ରାଉରକେଲା ମହାବିଦ୍ୟାଳୟ ପ୍ରତି ଦୃଷ୍ଟିପଡ଼ିବ କେବେ; ଅଧ୍ୟାପକ ଓ କର୍ମଚାରୀଙ୍କ ଅଭାବ

+୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୋଛକିରେ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଉଚ୍ଚଶିକ୍ଷା ପାଇଁ ୬୦ ଦଶକର ଶେଷ ଭାଗରେ ଅର୍ଥାତ ୧୯୬୭ ମସିହାରେ ରାଉରକେଲା ସାନ୍ଧ୍ୟ ମହାବିଦ୍ୟାଳୟ ପରବର୍ତ୍ତି ଅବସ୍ଥାରେ ରାଉରକେଲା ମହାବିଦ୍ୟାଳୟର ପରିଚୟ ପାଇଛି। ଏହି ମହାବିଦ୍ୟାଳୟରୁ ପାଠ ପଢିଥିବା କର୍ମଚାରୀମାନେ ପଦୋନ୍ନତି ପାଇଁ ସଫଳତାର ସୋପାନରେ ପହଞ୍ଚିଛନ୍ତି। କିନ୍ତୁ ଏହି ମହାବିଦ୍ୟାଳୟର ବିକାଶ ପାଇଁ ଯେପରି ପଦକ୍ଷେପ ନିଆଯିବା କଥା ତାହା ନିଆଯାଇ ପାରୁନାହିିଁ। ପ୍ରଶାସନ ଓ ଆରଏସପି କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରହୁନଥିବାରୁ ମହାବିଦ୍ୟାଳୟର ବିକାଶ ଅଧାବାଟରେ ଅଟକିଥିବା ଆଲୋଚନା ହେଉଛି। ରାଉରକେଲା ଇସ୍ପାତ ସହରାଞ୍ଚଳର ଏକ ପ୍ରମୁଖ ସ୍ଥାନରେ ଏହି ମହାବିଦ୍ୟାଳୟ ଥିବାରୁ ଆଖପାଖ ଅଞ୍ଚଳରେ ଶିକ୍ଷାର୍ଥୀମାନଙ୍କର ଏହି ମହାବିଦ୍ୟାଳୟ ପ୍ରତି ଆକର୍ଷଣ ବୃଦ୍ଧି ପାଇଥିଲା। ପ୍ରାରମ୍ଭିକ ଅବସ୍ଥାରେ ଆରଏସପି କର୍ମଚାରୀଙ୍କ ପାଇଁ ଏହି ମହାବିଦ୍ୟାଳୟ ବିଶେଷଭାବେ ଉଦ୍ଧିଷ୍ଟ ଥିଲା। ପରବର୍ତ୍ତି ଅବସ୍ଥାରେ ଶିକ୍ଷାର୍ଥୀମାନଙ୍କର ଆବଶ୍ୟକତାକୁ ନେଇ ପରିବର୍ତ୍ତନ ହୋଇଥିଲା।

ଏହି ମହାବିଦ୍ୟାଳୟକୁ ୧୯୮୯ରେ ରାଜ୍ୟ ସରକାର ହାତକୁ ନେଲେ। ଫଳରେ ମହାବିଦ୍ୟାଳୟର ସମୟ ସାରଣୀ ବଦଳିଲା। ରାଉରକେଲା ସାନ୍ଧ୍ୟମହାବିଦ୍ୟାଳୟରୁ ଏହା ରାଉରକେଲା ମହାବିଦ୍ୟାଳୟ ହେଲା। ସମୟସାରଣୀର ପରିବର୍ତ୍ତନ ଓ ସରକାର ଏହାକୁ ହାତକୁ ନେବା ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। କିନ୍ତୁ ବର୍ତ୍ତମାନ ମହାବିଦ୍ୟାଳୟର ଭିତ୍ତିଭୂମିଠାରୁ ଆରମ୍ଭ କରି ଅଧ୍ୟାପକ ଓ କର୍ମଚାରୀଙ୍କ ଅଭାବ ଶିକ୍ଷାର୍ଥୀଙ୍କ ପାଇଁ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି। ଏପରିକି ଶିକ୍ଷା