ରାଉରକେଲା ସହରକୁ ଶିଶୁ-ଅନୁକୂଳ କରିବା ପାଇଁ ପଦକ୍ଷେପ

ରାଉରକେଲା: ରାଉରକେଲାକୁ ସାନ ସାନ ପିଲାଙ୍କ ପାଇଁ ଆନନ୍ଦମୟ ଓ ଉପଯୋଗୀ ବା ଚିଲ୍ଡ୍ରେନ୍ ଫ୍ରେଣ୍ଡଲି ସହରରେ ପରିଣତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଉରକେଲା ସ୍ମାର୍ଟସିଟି ଏବଂ ମହାନଗର ନିଗମର ମିଳିତ ସହଯୋଗରେ ଅଙ୍ଗନବାଡ଼ି କେନ୍ଦ୍ର, ପାର୍କ ଏବଂ ବିଭିନ୍ନ ବସ୍ତି ଅଞ୍ଚଳକୁ ଶିଶୁ-ଅନୁକୂଳ କରିବା ଲାଗି ଉଦ୍ୟମ କରାଯାଉଥିବା କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ପିଲାମାନଙ୍କ ପାଇଁ ସୁସ୍ଥ, ସୁରକ୍ଷିତ ଓ ଆନନ୍ଦମୟ ପରିବେଶ ସୃଷ୍ଟି କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।

ନର୍ଚରିଂ ନେବରହୁଡ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମରେ ରାଉରକେଲା ସହର ଦେଶର ୨୫ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇବା ଆମ ସମସ୍ତଙ୍କ ପାଇଁ ଖୁସିର କଥା। ତେଣୁ ଏହି ସଫଳତାକୁ ଆଉ ଏକ ସୋପାନକୁ ନେବା ଲାଗି ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି। ପିଲାମାନଙ୍କ ଖେଳକୁଦ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା ସହିତ ସେମାନଙ୍କ ମାନସିକ ତଥା ବୌଦ୍ଧିକ ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଅଭିଭାବକମାନଙ୍କ ପାଇଁ ମଧ୍ୟ ବିଶେଷ ସୁବିଧା କରାଯାଉଛି’’, କହିଛନ୍ତି ଦିବ୍ୟଜ୍ୟୋତି ପରିଡ଼ା। ସେହିପରି ରାଉରକେଲା ସହରରେ କ୍ରେଜ୍ ହୋମ୍ ବା ଶିଶୁ ଯତ୍ନ କେନ୍ଦ୍ର ବ୍ୟବସ୍ଥା କରାଯାଉଥିବା କମିଶନର କହିଛନ୍ତି।

ଗତ କିଛି ମାସ ତଳେ ଦେଶର ଆଧୁନିକ ସହରଗୁଡ଼ିକୁ ପିଲାଙ୍କ ପାଇଁ ଅନୁକୂଳ ଓ ଆନନ୍ଦମୟ କରିବାକୁ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ‘ନର୍ଚରିଂ ନେବରହୁଡ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅନ୍ତର୍ଜାତୀୟ ସାମାଜିକ ସଙ୍ଗଠନ ବର୍ଣ୍ଣାଡ୍ ଭାନ୍ ଲିର୍ ଫାଉଣ୍ଡେସନ ଏବଂ ଓ୍ୱାଲର୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ ସହଯୋଗିତାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ‘ନର୍ଚରିଂ ନେବରହୁଡ୍ ଚ୍ୟାଲେଞ୍ଜ’ ବର୍ଗରେ ରାଉରକେଲା ଦେଶର ୨୫ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସହରକୁ ଶିଶୁ ଅନୁକୂଳ କରିବା ଲାଗି ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି।

Comments are closed.