ରାଉରକେଲାରେ ପ୍ରତିଷ୍ଠା ହେବ ସୌରଚାଳିତ ଶୀତଳଭଣ୍ଡାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପରିଚାଳନା ଦାୟିତ୍ୱ

ରାଉରକେଲା: ଚାଷୀ, ଛୋଟ ଛୋଟ ପରିବା ଏବଂ ଫଳ ବ୍ୟବସାୟୀମାନଙ୍କ ସୁବିଧା ପାଇଁ ରାଉରକେଲା ସହରରେ ସୌରଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ। ଏହି ଶୀତଳଭଣ୍ଡାରକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପରିଚାଳନା କରିବେ। ଏନେଇ ପ୍ରଥମ ପର୍ଯ୍ୟାୟରେ ୨ଟି ଏସଏଚଜିକୁ ଚୟନ କରାଯାଇଛି। ଏହି ଶୀତଳଭଣ୍ଡାରକୁ କିପରି ପରିଚାଳନା କରାଯିବ ସେନେଇ ଏସଏଚଜି ମା’ମାନଙ୍କୁ ରାଉରକେଲା ମହାନଗର ନିଗମ ଓ କୋଏଲ ଫ୍ରେସ ପ୍ରାଇଭେଟ ଲିମିଟେଡର ମିଳିତ ସହଯୋଗରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ତାଲିମ ଦିଆଯାଇଛି।

ରାଉରକେଲା ସହରରେ ଫଳ ଓ ପନିପରିବା ବିକ୍ରି କରୁଥିବା କ୍ଷୁଦ୍ର ବ୍ୟବସାୟୀମାନେ ଶୀତଳ ଭଣ୍ଡାର ସୁବିଧା ନଥିବାରୁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ସେମାନେ କ୍ଷତି ସହୁଥିବା ଲକ୍ଷ୍ୟ କରାଯାଇଛି। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ପକ୍ଷରୁ ୫ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର କରାଯିବ। ଫଳରେ ପରିବା ଏବଂ ଫଳ ବ୍ୟବସାୟୀମାନେ ନିଜ ସାମଗ୍ରୀର ସଂରକ୍ଷଣ କରିପାରିବା ସହିତ ମିଶନଶକ୍ତିର ମା’ମାନଙ୍କୁ ଜୀବିକା ମିଳିବ ଏବଂ ସହରବାସୀ ସତେଜ ପନିପରିବା ଓ ଫଳ ପାଇପାରିବେ।

ଶୀତଳଭଣ୍ଡାର ପରିଚାଳନା ଲାଗି ଚୟନ ହୋଇଥିବା ୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପୂର୍ବରୁ ରାଉରକେଲା ମହାନଗର ନିଗମ ସହ କାର୍ଯ୍ୟ କରିଆସୁଛନ୍ତି । ସେମାନେ ବିଭିନ୍ନ ପ୍ରକାରର କାର୍ଯ୍ୟକୁ ସୁଚାରୁରୂପେ କରୁଥିବାରୁ ସେମାନଙ୍କୁ ଏହି ପ୍ରକଳ୍ପ ପାଇଁ ଚୟନ କରାଯାଇଛି।

ନିକଟରେ ହୋଇଥିବା ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇ ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଥିଲା। କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲିଷ୍ଟ ହୋଇପାରିଛନ୍ତି। ଏବେ ରାଉରକେଲା ସହରକୁ ବିଶ୍ୱର ଶୀର୍ଷ ୧୫ଟି ସହର ଭିତରେ ସ୍ଥାନ ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

Comments are closed.