କବାଡ଼ି ଗୁରୁ ପ୍ରେମାନନ୍ଦ ଖେଳୁଥିଲେ, ଖେଳାଳି ସୃଷ୍ଟି କରି ଗୌରବ ଆଣିଲେ

ରାଉରକେଲା, : ରାଉରକେଲା ସହରର ଅନେକ କ୍ରୀଡ଼ା ପ୍ରତିଭା ସହର ପାଇଁ ଗୌରବ ଆଣିବା ସହିତ ପରର୍ବୀ ସମୟରେ ଭଲ ଖେଳାଳି ସୃଷ୍ଟି କରି ଏପରିକି ପରିଣତ ବୟସରେ ମଧ୍ୟ ଏହି ଧାରାକୁ ଅବ୍ୟାହତ ରଖିଛନ୍ତି। ଏହିଭଳି ଜଣେ ଅନନ୍ୟ କ୍ରୀଡାବିତ୍ ହେଲେ ପ୍ରେମାନନ୍ଦ ଶତପଥା। ପ୍ରେମାନନ୍ଦଙ୍କ ବଡ଼ ଭାଇ ବ୍ରହ୍ମାନନ୍ଦ ଶତପଥୀ ଉପକୂଳ ଯାଜପୁର ଜିଲାରେ କବାଡ଼ି ଭଳି ଖେଳକୁ ଅଧିକ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବଡ଼ ଭାଇଙ୍କ ପଦାଙ୍କ ଅନୁସରଣ କରି କବାଡ଼ି ଖେଳକୁ ଆପଣେଇଥିଲେ ପ୍ରେମାନନ୍ଦ। ୧୯୭୦ ମସିହାରେ ରାଉରକେଲା ଇସ୍ପାତ କାରଖାନାରେ ଚାକିରି ପାଇବା ପରେ ଆରଏସପି ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ। ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତାକୁ ଜାହିର କରିଥିଲେ। ବଡ଼ ଭାଇଙ୍କ ପରି ପଂଜାବର ପାତିଆଲାରେ ଥିବା ଜାତୀୟ କ୍ରୀଡ଼ା ଶିକ୍ଷାନୁଷ୍ଠାରୁ ପ୍ରଶିକ୍ଷଣରେ ଡିପ୍ଲୋମାରେ ଉତୀର୍ଣ୍ଣ ହୋଇଥିଲେ ପ୍ରେମାନନ୍ଦ। ୧୯୮୧ରୁ ୧୯୮୮ ପର୍ଯ୍ୟନ୍ତ ଇସ୍ପାତ କାରଖାନା କ୍ରୀଡ଼ା ବୋର୍ଡ଼(ଏସପିଏସବି)ର ଦୁଇ ଥର ପ୍ରଶିକ୍ଷକ ମନୋନୀତ ହୋଇଥିଲେ। ୨୦୦୨ରେ ଭାରତୀୟ କବାଡ଼ି ମହାସଂଘର ମ୍ୟାଚ ରେଫରୀ ଭାବେ ମାନ୍ୟତା ପାଇଥିଲେ। ଆରଏସପିରେ ଟ୍ରାଫିକ ବିଭାଗରେ କାର୍ଯ୍ୟ କରୁଥିଲେ। କିନ୍ତୁ ନିଜ କର୍ମମୟ ଜୀବନରୁ ଟିକିଏ ସମୟ ପାଇବା ମାତ୍ରେ ଭଲ ଖେଳାଳି ସୃଷ୍ଟି କରିବା ନିଶାରେ ସେ ମସଗୁଲ ଥିଲେ। ଚାକିରିରୁ ଅବସର ପରେ ସେ ନିଜର କବାଡ଼ିର ବିକାଶ ପାଇଁ ନିଶାକୁ ଛାଡ଼ି ନାହାଁନ୍ତି।

 

କବାଡ଼ି ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ତାଙ୍କ ସମର୍ପିତ ସାଧନା ଫଳରେ ଏହି କ୍ଷେତ୍ରରେ ବହୁ ସଫଳ ଖେଳାଳି ସୃଷ୍ଟି ହୋଇଥିଲେ। ବହୁ ରାଜ୍ୟ ଓ ଜାତୀୟ ଖେଳାଳି ସେ ସୃଷ୍ଟି କରିଥିବା ବେଳେ ସେମାନେ କ୍ରୀଡ଼ା କ୍ଷେତ୍ରରେ ସ୍ୱନାମ ଆଣିଛନ୍ତି। ଏହି ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ପ୍ରମିଳା ମହାନ୍ତି, ନମିତା ବୋଷ, ସସ୍ମିତା ଜେନା,ରଶ୍ମିତା ଜେନା, ସରସ୍ୱତୀ ସେଠୀ, ଆର.କେ. ମଲ୍ଲିକ, ସଙ୍ଗୀତା ମିଂଜ ପ୍ରମୁଖ। ଉପକୂଳ ଜିଲାର ଏହି ଲୋକପ୍ରିୟ ଖେଳକୁ ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲାରେ ଲୋକପ୍ରିୟ କରାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତାଙ୍କ ମତରେ ଆରଏସପିର ପ୍ରୋତ୍ସାହନ ଏଦିଗରେ ଅତୀତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆରଏସପି କର୍ତୃପକ୍ଷ ଏହି ପୁରାତନ କ୍ରୀଡ଼ାର ଅଧିକ ବିକାଶ ପାଇଁ ଅବସରପ୍ରାପ୍ତ ତଥା ଅନୁଭବୀ ପ୍ରଶିକ୍ଷକଙ୍କ ସହଯୋଗ ନେଲେ ଆରଏସପି ଦଳ ଅତୀତ ପରି ଏହି କ୍ରୀଡ଼ାରେ ଜାତୀୟ ସ୍ତରରେ ଆହୁରି ସଫଳତା ହାସଲ କରି ପାରିବ। ନୂତନ ତଥା ଉଦୀୟମାନ ଖେଳାଳିମାନେ ନିଷ୍ଠା ଓ ସାଧନା ଜାରି ରଖିଲେ ସଫଳତା ନିଶ୍ଚିତ ଭାବେ ମିଳିବ ବୋଲି ପ୍ରେମାନନ୍ଦ କହିଛନ୍ତି। ସେହିପରି ରାଜ୍ୟ ସରକାର ଏହି ଖେଳ ପାଇଁ ଆଗ୍ରହୀ ତଥା ଖେଳ ଜାରି ରଖିଥିବା ପ୍ରତିଭା ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସାଙ୍ଗକୁ ଅନ୍ୟ ସୁବିଧା ଯୋଗାଇଲେ ସେମାନେ ରାଜ୍ୟ ପାଇଁ ଗୋ÷ରବ ଆଣିପାରିବେ ବୋଲି ପ୍ରେମାନନ୍ଦ କହିଛନ୍ତି।

Comments are closed.