ଆରପାରିରେ ବଲିଉଡ୍‌ର ଅଭିନୟ ଗୁରୁ ରୋଶନ ତନେଜା

ମୁମ୍ବଇ: ବଲିଉଡ୍‌ର ଅଭିନୟ ଗୁରୁ ରୋଶନ ତନେଜାଙ୍କ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ରୋଶନଙ୍କ ପୁଅ ରୋହିତ ଏହି ସୂଚନା ଦେଇଛନ୍ତି। ସେ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ। ଶୁକ୍ରବାର ରାତି ସାଢ଼େ ୯ଟାରେ ବାସଭବନରେ ଶୋଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଅନୀଲ କପୁର, ଶବାନା ଆଜ୍‌ମୀ, ନସୀରୁଦ୍ଦିନ ଶାହ, ଜୟା ବଚ୍ଚନ, ଶତ୍ରୁଘ୍ନ ସିହ୍ନାଙ୍କ ଭଳି ପ୍ରଖ୍ୟାତ ଅଭିନେତାମାନଙ୍କୁ ଅଭିନୟ ଶିଖାଇଥିଲେ।

ଶନିବାର ଅପରାହ୍ନ ସାଢ଼େ ୪ଟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବାର କାର୍ଯ୍ୟକ୍ରମ ରହିଛି। ରୋଶନ ବଲିଉଡ୍‌ ଜଗତରେ ସବୁଠାରୁ ସମ୍ମାନସ୍ପଦ ବ୍ୟକ୍ତି ଥିଲେ। ୬୦ ଦଶକରୁ ସେ ଅଭିନେତାମାନଙ୍କୁ ଅଭିନୟର କଳା ଶିଖାଇ ଆସୁଥିଲେ। ରୋଶନଙ୍କ ମୃତ୍ୟୁ ପରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଛାତ୍ରୀଛାତ୍ରମାନେ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି। ତାଙ୍କ ଛାତ୍ରୀ ତଥା ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜ୍‌ମୀ ଟ୍ବିଟ୍‌ କରି ଶୋକପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ରୋଶନ ତନେଜା ହେଉଛନ୍ତି ତାଙ୍କର ଏକମାତ୍ର ଗୁରୁ, ଯାହାଙ୍କ ପାଦ ସେ ଛୁଇଁଥିଲେ ବୋଲି ଶବାନା ଲେଖିଛନ୍ତି।

Comments are closed.