ଚାହିଁ ଚାହିଁ ଆଖିରୁ ମଲାଣି ପାଣି: ତଥାପି ଝୁଲୁଛି ସ୍ୱଳ୍ପଆୟକାରୀଙ୍କ ପାଇଁ ବାସଗୃହ ପ୍ରକଳ୍ପ

ରାଉରକେଲା : ସହରରେ ଅର୍ଥନୈତିକ ଅନଗ୍ରସର ଓ ସାଧାରଣ ଲୋକଙ୍କ ପାଇଁ ବାସଗୃହ  ସମସ୍ୟା ଏକ ବଡ଼ ଆହ୍ୱାନରେ ପରିଣତ ହୋଇଛି । ସ୍ୱଳ୍ପ ଆୟରେ ସହରରେ ଘରଟିଏ କରିବା ଏକ ସ୍ୱପ୍ନ ପାଲଟିଛି ।  ଦୀର୍ଘବର୍ଷ ଧରି ରାଉରକେଲା ସହରରେ ହାଉସିଂ ବୋର୍ଡ଼ କିମ୍ବା ରାଉରକେଲା ଉନ୍ନୟନ କର୍ତୃପକ୍ଷଙ୍କ ପକ୍ଷରୁ ନୂତନ ବାସଗୃହ ପ୍ରକଳ୍ପ ହାତକୁ ନିଆଯାଉ ପାରୁନଥିବାରୁ ଲୋକେ ସରକାରୀ ପ୍ରକଳ୍ପକୁ ଚାହିଁ ରହିଛନ୍ତି । ଗୃହ ନିର୍ମାଣ ପାଇଁ ଥିବା ରାଉରକେଲାର ଓଡ଼ିଶା ହାଉସିଂ ବୋର୍ଡ଼ କାର୍ଯ୍ୟାଳୟ  ଏକ ସାଇନବୋର୍ଡ଼ ସଂସ୍ଥାରେ ପରିଣତ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ‘ସମସ୍ତଙ୍କ ପାଇଁ ଗୃହ’ନୀତି ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ରାଉରକେଲାରେ ସ୍ୱଳ୍ପଆୟକାରୀ ତଥା ଅର୍ଥନୈତିକ ଅନଗ୍ରସର ଲୋକଙ୍କ ପାଇଁ ଆରମ୍ଭ ହେବାକୁ ଥିବା ବାସଗୃହ ଯୋଜନା  ଆଉ କେତେଦୂର ବୋଲି ସାଧାରଣରେ ଆଲୋଚନା ହେଉଛି । ଉଲ୍ଲେଖଯୋଗ୍ୟଯେ ରାଉରକେଲା ଉନ୍ନୟନ କର୍ତୃପକ୍ଷଙ୍କ ତତ୍ୱବଧାନରେ ସହରରେ ସ୍ୱଳ୍ପ ଆୟକାରୀ ଲୋକଙ୍କ ପାଇଁ  ଏହି ପ୍ରକଳ୍ପ ଆରମ୍ଭ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଛେଣ୍ଡକଲୋନୀ ଅନ୍ତର୍ଗତ ତଥା ବିପିୟୁଟି ପଛ ପାଶ୍ୱର୍ରେ ଖାଲି ଥିବା ୫.୦୫ ଏକର ଜମିରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ସହିତ ଟେଣ୍ଡର ପରେ ଏହାର  କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । କମ୍ପାନୀ ଆଇନ -୨୦୧୩ ଅନୁସାରେ କାର୍ଯ୍ୟାଦେଶ ପରେ ସ୍ପେସିଆଲ ପର୍ପୋଜ ଭେଇକିଲ ଆଧାରରେ ଏହି ପ୍ରକଳ୍ପ ପାଇଁ ଛେଣ୍ଡ ହେରିଟେଜ ହୋମ ପ୍ରାଇଭେଟ ଲିମିଟେଡ଼ ନାମରେ କମ୍ପାନୀ ଗଠନ କରାଯାଇଥିଲା । ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗିତା(ପିପିପି) ଆଧାରରେ କାର୍ଯ୍ୟକାରୀ ହେବ । ପିପିପି ବ୍ୟବସ୍ଥା ଅନୁଯାୟୀ ଏହି ସମୁଦାୟ ଜାଗା ମାଧ୍ୟମରୁ କାର୍ଯ୍ୟାଦେଶ ପାଇଥିବା କମ୍ପାନୀକୁ ୩୫ପ୍ର୍‌ତିଶତ ଜାଗା ଅର୍ଥାତ ୧.୭୫ ଏକର ସରକାର ମାଗଣାରେ ଦେବେ । ବାକି ୬୫ ପ୍ରତିଶତ ଅର୍ଥାତ ୩.୩୦ ଏକର ଜମିରେ ଏହି କମ୍ପାନୀ ଏହି ସ୍ୱଳ୍ପଆୟକାରୀ ଲୋକଙ୍କ ପାଇଁ ୫୦୦ ବାସଗୃହ ନିର୍ମାଣ କରିବା ପାଇଁ ନିଷ୍ପତି ହୋଇଥିଲା ।  