ବଣରମଲ୍ଲୀ ପାର୍ବତୀ, ଆରତୀ, କଳାବତୀ ଓ ସୁସ୍ମିତା ମହିଳା ଫୁଟବଲରେ ଆଣୁଛନ୍ତି ଗୌରବ

ରାଉରକେଲା: ବଣରମଲ୍ଲୀ ଭଳି ସେମାନଙ୍କ ଜୀବନର ଯାତ୍ରା। ରାଉରକେଲା ସହରରେ ଉପଖଣ୍ଠ ଅର୍ଥାତ ଆଦିବାସୀବହୁଳ ଅଞ୍ଚଳ ବନପୋଷ ଓ ପ୍ରଧାନପାଲୀର ଅନେକ ଝିଅ ମହିଳା ଫୁଟବଲ ପ୍ରତି ଆଗ୍ରହୀ ହୋଇ ପିଲାଟି ବେଳୁ ଅଭ୍ୟାସ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ସଫଳ ହୋଇଥିବା ବେଳେ ଅନ୍ୟମାନେ ସାଧାନାରୁ ବିରତ ହୋଇ ନାହାଁନ୍ତି। ସୁନ୍ଦରଗଡ଼ଭଳି ଆଦିବାସୀ ବହୁଳ ଜିଲାରେ ହକିର ପ୍ରଚାର ଓ ପ୍ରସାର ପାଇଁ ସରକାର ଅନେକ ଉଲ୍ଲେ୍‍ଖନୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅନେକ ହକି ପ୍ରତିଭା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣିବାର ଧାରାକୁ ବଳବତର ରଖିଛନ୍ତି। କିନ୍ତୁ ଫୁଟବଲର ପ୍ରୋତ୍ସାହନ ପାଇଁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିଲେ ମଧ୍ୟ ଏହି ଆଦିବାସୀ ଅଞ୍ଚଳର ଝିଅମାନଙ୍କର ଫୁଟବଲ ଥିବା ତାଙ୍କର ସମର୍ପଣ ଓ ସାଧନା। ସେମାନଙ୍କୁ ନିଜ ଅଞ୍ଚଳରୁ ଅନ୍ତର୍ଜାତୀୟ ପଡ଼ିଆକୁ ନେବାରେ ସଫଳ ହୋଇଛି। ନିଜ ଅଞ୍ଚଳର ଗୁରୁ ତଥା ଦୁଇ ଉତ୍ସାହ ଯୁବକ ଗିରିଜା ଲାକ୍ରା, କାଳୁ ଲାକ୍ରାଙ୍କ ଠାରୁ ଆରମ୍ଭ କରି ଫୁଟବଲ କୋଚ କିଶୋର ଦାସଙ୍କ ସଫଳ ପ୍ରଶିକ୍ଷଣ ଏହି ଝିଅମାନଙ୍କୁ ପଥ ପ୍ରଦର୍ଶନରେ ସହାୟକ ହୋଇଛି। ପାର୍ବତୀ, ଆରତୀ, କଳାବତୀ ଓ ସୁସ୍ମିତା ଫୁଟବଲ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଝିଅଙ୍କ ପାଇଁ ପ୍ରେରଣା ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ପାର୍ବତୀ କୁଜୁର। ବନପୋଷ ଅଞ୍ଚଳର ନରସିଂହ କୁଜୁର ଓ ଗୁର୍‍ କୁଜୁରଙ୍କ ସାନ ଝିଅ ହେଉଛନ୍ତି ପାର୍ବତୀ। ପାର୍ବତୀଙ୍କ ପିଲାଟି ଦିନରୁ ଫୁଟବଲ ପ୍ରତି ଥିଲା ଏକ ଅହେତୁକ ଆକର୍ଷଣ। ତାଙ୍କର ଏହି ଉତ୍ସାହକୁ ଦ୍ୱିଗୁଣିତ କରିଥିଲା ଫୁଟବଲ ଖେଳକୁ ପ୍ରୋତ୍ସାହନ ଦେଇଆସୁଥିବା ଅଞ୍ଚଳର ୨ ଯୁବକ ଗିରିଜା ଲାକ୍ରା ଓ କାଲୁ ଲାକ୍ରାଙ୍କ ଉଦ୍ୟମ। ସେମାନଙ୍କ ପ୍ରଶିକ୍ଷଣସହିତ ପାର୍ବତୀଙ୍କ ସାଧନା ଓ ଖେଳ ପ୍ରତି