ଉପଖଣ୍ଡସ୍ତରରେ ବିଶେଷଜ୍ଞ ପ୍ରାଣୀ ଚିକିତ୍ସକ ନିଯୁକ୍ତି, ପ୍ରାଣୀ ରୋଗ ନିଦାନ ସୁବିଧା ଆଦି ୧୦ଦଫା ଦାବିରେ ପ୍ରାଣୀ ଚିକିତ୍ସକଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇ ଆସୁଥିଲେ ହେଁ ସରକାର ଏହାକୁ ଅଣଦେଖା କରି ଆସୁଛନ୍ତି। ଉକ୍ତ ଦାବି ପୁରଣ ନେଇ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଚଳିତମାସ ୧ ତାରିଖରୁ ଡିଜିଟାଲ କାର୍ଯ୍ୟବର୍ଜନ ଆରମ୍ଭ ହୋଇଥିବା ବେଳେ ବୁଧବାର ସଂଘର କେତେକ ରାଜ୍ୟ କର୍ମକର୍ତ୍ତାଙ୍କୁ ଯେଭଳି ଭାବେ ଆକ୍ରୋଶମୂଳକ ଭାବେ ବଦଳି କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘ କେନ୍ଦୁଝର ଶାଖାର ସଭାପତି ଡାକ୍ତର ବିଜୟ କୁମାର ସେଠୀ ଓ ସାଧାରଣ ସମ୍ପାଦକ ଡାକ୍ତର ସୁଶାନ୍ତ କୁମାର ସିଂହ କ୍ଷୋଭର ସହ ଏହା କହିଛନ୍ତି।

ଏଭଳିସ୍ଥିତିରେ ସଂଘର କେନ୍ଦୁଝର ଶାଖା ସଭାପତି ଓ ସାଧାରଣ ସମ୍ପାଦକଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ପୂର୍ବାହ୍ନରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ଅକ୍ଷୟ କୁମାର ଘଡେଇଙ୍କୁ ଭେଟି ପ୍ରାଣୀ ଚିକିତ୍ସକଙ୍କ ସମୂହ ଇସ୍ତଫା ପ୍ରଦାନ ଏବଂ ଅପରାହ୍ନରେ ଜିଲାପାଳ ଆଶିଷ ଠାକରେଙ୍କୁ ଭେଟି ସରକାରଙ୍କ ଆକ୍ରୋଶମୂଳକ ବଦଳିର ପ୍ରତିବାଦ ଓ ୧୦ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏ ଦିଗରେ ସରକାର ତ୍ୱରିତ୍‍ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କେନ୍ଦୁଝର ଶାଖା ସଭାପତି ଶ୍ରୀ ସେଠୀ କହିଛନ୍ତି।

Comments are closed.