ପାଇଁ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ମହାବିଦ୍ୟାଳୟରେ ସାମିଲ ହୋଇ +୨ ବିଜ୍ଞାନର ଛାତ୍ରଛାତ୍ରୀ । ବର୍ତ୍ତମାନ କରୋନା ପାଇଁ ମହାବିଦ୍ୟାଳୟ ଖୋଲି ପାରୁନଥିବାରୁ ଅନଲାଇନ ଶିକ୍ଷା ପ୍ରଦାନ କରାଯାଉଛି। କିନ୍ତୁ ଏହି ବ୍ୟବସ୍ଥାରୁ ବିଜ୍ଞାନର ଛାତ୍ରଛାତ୍ରି ବଞ୍ଚିତ ହେଉଥିବା ଅଭିଯୋଗ ହେଉଛିି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ୬ବର୍ଷ ତଳେ ଏହି ମହାବିଦ୍ୟାଳୟରେ ସାମିଲ ହୋଇଥିବା +୨ ବିଜ୍ଞାନ ପାଇଁ ଆଉ ଏକ ବୋଝ ସୃଷ୍ଟି ହୋଇଛି। ସେକ୍ଟର-୭ରେ ଥିବା ଏନଏସି (ଏସଟି) ମହାବିଦ୍ୟାଳୟକୁ ଏହି ମହାବିଦ୍ୟାଳୟରେ ସାମିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୪ ଠାରୁ ଏହି ମହାବିଦ୍ୟାଳୟରେ ଆରମ୍ଭ ହେଲା +୨ ବିଜ୍ଞାନ ବିଭାଗ। ତେବେ ଏହି ବିଭାଗଟି ଖୋଲାହେଲା ସତ, କିନ୍ତୁ ଏଥିପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଗ୍ରହଣ କରାଗଲା ନାହିଁ । +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତ କରାଗଲା ନାହିଁ। ଏପରିକି କର୍ମଚାରୀ ମଧ୍ୟ ଦିଆଗଲା ନାହିଁ। ଲ୍ୟାବ ଆସିଷ୍ଟାଂଟ ଓ ଆଟେଣ୍ଡାଣ୍ଟ ମଧ୍ୟ ନାହାଁନ୍ତି। ଅତିଥି ଅଧ୍ୟାପକ ବ୍ୟବସ୍ଥା ମଧ୍ୟ ବର୍ତମାନ ବନ୍ଦ୍‍ ହୋଇଛି। ଯାହାଫଳରେ ଏହି ବିଭାଗର ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ବର୍ତ୍ତମାନ ଅନଲାଇନ ଶିକ୍ଷା ପାଇବାରେ +୨ ବିଜ୍ଞାନର ୧୨୮ଜଣ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ପିଲାଙ୍କ ପାଇଁ ସେକ୍ଟର-୭ରେ ଥିବା ମହାବିଦ୍ୟାଳୟରେ ୧କୋଟି ଟଙ୍କା ବ୍ୟୟରେ ବିଜ୍ଞାନ ପରୀକ୍ଷାଗାର ନିର୍ମାଣ ଚାଲିଛି। ପୂର୍ବରୁ ଅତିଥି ଅଧ୍ୟାପକ ପାଠ ପଢାଉଥିବାବେଳେ ସ୍ଥାୟୀ ଅଧ୍ୟାପକ ନାହାଁନ୍ତି। ଏବେ ଅତିଥି ଅଧ୍ୟାପକ ବ୍ୟବସ୍ଥାକୁ ବି ବନ୍ଦ୍‍ କରିଦିଆଯାଇଛି। ମହାବିଦ୍ୟାଳୟରେ ଏକ ନୂଆ ପାଠ୍ୟକ୍ରମ ଖୋଲିଦେବା ପରେ ଏହି ଶିକ୍ଷାର୍ଥୀଙ୍କ ପାଠପଢା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରତି ସରକାର ଧ୍ୟାନ ଦେଉ ନାହାଁନ୍ତି । +୨ ବିଜ୍ଞାନ ପରେ ଶିକ୍ଷାର୍ଥୀମାନେ ନୂଆ କ୍ୟାରିୟର ଗଠନର ସ୍ୱପ୍ନ ଦେଖିଥାନ୍ତି। ସେକ୍ଟର-୭ରେ ଥିବା ଏନଏସି ମହାବିଦ୍ୟାଳୟକୁ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ପାଠ୍ୟକ୍ରମକୁ ରାଉରକେଲା ମହାବିଦ୍ୟାଳୟରେ ମିଶାଇ ଦେଇଥିଲେ। କିନ୍ତୁ ବିଭାଗ ପ୍ରତି ଯେପରି ସରକାରଙ୍କ କୌଣସି ଧ୍ୟାନ ନଥିବ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ବିଶେଷକରି ଏଠାକୁ ଆସୁଥିବା ଦୂରଦୂରାନ୍ତର ଛାତ୍ରଛାତ୍ରୀଙ୍କ ରହଣୀ ପାଇଁ ସରକାରଙ୍କ ପକ୍ଷରୁ ୧୧କୋଟି ଟଙ୍କା ବ୍ୟୟରେ ଦୁଇଟି ହଷ୍ଟେଲ ନିର୍ମାଣ କରାଯାଇଥିଲା। ଉଭୟ ଛାତ୍ରାବାସ ଓ ଛାତ୍ରୀନିବାସରେ ୧୫୦ ଲେଖାଏଁ ସିଟ୍ ରହିଥିବାବେଳେ ୩୦୦ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା ରହିଛି। କିନ୍ତୁ +୨ ବିଜ୍ଞାନ ପରି ଏହି ହଷ୍ଟେଲର ଭାଗ୍ୟ ମଧ୍ୟ ଅଧାବାଟରେ ଅଟକିଛି। ବହୁ ବିଳମ୍ବରେ ହେଲେ ମଧ୍ୟ ମହାବିଦ୍ୟାଳୟକୁ ଏହି ହଷ୍ଟେଲକୁ ହସ୍ତାନ୍ତରିତ କରାଯାଇଛି। କିନ୍ତୁ ଏହାର ବିଦ୍ୟୁତ ସଂଯୋଗ ପାଇଁ ବ୍ୟବସ୍ଥା ଅଟକିଛି। ଆରଏସପି କର୍ତ୍ତୃପକ୍ଷ ଏଥିପାଇଁ ଏନଓସି ଦେଇନଥିବାରୁ ବିଦ୍ୟୁତ ସଂଯୋଗ ହୋଇ ପାରୁନାହିଁ। ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅତିରିକ୍ତ ଜିଲାପାଳ ଏହି ପ୍ରସଙ୍ଗେରେ ଆରଏସପି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏଥିପାଇଁ ଫଳପ୍ରଦ ପଦକ୍ଷେପ ନିଆଯାଇ ନାହିଁ। ଏହା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି। ହଷ୍ଟେଲର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପ୍ରତି ରାଜ୍ୟ ସରକାର ଦୃଷ୍ଟି ନଦେଲେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିବ ନାହିଁ। ହଷ୍ଟେଲରେ ପିଲାଙ୍କ ରହିବା ପାଇଁ ଖଟ ଓ ପଢିବା ପାଇଁ ଟେବୁଲ, ଚେୟାର ନାହିଁ। ଏନେଇ ମହାବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଥିଲା। ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନିଜସ୍ୱ ପାଣ୍ଠିରେ ଏହି ବ୍ୟବସ୍ଥା କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତେବେ ମହାବିଦ୍ୟାଳୟର ଯାହା ପାଣ୍ଠିଥିଲା ଅତିଥି ଅଧ୍ୟାପକଙ୍କ ପାଠ ପଢା ପାଇଁ ତାହା ଶେଷ ହୋଇଛି। ନିଜସ୍ୱ ପାଣ୍ଠି କିଛି ନାହିଁ କହିଲେ ଚଳେ। ଏଭଳି ଅବସ୍ଥାରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପାଇଁ ପ୍ରାୟ ୫୦ଲକ୍ଷ ଟଙ୍କାର ଆସବାବ ପତ୍ର ପାଇଁ ଅର୍ଥବ୍ୟବସ୍ଥା କିପରି ହେବ, ତା’କୁ ନେଇ ପ୍ରଶ୍ନ ଉଠିଛି। ସେହିପରି ବଏଜ କମନରୁମ ଓ କମର୍ସ ବ୍ଲକ ନଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମହାବିଦ୍ୟାଳୟ ପକ୍ଷରୁ ଜିଲାପାଳଙ୍କୁ ଡିଏମଏଫ ପାଣ୍ଠିରୁ ଏଥିପାଇଁ ଅନୁଦାନ ପ୍ରଦାନ ପାଇଁ ପତ୍ର ପ୍ରଦାନ କରାଯାଇଛି। ଏହି ଅନୁଦାନ ମିଳିଲେ ଦୁଇଟି ବ୍ୟବସ୍ଥା ଆରମ୍ଭ ହୋଇ ପାରିବ ବୋଲି ଆଶା କରାଯାଇଛି। ବର୍ତ୍ତମାନ କରୋନା ମହାମାରୀ ପାଇଁ ମହାବିଦ୍ୟାଳୟ ବନ୍ଦ୍‍ ଅଛି। ପରବର୍ତ୍ତି ନିଷ୍ପତ୍ତି ପରେ ମହାବିଦ୍ୟାଳୟ ଖୋଲିବ ।କିନ୍ତୁ ଏହା ଖୋଲିବା ପୂର୍ବରୁ ଏହି ଭିତ୍ତିଭୂମି ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ନହେଲେ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖିନ ହେବା ଏକପ୍ରକାର ନିଶ୍ଚିତ ।
ସେହିପରି ମହାବିଦ୍ୟାଳୟ ପାଠପଢା ଅଧ୍ୟାପକ ଅଭାବରୁ ବାଧାପ୍ରାପ୍ତ ହେଉଛି। ବିଶେଷକରି ଏହି ପୁରାତନ ମହାବିଦ୍ୟାଳୟରେ +୩ ବିଭାଗର ପ୍ରାୟ ସମସ୍ତ ବିଷୟରେ ସମ୍ମାନ(ଅନର୍ସ) ଥିବାରୁ ଶିକ୍ଷାର୍ଥୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ତ୍ତମାନ ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୨୫୦୦। ଏହି ମହାବିଦ୍ୟାଳୟରେ ଉଭୟ +୨ ଓ +୩ରେ କଳା ଓ ବାଣିଜ୍ୟ ବିଭାଗ ରହିଥିଲା। କିନ୍ତୁ ୨୦୧୪ରେ ଏନଏସି ମହାବିଦ୍ୟାଳୟ ଏହି ମହାବିଦ୍ୟାଳୟରେ ସାମିଲ ହେବା ପରେ +୨ ବିଜ୍ଞାନ ପାଠ୍ୟକ୍ରମ ସାମିଲ ହୋଇଛି। ଅଧ୍ୟାପକ ଅଭାବରୁ ବିଭିନ୍ନ ବିଭାଗରେ ସମସ୍ୟା ଜଟିଳ ହେଉଛି। ପୂର୍ବରୁ ଅତିଥି ଅଧ୍ୟାପକ ଏହି ସମସ୍ୟା ସମାଧାନରେ ସହାୟକ ହେଉଥିଲେ। ୨୨ଜଣ ଅତିଥି ଅଧ୍ୟାପକ ଏଥିରେ ଅଧ୍ୟାପନାରେ ନିୟୋଜିତ ଥିଲେ। ଏବେ ଏହି ବ୍ୟବସ୍ଥା ବନ୍ଦ୍‍ ରହିଛି। ଯାହାଫଳରେ ବର୍ତ୍ତମାନ ଚାଲିଥିବା ଅନଲାଇନ ପାଠପଢାବି ସହଜ ହୋଇ ପାରୁନାହିଁ। ମହାବିଦ୍ୟାଳୟର ସୁପରିଚାଳନା ପାଇଁ ଏଠାରେ ଅଣଶିକ୍ଷକ କର୍ମଚାରୀଙ୍କ ଅଭାବ ଚିନ୍ତାର କାରଣ ହୋଇଛି। ଆବଶ୍ୟକ ୨୨ଜଣ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ଅଛନ୍ତି ୪ଜଣ। ଜଣେ କିରାଣୀ କାର୍ଯ୍ୟାଳୟ ଚଳାଉଛନ୍ତି। ପିଅନ ଅଛନ୍ତି ଜଣେ। ୨ଟି କ୍ୟାମ୍ପସ ପାଇଁ ଜଣେ ମାତ୍ର ଝାଡ଼ୁଦାର ରହିବା ସଫେଇ ବ୍ୟବସ୍ଥା ପ୍ରତି ଉପହାସ ପାଲଟିଛି। ଏହାକୁ ନେଇ ମହାବିଦ୍ୟାଳୟର ପ୍ରତ୍ୟେହ କାର୍ଯ୍ୟ ପରିଚାଳନାରେ ବହୁ ଅସୁବିଧା ସୃଷ୍ଟି ହୋଇଛି। ଶିକ୍ଷାର ବିକାଶ ପାଇଁ ସରକାର ନାନାଦି କଥା କହୁଛନ୍ତି। ଯୋଜନାର ଘୋଷଣା ହେଉଛି। କିନ୍ତୁ ରାଉରକେଲା ମହାବିଦ୍ୟାଳୟର ଅବସ୍ଥାକୁ ଦେଖିଲେ ସରକାରୀ ଯୋଜନା ଏଠାରେ କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ଆଲୋଚ୍ୟର ବିଷୟ। ମାନବ ସମ୍ବଳ ଅଭାବ ସାଙ୍ଗକୁ ଭିତିଭୂମି ଅବ୍ୟବସ୍ଥା ଶିକ୍ଷାର୍ଥୀଙ୍କ ଭାଗ୍ୟ ଓ ଭବିଷ୍ୟତ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ଗୁରୁତର ସହିତ ଚିନ୍ତା କରିବାର ଆବଶ୍ୟକତା ରହିଛି। ଶିକ୍ଷାର୍ଥୀଙ୍କ ବୃହତର ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟସରକାର ସହରର ଏହି ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଖାଲିଥିବା ପଦପଦବୀ ପୂରଣ ଓ ଭିତିଭୂମିର ବିକାଶ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି। ଏହା ସହିତ ପ୍ରଶାସନ ଓ ଆରଏସପିର ସମନ୍ୱୟ ଏହି ମହାବିଦ୍ୟାଳୟର ବିକାଶ ପାଇଁ ଆବଶ୍ୟକତା ରହିଛି। ଏହାକୁ ଗୁରୁତର ପ୍ରସଙ୍ଗ ଭାବେ ଗ୍ରହଣ କରାଯିବା ଉଚିତ। ଏନେଇ ଲୋକପ୍ରତିନିଧି ଓ ପ୍ରଶାସନିକ ସ୍ତରରେ ଉଦ୍ୟମ ପାଇଁ ଦାବି ହେଉଛି ।

Comments are closed.