ରାଉରକେଲାରୁ ଚୋରି ଶିଶୁପୁତ୍ର ମେଦିନାପୁରରୁ ଉଦ୍ଧାର, ୪ ଗିରଫ

ଲକ୍ଷେ ଟଙ୍କାରେ ବିକ୍ରି କରିଥିଲେ ଶିଶୁପୁତ୍ର, ଉଦ୍ଧାର ପରେ ସିଡବ୍ଲ୍ୟୁସିକୁ ଜିମା ଦେଲା ପୁଲିସ

ରାଉରକେଲା: ରାଜ୍ୟରେ ଏବେ ଶିଶୁ ଚୋରି ଖବର ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲାରରୁ ଅପହରଣ ହୋଇ ମେଦିନାପୁରରେ ବିକ୍ରି ହୋଇଥିବା ଏକ ଶିଶୁକୁ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ଘଟଣାରେ ରାଉରକେଲା ପ୍ଲାଣ୍ଟ୍ ସାଇଟ୍‌ ପୁଲିସ ୪ଜଣଙ୍କୁ ଗିରଫ କରିଛି। ୫ ବର୍ଷର ଅପହୃତ ଏହି ଶିଶୁପୁତ୍ରକୁ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଚୋରି ରାକେଟ୍‌ରେ ସମ୍ପୃକ୍ତ ୩ ମହିଳା ସମେତ ୪ଜଣ ଗିରଫ ହୋଇଛନ୍ତି। ରାଉରକେଲା ସହରର ଷ୍ଟେସନ୍‌ ଅଞ୍ଚଳରୁ ଚୋରି ହୋଇଥିବା ଶିଶୁପୁତ୍ରକୁ ମେଦିନାପୁରଠାରୁ ପୁଲିସ ଉଦ୍ଧାର କରିଛି। ଶିଶୁପୁତ୍ର ଚୋରି ଓ କିଣିଥିବା ଅଭିଯୋଗରେ ପୁଲିସ ୪ଜଣଙ୍କୁ ଗିରଫ କରିଛି।


ସୂଚନା ଯୋଗ୍ୟ ଯେ ଗତ ୪ ତାରିଖରେ ରାଉରକେଲା ସହରର ଷ୍ଟେସନ୍‌ ଅଞ୍ଚଳରୁ ୫ ବର୍ଷର ଶିଶୁପୁତ୍ର ଚୋରି ହୋଇଥିଲା। ଶିଶୁକୁ ଚୋରାଇ ନେଇଥିଲେ ରାକେଟ୍‌ର ୨ ମହିଳା ଓ ଜଣେ ପୁରୁଷ। ଶିଶୁପୁତ୍ରକୁ ଚୋରାଇ ନେବା ପରେ ପଶ୍ଚିମବଙ୍ଗ ମେଦିନାପୁରର ଜଣେ ମହିଳାଙ୍କୁ ୧ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ତନାଘନା କରିଥିଲା ପୁଲିସ। ଘଟଣାରେ ସମ୍ପୃକ୍ତ ୩ଜଣ ଏବଂ ଚୋରି ଶିଶୁପୁତ୍ରକୁ କିଣିଥିବା ମହିଳାଙ୍କୁ ପୁଲିସ ଗିରଫ କରିଛି। ଚୋରି ଶିଶୁପୁତ୍ରକୁ ଉଦ୍ଧାର କରି ପୁଲିସ ସିଡବ୍ଲ୍ୟୁସି ଜିମା ଦେଇଥିବା ଜଣାପଡ଼ିଛି।
ରାଉରକେଲା ଡିଏସ୍‌ପି ଅସୀମ ପଣ୍ଡା କହିଛନ୍ତି ଯେ ଚୋରି ଶିଶୁପୁତ୍ର ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ କଲା ପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ଏବଂ ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ଶେଖ୍‌ବାବୁ, ମନୁଆ ଦିଦି, ସନ୍ତୋଷୀ ନାଏକ ସମେତ ଆଉ ଜଣକୁ ଗିରଫ କରାଯାଇଛି। ଶିଶୁପୁତ୍ରକୁ ଉଦ୍ଧାର କରାଯିବା ପରେ ସିଡବ୍ଲ୍ୟୁସିକୁ ଦିଆଯାଇଛି ଏବଂ ତଦନ୍ତ ଜାରି ରହିଛି।

Comments are closed.