ରାଜ୍ୟ ସରକାରଙ୍କ ଜମି, କେନ୍ଦ୍ରସରକାରଙ୍କ ୧ଲକ୍ଷ ୫୦ହଜାର ଟଙ୍କା ଅନୁଦାନ, ହିତାଧିକାରୀଙ୍କ ୧ଲକ୍ଷ ୫୦ହଜାରଟଙ୍କା ଅଂଶଧନକୁ ନେଇ କମ୍ପାନୀ ଅବଶିଷ୍ଟ ଅର୍ଥବ୍ୟୟରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ । ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ରହିଛି ୩୪କୋଟି ୯୮ଲକ୍ଷଟଙ୍କା । ସିଭିଲଟାଉନସିପରେ ଥିବା ମାନଟେଲା (କ) ଓ (ଖ) ବସ୍ତି, ବାଙ୍ଗଲାଟୋଲା, ପାନପୋଷ ଅଂଚଳର ଗରିବ ବସ୍ତିବାସିନ୍ଦାଙ୍କୁ ଏଠାରେ ବାସଗୃହ ପ୍ରକଳ୍ପ ମିଳିବ । ଫଳରେ ପାନପୋଷ ବ୍ରାହ୍ମଣୀ ନଦୀକୁଳରେ ପ୍ରସ୍ତାବିତ ନଦୀ କୂଳ  ସୌନ୍ଦର୍ଯ୍ୟକରଣ ଯୋଜାନାକୁ କାର୍ଯ୍ୟକାରୀ କରାଯାଇପାରିବ ବୋଲି ଏହି ଯୋଜନା  ଆଧାରରେ ନିଷ୍ପତି ହୋଇଥିଲା । ସେହିପରି ସିଭିଲଟାଉନସିପ ଅଂଚଳର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ପରିବ୍ୟାପ୍ତ କରିବାର ଯୋଜନା ରହିଛି । ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକୁ ଚୁଡ଼ାନ୍ତ ରୁପରେଖ ଦେବା ପାଇଁ ପ୍ରସ୍ତୁତି ବୈଠକ ସରିଥିବା ବେଳେ ଏହାର କାର୍ଯ୍ୟକାରିତାକୁ ଅପେକ୍ଷା ରହିଛି । ଏହି ଯୋଜନା ପ୍ରସ୍ତୁତ ହେବାର ବହୁମାସ ଅତିକ୍ରାନ୍ତ ହୋଇଛି । କିନ୍ତୁ କାର୍ଯ୍ୟକାରୀ ହେଉନଥିବାରୁ ଲୋକଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହୋଇଛି । ଏନେଇ ଆରଡିଏର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରକିୟା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଏହୌି ପ୍ରକଳ୍ପ ପାଇଁ ପ୍ଲାନ ଆପ୍ରୁଭାଲ ଚୁଡ଼ାନ୍ତ ହୋଇନଥିଲା । ଏଥିପାଇଁ ଆରଡିଏର ଟ୍ରାନଜାକ୍ସନ ଆଡଭାଇଜର ଥିବା ଭୁବନେଶ୍ୱର ଡେଭଲପମେଂଟ ଅଥରିଟି(ବିଡିଏ) ପକ୍ଷରୁ ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ଗତ ୪ତାରିଖ ଦିନ ପ୍ଲାନ ଆପ୍ରୁଭ ହୋଇଛି। କାମର ଅଗ୍ରଗତି ଓ ଉପଯୁକ୍ତ ପରିଚାଳନା ପାଇଁ ଦୁଇଜଣ ବିଲ୍‌ଡରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏବେ ଓଡିଶା ରିୟଲ ଇଷ୍ଟେଟ(ରେଗୁଲେସନ ଡେଭଲପମେଂଟ) ରୁଲ-୨୦୧୭ ଅନୁସାରେ କାର୍ଯ୍ୟାଦେଶ ପାଇଥିବା କମ୍ପାନୀର ରେଜିଷ୍ଟ୍ରେସନ ହେବା ବାକି ଅଛି । ଏହା ଶେଷ ହେବା ପରେ ଏଥିପାଇଁ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି । ତେବେ ହାଉସିଂ ପ୍ରକଳ୍ପରେ ଥିବା ନିୟମକୁ କେତେକାଂଶରେ ପରିବର୍ତନ କରାଯାଇଛି । ପୂର୍ବରୁ ଏହି ସମୁଦାୟ ଜାଗା ମାଧ୍ୟମରୁ କାର୍ଯ୍ୟାଦେଶ ପାଇଥିବା କମ୍ପାନୀକୁ ୩୫ପ୍ର୍‌ତିଶତ ସରକାର ମାଗଣାରେ ଦେବେ ଓ ବାକି ୬୫ ପ୍ରତିଶତ ଜମିରେ ଏହି କମ୍ପାନୀ ଏହି ସ୍ୱଳ୍ପଆୟକାରୀ ଲୋକଙ୍କ ପାଇଁ ୫୦୦ ବାସଗୃହ ନିର୍ମାଣ କରିବା ପାଇଁ ନିଷ୍ପତି ହୋଇଥିଲା । କିନ୍ତୁ ଏବେ ପରିବର୍ତିତ ନିଷ୍ପତି ଅନୁଯାୟୀ ୪୦ ପ୍ରତିଶତ ଜାଗା କମ୍ପାନୀ ପାଇବ ଓ ୬୦ ପ୍ରତିଶତ ଜାଗାରେ ସ୍ୱଳ୍ପ ଆୟକାରୀଙ୍କ ପାଇଁ ବାସଗୃହ ନିର୍ମାଣ କରିବ ବୋଲି ନିଷ୍ପତି ନିଆଯାଇଛି । ଏହା କାର୍ଯ୍ୟକାରୀ ହେବା ପରେ ପରବର୍ତୀ ଅବସ୍ଥାରେ ପ୍ରଧାନାପାଲୀ ଅଂଚଳରେ ଏହି ବାସଗୃହ ପ୍ରକଳ୍ପ ହାତକୁ ନିଆଯିବାର ଯୋଜନା ଆରମ୍ଭ ହୋଇଛି । ଏଥିପାଇଁ ସଂସ୍ଥାର ଟ୍ରାନ୍‌ଜାକସନ ଆଡଭାଇଜର ବିଡିଏକୁ ଆବଶ୍ୟକ ପ୍ରକ୍ରିୟା ପାଇଁ ତଥ୍ୟ ପ୍ରଦାନ କରାଯାଇଛି । ଆଗକୁ ସହରବାସୀଙ୍କ ପାଇଁ ଆଉ ଏକ ପ୍ରକଳ୍ପର ସମ୍ବାବନା ସୃଷ୍ଟି ହୋଇଛି । ତେବେ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ସବୁ କିଛି ନିର୍ଭର କରୁଛି ବୋଲି ଆଲୋଚନା ହେଉଛି ।
ସ୍ୱଳ୍ପ ଆୟକାରୀଙ୍କ ପାଇଁ ସହରାଂଚଳରେ ରାଉରକେଲା ମହାନଗରନିଗମର ଗୁରୁ ଦାୟିତ୍ୱ ରହିଛି ।  ସହରାଂଚଳରେ ଥିବା ସ୍ୱଳ୍ପ ଆୟକାରୀଙ୍କ ବାସଗୃହ ପାଇଁ ରାଉରକେଲା ମହାନଗରନିଗମ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ରାଉରକେଲା ମହାନନଗରନିଗମ ଅଂଚଳରେ ରହୁଥିବା ବାସିନ୍ଦାଙ୍କ ପାଇଁ ଏହା ପ୍ରଯୁଜ୍ୟ ରହିଛି । ଉକ୍ତବାସିନ୍ଦାଙ୍କ ପାଖରେ ଜାଗାର ପଟ୍ଟା ରହିବା ସହିତ ତାଙ୍କର ବାର୍ଷିକ ଆୟ ୧ଲକ୍ଷ ୮୦ ହଜାରଟଙ୍କାରୁ କମ ହୋଇଥିଲେ ସେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ । କେନ୍ଦ୍ରସରକାରଙ୍କ ୧ଲକ୍ଷ ୫୦ ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କ ୫୦ ହଜାର ଏପରି ୨ଳକ୍ଷଟଙ୍କର ସହାୟତା ଏହି ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି । ୩ମାସ ମଧ୍ୟରେ ଘର ପୂଣ୍ଣାଙ୍ଗ ହେଲେ ପ୍ରୋତ୍ସାହନ ସ୍ୱରୁପ ସମ୍ପୃକ୍ତ ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି । ବନପୋଷ, ପଧାନାପାଲୀ, ଟୁଙ୍ଗୁରି ଟୋଲି, ଦେହୁରି ବସ୍ତି, ବ୍ରାହ୍ମଣୀତରଙ୍ଗ ଆଦି ଅଂଚଳର ବାସିନ୍ଦା ଏହି ପ୍ରଧାମମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ନିର୍ମାଣ ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି । ଏହି ନିୟମରେ ଆସୁଥିବା ବାସିନ୍ଦା ଏହାର ସୁଫଳ ନେଇପାରିବେ ବୋଲି ଆରଏମସିର ବିଭାଗୀୟ ଅଧିକାରୀ କହିଛନ୍ତି

Comments are closed.