ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ୭ ବର୍ଷ ବିତିଲା, ରାଉରକେଲାରେ କମିସନରେଟ୍‌ ବ୍ୟବସ୍ଥା କେବେ?

ରାଉରକେଲା: ରାଉରକେଲାର ଜନସାଧାରଣଙ୍କ ସୁରକ୍ଷିତ ଜୀବନଯାତ୍ରା ପାଇଁ ଏଠାରେ ପୁଲିସ କମିଶନରେଟ ବ୍ୟବସ୍ଥା ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଇତି ମଧ୍ୟରେ ୭ ବର୍ଷ ବିତିଯାଇଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇ ପାରି ନାହିଁ।

୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାକୁ ମହାନଗରନିଗମ ଓ ପୁଲିସ କମିସନରେଟ ବ୍ୟବସ୍ଥା ପାଇଁ ଘୋଷଣା କରିଥିଲେ। ମହାନଗରନିଗମ ଗଠନ ହେଲା। ନିର୍ବାଚିତ ପରିଷଦ ନଥିଲେ ମଧ୍ୟ ମହାନଗରନିଗମ ୪୦ଟି ୱାର୍ଡ଼ରେ ପ୍ରଶାସକଙ୍କ ତତ୍ତ୍ବାବଧାନରେ କାର୍ଯ୍ୟ କରୁଛି। ପୁଲିସ କମିଶନରେଟ ବ୍ୟବସ୍ଥା କାଗଜ କଲମରେ ଅଟକି ଯାଇଛି। ସହରରେ ଉପଯୁକ୍ତ ପୁଲିସ ବ୍ୟବସ୍ଥା ଓ ସୁରକ୍ଷା ସମେତ ସାମଗ୍ରିକ ବ୍ୟବସ୍ଥାର ନିୟନ୍ତ୍ରଣ ପାଇଁ କମିସନରେଟ ପୁଲିସ ବ୍ୟବସ୍ଥାର ଆବଶ୍ୟକତା ରହିଛି। ରାଉରକେଲା ସହରକୁ ଲାଗି ରହିଥିବା ସୀମାନ୍ତ ଅଞ୍ଚଳର ଅପରାଧ ବିଭିନ୍ନ ସମୟରେ ପୁଲିସ ପ୍ରଶାସନ ପାଇଁ ଆହ୍ୱାନ ସୃଷ୍ଟି କରିଥାଏ। ବିଶେଷକରି ମାଓବାଦୀ, ପିଏଲଏଫଆଇ ଭଳି ସଙ୍ଗଠନ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥା’ନ୍ତି। ଏହା ସହିତ ସହରାଞ୍ଚଳର ପୁଲିସ ପ୍ରଶାସନିକ ବ୍ୟବସ୍ଥାର ସଶକ୍ତିକରଣ ପାଇଁ ପୁଲିସ କମିସନରେଟର ଆବଶ୍ୟକତା ରହିଛି। ତ୍ୱରିତ ନିଷ୍ପତ୍ତି ନେବାର କ୍ଷମତା ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାରେ ଏହା ଅଧିକ ସଫଳ ହୋଇ ପାରିବ।

ପୂର୍ବରୁ ବଣାଇ ଉପଖଣ୍ଡର ବିଭିନ୍ନ ଥାନା ସୁନ୍ଦରଗଡ଼ ପୁଲିସ ଜିଲା ଅଧୀନରେ ଥିଲା। ଭୌଗୋଳିକ ସୀମା ଓ ଦୂରତା ଦୃଷ୍ଟିରୁ ପୁଲିସ ପ୍ରଶାସନ ପାଇଁ ଏହା ଦୁରୂହ ବ୍ୟାପାର ଥିଲା। ଏହାକୁ ହୃଦୟଙ୍ଗମ କରି ରାଉରକେଲା ପୁଲିସ ଜିଲାରେ ଏହାକୁ ମିଶ୍ରଣ କରିବା ପାଇଁ ତତ୍‌କାଳୀନ ଏସପି ସତ୍ୟଜିତ ମହାନ୍ତି ୧୯୯୭ ମସିହାରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ୧୦ବର୍ଷ ପରେ ଅର୍ଥାତ ୨୦୦୭ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ବିଶ୍ରା ଓ ବ୍ରାହ୍ମଣୀତରଙ୍ଗ ଥାନାକୁ ରାଉରକେଲା ପୁଲିସ ଜିଲାରେ ସାମିଲ କରାଯାଇଥିଲା। ରାଉରକେଲା ସହରର ଥାନା ସଂଖ୍ୟା ବୃଦ୍ଧି ପାଇଛି। ୨୦୧୦-୧୧ରେ ଛେଣ୍ଡ ଥାନା ଓ ମହିଳା ଥାନା ପ୍ରତିଷ୍ଠା କରାଯାଇଥିଲା।

Comments are closed.