ସମର୍ପଣ ମନୋଭାବ ତାଙ୍କ ପାଇଁ ସଫଳତାକୁ ଆମନ୍ତ୍ରଣ କରି ଆଣିଲା। ରାଜ୍ୟର ଚୟନକର୍ତାଙ୍କ ସେ ଦୃଷ୍ଟି ଆକର୍ଷଣ କଲେ। ରାଉରକେଲା ଠାରେ ଖେଳ ପାଇଁ ଅଭ୍ୟାସ ଓ ପ୍ରଶିକ୍ଷଣ ନେବା ପରେ ପୁରୀ ଠାରେ ଅନୁଷ୍ଠିତ ଜିଲା ସ୍ତରୀୟ ଜୁନିୟର ପ୍ରତିଯୋଗିତାରେ ତାଙ୍କର କ୍ରୀଡ଼ା ନୈପୁଣତା ତାଙ୍କୁ ରାଜ୍ୟ ଟିମ୍‍ରେ ଖେଳିବା ପାଇଁ ସୁଯୋଗ ଆଣିଦେଲା। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଜିଲାସ୍ତରୀୟ ପ୍ରତିଯୋଗିତା ପରେ ୨୦୦୮ରେ ଉତରାଖଣ୍ଡଠାରେ ଅନୁଷ୍ଠିତ ଜୁନିୟର ଦଳର ଜାତୀୟ ପ୍ରତିଯୋଗିତାରେ ସେ ରାଜ୍ୟ ଟିମ୍‍ରେ ସାମିଲ ହେବାର ସୁଯୋଗ ପାଇଲେ। ୨୦୦୮ରେ ମାଲେସିୟାରେ ଅନୁଷ୍ଠିତ ଜାତୀୟ ଜୁନିୟନର ଦଳରରେ ସାମିଲ ହୋଇ ସଫଳତା ପ୍ରଦର୍ଶନ କରିଥିଲେ। ୨୦୧୪ରେ ଆସାମଠାରେ ଅନୁଷ୍ଠିତ ସିନିୟର ମହିଳା ଦଳରେ ସେ ସାମିଲ ହୋଇଥିବା ବେଳେ ରାଜ୍ୟ ଟିମ୍‍ ଦଳଗତ ଉଦ୍ୟମ ପାଇଁ ରନର୍ସ ଅପ ହେଲା। ୨୦୧୫ରେ କୋଲକାତାରେ କଲ୍ୟାଣୀଠାରେ ଅନୁଷ୍ଠିତ ୨୧ତମ ଜାତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଇଷ୍ଟଜୋନ୍‍ ଟାଇଟଲ ହାସଲ କରିଥିବା ଓଡ଼ିଶା ଦଳର ସେ ଜଣେ ସଫଳ ସଦସ୍ୟା ଥିଲେ। ୨୦୧୬ରେ ସେ ମଧ୍ୟପ୍ରଦେଶର ଜବଲପୁରରେ ଜାତୀୟ ମହିଳା ଫୁଟବଲ ଚମ୍ପିଆନସିପ୍‍ରେ ଭାଗନେଇଥିବା ବେଳେ ଏଥିରେ ଓଡ଼ିଶା ଦଳ ବ୍ରୋଂଜ ପଦକ ହାସଲ କରିଥିଲା। ସେହିପରି ୨୦୧୭ ଜାନୁଆରୀ ୨୮ ତାରିଖରୁ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ନୂଆଦିଲୀର ଆମ୍ବେଦକର ଷ୍ଟାଡିୟମଠାରେ ଅନୁଷ୍ଠିତ ପ୍ରଥମ ଭାରତୀୟ ମହିଳା ଫୁଟବଲ୍‍ ଲିଗ୍‍ରେ ସେ ଓଡ଼ିଶା ଦଳରେ ସାମିଲ ହୋଇଥିବା ବେଳେ ଓଡ଼ିଶା ଏହି ପ୍ରତିଯୋଗତାରେ ରନର୍ସଅପ ହୋଇଥିଲା। ୨୦୧୭ରେ ପଂଜାବଠାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗତାରେ ଦଳ ସେମିଫାଇନାଲ ପର୍ଯ୍ୟାୟ ଖେଳିଥିଲା। ଓଡ଼ିଶା ଟିମ୍‍ର ଜଣେ ଭଲ ଡିଫେଣ୍ଡରଭାବେ ସେ ନିଜର କମାଲ ଦେଖାଇଛନ୍ତି। ଟିମ୍‍ର ବିଜୟରେ ଅନେକ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୨୦୧୬-୧୭ବର୍ଷ ପାଇଁ ରାଜ୍ୟ ସରକାର କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ମଧ୍ୟପ୍ରଦେଶର ଜବଲପୁର ଠାରେ ବ୍ରୋଂଜ ପଦକ ଜିତିଥିବା ଓଡ଼ିଶା ଦଳର ସଦସ୍ୟାଭାବେ ପାର୍ବତୀଙ୍କୁ ପ୍ରୋତ୍ସାହନ ସ୍ୱରୁପ ନଗଦ ୧୦ ହଜାରଟଙ୍କା ପ୍ରଦାନ ଦେଇଥିଲେ। ପରବର୍ତୀ ଅବସ୍ଥାରେ ଜଣେ ଖେଳାଳିଭାବେ ସଫଳତା ଆଧାରରେ ୨୦୧୮ରେ ତାଙ୍କୁ ଓଡ଼ିଶା ପୁଲିସରେ ଚାକିର ମିଳିଛି। ଏବେ ନିଜ ପାଇଁ ସମୟ ବାହାର କରି ଅଭ୍ୟାସ କରୁଛନ୍ତି। ଭାରତୀୟ ସିନିୟର ଦଳରେ ସ୍ଥାନ ବଜାୟ ରଖିବା ସହିତ ଦେଶ ପାଇଁ ସଫଳତା ଆଣିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ପାର୍ବତୀ କହିଛନ୍ତି। ସୁସ୍ମିତା ମଲ୍ଲିକ ଓ ମନୀଷା ପାନ୍ନାଙ୍କ ଭଳି ମହିଳା ଫୁଟବଲ ଖେଳାଳିଙ୍କ ଦ୍ୱରା ସେ ପ୍ରଭାବିତ ବୋଲି କହିଛନ୍ତି। ଆରତୀ ଖାଡ଼ିଆ। ପ୍ରଧାନପାଲୀରେ ରହୁଥିବା ରଞ୍ଜନ ଖାଡ଼ିଆ ଓ ବିଳାସୀ ଖାଡ଼ିଆଙ୍କ ଝିଅ ଆରତୀ ଖାଡ଼ିଆ ଜିଲାରୁ ଆରମ୍ଭ କରି ରାଜ୍ୟ ଓ ଜାତୀୟସ୍ତରରେ ସଫଳତା ହାସଲ କରିବା ସହିତ ସିନିୟର ଦଳ ଶିବିରରେ ଯୋଗଦେଇଛନ୍ତି। ଆସାମର ଦିବ୍ରୁଗଡ଼ ଠାରେ ଅନୁଷ୍ଠିତ ସିନିୟର ନ୍ୟାସନାଲ ଦଳର ସଦସ୍ୟାଭାବେ ସଫଳ ଖେଳ ପ୍ରଦର୍ଶନ କରି ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତୀ ଅବସ୍ଥାରେ କଲିକତାଠାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ତାଙ୍କ କ୍ରୀଡ଼ା ନୈପୁଣତା ଦେଖିବାକୁ ମିଳିଥିଲା। ଖେଳର ସଫଳତା ଆଧାରରେ ଆରତୀ ଓଡ଼ିଶା ପୁଲିସରେ ଚାକିରି ପାଇଛନ୍ତି। ଏବେ ଅଭ୍ୟାସ ଜାରି ରଖିଛନ୍ତି ଓ ଆଗାମୀ ଦିନରେ ଦେଶ ପାଇଁ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବା ତାଙ୍କର ଲକ୍ଷ୍ୟ ବୋଲି ଆରତୀ ଖାଡ଼ିଆ କହିଛନ୍ତି। କଳାବତୀ କଚ୍ଛପ। ବନପୋଷରେ ରହୁଥିବା ସୁଧୀର କଚ୍ଛପ ଓ ମଲିତା କଚ୍ଛପଙ୍କ କନ୍ୟା କଳାବତୀଙ୍କର ପିଲାଦିନରୁ ଫୁଟବଲ ଖେଳ ପ୍ରତି ଅହେତୁକ ଆକର୍ଷଣ। ୭ମ ଶ୍ରେଣୀରେ ପଢୁଥିବା ବେଳେ ଆରମ୍ଭ କରିଥିଲେ ଅଭ୍ୟାସ। ଜିଲାରୁ ଜାତୀୟସ୍ତର ଯିବା ପାଇଁ ନିରନ୍ତର ଅଭ୍ୟାସ ସାହାଯ୍ୟ କରିଥିଲେ। ତେବେ ଓଡ଼ିଶା ଦଳରେ ସାମିଲ ହୋଇ ମଣିପୁର ସହିତ ମ୍ୟାଚ ଓ ଏଥିରେ ଓଡ଼ିଶା ଦଳ ରନର୍ସ ଅପ ହେବା ତାଙ୍କ ପାଇଁ ବଡ଼ ସଫଳତା ଆଣିଥିଲା। ଏବେ ଘରେ ରହି ଅଭ୍ୟାସ କରୁଛନ୍ତି। ଆଗାମୀ ଦିନରେ ଭାରତ୍ରୀଦଳରେ ସ୍ଥାନ ବଜାୟ ରଖିବା ପାଇଁ ତାଙ୍କ ଅଭ୍ୟାସ ଓ ସାଧନା ଜାରି ରହିବ ବୋଲି କଳାବତୀ କହିଛନ୍ତି। ସୁସ୍ମିତା ତନ୍ତୀ। ବନପୋଷରେ ଅନନ୍ତ ତନ୍ତୀ ଓ ମାଳତୀ ତନ୍ତୀଙ୍କ କନ୍ୟା ସୁସ୍ମିତା ତନ୍ତୀ ଭାରତୀୟ ଜୁନିୟର ଦଳ ସଦସ୍ୟାଭାବେ ସଫଳତାକୁ ଅବ୍ୟାହତ ରଖିଛନ୍ତି। ପାର୍ବତୀଙ୍କ ପରି ବହୁ ମ୍ୟାଚ ଖେଳିଛନ୍ତି। ବର୍ତମାନ ସୁନ୍ଦରଗଡ଼ ସ୍ପୋର୍ଟସ ହଷ୍ଟେଲର ଅନ୍ତେବାସୀ ଭାବେ ତାଙ୍କର ପ୍ରଶିକ୍ଷଣ ଜାରି ରହିଛି। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି। ଗୋଆରେ ଅନୁଷ୍ଠିତ ଜାତୀୟ ମ୍ୟାଚରେ ସଫଳତା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। ୨୦୧୬ରେ କାଜାଗିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ, ୨୦୧୭ରେ ବାଙ୍ଗାଲାଦେଶରେ ଅର୍ନ୍ତାଜାତୀୟ ମ୍ୟାଚରେ ଭାରତୀୟ ଦଳର ସଦସ୍ୟା ଭାବେ ଖେଳିବାର ସୁଯୋଗ ପାଇଛନ୍ତି। ବର୍ତମାନ +୨ ଶ୍ରେଣୀରେ ପଢୁଥିବା ସୁସ୍ମିତା ଆଗାମୀ ଦିନରେ ଭାରତୀୟ ସିନିୟର ଦଳର ଜଣେ ସଫଳ ଖେଳାଳି ଭାବେ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏଥିପାଇଁ ଅଭ୍ୟାସକୁ ଜାରି ରଖିଛନ୍ତି। ଦେଶ ପାଇଁ ସ୍ୱନାମ ଆଣିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସୁସ୍ମିତାଙ୍କୁ ଛାଡ଼ିଦେଲେ ଅନ୍ୟ ଖେଳାଳି ନିଜ ସ୍ତରରେ ଅଭ୍ୟାସ ଓ ସାଧନାକୁ ଜାରି ରଖିଛନ୍ତି। କିନ୍ତୁ ବିଭାଗ ଯେପରି ବିଭିନ୍ନ ସମୟରେ ଏହି ପ୍ରତିଭାଙ୍କୁ ନେଇ ସ୍ଥାନୀୟ ସ୍ତରରେ ଶିବିରର ଆୟୋଜନ ମାଧ୍ୟମେରେ ପ୍ରୋତ୍ସାହନ ସୃଷ୍ଟି କରିବା କଥା, ସେପରି କରୁନଥିବାରୁ କ୍ରୀଡ଼ାପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି। ବିଭାଗ ଏଦିଗରେ ତତ୍ପର ହେଲେ ମହିଳା ଫୁଟବଲ ଖେଳାଳି ସୃଷ୍ଟି ପାଇଁ ଭିତିଭୂମି ଥିବା ଏହି ଅଞ୍ଚଳର ପ୍ରତିଭା ବହୁ ସଂଖ୍ୟାରେ ରାଜ୍ୟ ଓ ଦେଶରେ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ପାଇପାରିବେ ବୋଲି ମତପ୍ରକାଶ ପାଉଛି।

Comments are closed.