ଅନଲାଇନ ଶିକ୍ଷାରୁ ବଞ୍ଚିତ ୬୮ପ୍ରତିଶତ ଛାତ୍ରଛାତ୍ରୀ , ପହଞ୍ଚି ପାରୁନାହିଁ ସୁବିଧା

ରାଉରକେଲା : କରୋନା ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନଲାଇନ ଶିକ୍ଷା ବ୍ୟବସ୍ଥାର ବ୍ୟବସ୍ଥାର ପ୍ରଚଳନ କରିଛନ୍ତି। ଗତ ମେ ମାସରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଉପହାସ ପାଲଟିଛି। ରାଉରକେଲା ମହାନଗରନିଗମ ଓ ବିଶ୍ରାବ୍ଲକକୁ ନେଇ ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀଙ୍କ ତଥ୍ୟ ଓ ଚିତ୍ରକୁ ଦେଖିଲେ ସରକାରଙ୍କ ଏହି ଅନଲାଇନ ଶିକ୍ଷା ବ୍ୟବସ୍ଥା ଫଳପ୍ରଦ ହେଉନଥିବା ସ୍ପଷ୍ଟ ହୋଇଛି। ବିଭାଗର ସୂଚନା ଅନୁସାରେ ଉଭୟ ମହାନଗରନିଗମ ଓ ବ୍ଲକ ଅଞ୍ଚଳରେ ଏହି ବ୍ୟବସ୍ଥାର ସଫଳତାର ହାର ହେଉଛି ୩୨ ପ୍ରତିଶତ। ଅର୍ଥାତ ୬୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ ଏହି ବ୍ୟବସ୍ଥା ପହଞ୍ଚିପାରୁନଥିବା ସ୍ପଷ୍ଟ ହେଉଛି। ଯଦି ସଫଳତାକୁ ପୃଥକ କରାଯାଏ, ତେବେ ସହରାଞ୍ଚଳରେ ଏହାର ହାର ଅଧିକ ରହିବା ସ୍ୱାଭାବିକ। ସହରାଞ୍ଚଳରେ ଏହାର ୩୭ପ୍ରତିଶତ ରହିଥିଲେ ମଧ୍ୟ ବ୍ୟବସ୍ଥାର ସଫଳତା ପ୍ରତି ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ରାଉରକେଲା ସହରାଞ୍ଚଳର କେନ୍ଦ୍ରସ୍ଥଳରେ ଥିବା ଉଦିତନଗର କ୍ଲଷ୍ଟରର ଚିତ୍ରକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡ଼େ। ଏହି କ୍ଲଷ୍ଟରରେ ୩୯୬୬ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଉଦିତନଗର ସରକାରୀ ଉଚ୍ଚବିଦ୍ୟାଳୟ, ଟାଉନ ହାଇସ୍କୁଲ ଡେଲିମାର୍କେଟ, ବାସନ୍ତୀ ହାଇସ୍କୁଲ, କଲ୍ୟାଣଦେବୀ ହାଇସ୍କୁଲ, ବାସନ୍ତୀ ବିଦ୍ୟାପୀଠ ଆଦି ଶିକ୍ଷାନୁଷ୍ଠାନ ଏହି କ୍ଲଷ୍ଟରରେ ରହିଛି। କିନ୍ତୁ ଅନଲାଇନ ବ୍ୟବସ୍ଥା ପାଇଁ ହୋଇଥିବା ହ୍ୱାଟସଆପ ଗ୍ରୁପରେ ମାତ୍ର ୧୪୦୦ଛାତ୍ରଛାତ୍ରୀଙ୍କୁ ଯୋଡ଼ା ଯାଇ ପାରିଛି। ଏହାର କାରଣ ବହୁ ଅଭିଭାବକଙ୍କ ନିକଟରେ ପିଲାକୁ ଏହି ବ୍ୟବସ୍ଥାରେ ଯୋଡ଼ିବା ପାଇଁ ଆବଶ୍ୟକ ସ୍ମାର୍ଟ ଫୋନ ନାହିଁ। ରାଉରକେଲା ସହରରେ କେନ୍ଦ୍ରସ୍ଥଳରେ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ପ୍ରକ୍ରିୟାରେ ଆବଶ୍ୟକ ବ୍ୟବସ୍ଥା ନଥିବାରୁ ପିଲାଙ୍କୁ ଅନଲାଇନ ଶିକ୍ଷାରେ ଯୋଡ଼ି ପାରୁନଥିବା ବେଳେ ବିଶ୍ରାବ୍ଲକ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଛିତ୍ର କ’ଣ ଥିବ ତାହା ସ୍ପଷ୍ଟ ଅନୁମେୟ। ଏହି ଶିକ୍ଷା ବ୍ଲକ ଅନ୍ତର୍ଗତ ବିଶ୍ରାର ବଡବମ୍ବୁଆରେ କୌଣସି ବିଦ୍ୟାର୍ଥୀ ଏହି ପ୍ରକ୍ରିୟାରେ ଯୋଡ଼ି ହୋଇ ପାରୁନଥିବା ସୂଚନା ମିଳିଛି। ସେହିପରି ଜରେଇକେଲାରେ ମାତ୍ର ୧୦ପ୍ରତିଶତ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଛନ୍ତି। ଗୋଟିଏ ପକ୍ଷରେ ଏହି ବ୍ୟବସ୍ଥା ଫଳପ୍ରଦ ହୋଇପାରୁନାହିଁ। ଅପରପକ୍ଷରେ ନିଜ ପିଲାଙ୍କୁ ନେଇ ଅଭିଭାବକଙ୍କ ମୁଣ୍ଡବ୍ୟଥା ବଢିଛି। କରେନା ଦୁର୍ଗତି ବେଳେ ଜୀବନ ଜୀବିକାକୁ ନେଇ ସଂଘର୍ଷ କରୁଥିବା ଅଭିଭାବକଙ୍କ ନିକଟରେ ସ୍ମାର୍ଟ ଫୋନ ପାଇଁ ପିଲାର ଜିଦ୍‍ ଅଭିଭାବକଙ୍କ ଚିନ୍ତା ବଢାଇଦେଇଛି। ଏହା ସହିତ ଯେଉଁ ଅଭିଭାବକଙ୍କ ନିକଟରେ ସ୍ମାର୍ଟ ଫୋନ ଅଛି, ଅଧିକାଂଶ ସ୍ଥାନରେ ନେଟୱାର୍କ ନଥିବାରୁ ବ୍ୟବସ୍ଥା ପାଇଁ ବାଧକ ସାଜିଛି। ଏହି ସବୁ ଦିଗକୁ ଦେଖିଲେ ବିପର୍ଯ୍ୟସ୍ତ ଭିତିଭୂମି ଓ ଅଭିଭାବକଙ୍କ ଦାରିଦ୍ର୍ୟ ଉଭୟ ଚିନ୍ତାର ବିଷୟ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ କ୍ଲଷ୍ଟରରେ ମାଷ୍ଟର ରିସୋର୍ସ ପର୍ସନ ନିଯୁକ୍ତ ଦିଆଯାଇଛି। ପ୍ରତି କଷ୍ଟରରେ ବିଷୟ ଭିତିକ ୫ଜଣ କରି ଏହି ଶିକ୍ଷା ବ୍ଲକର ୧୭ଟି କ୍ଲଷ୍ଟରରେ ୮୫ଜଣ ରିସୋର୍ସ ପର୍ସନଙ୍କୁ ନିଯୁକ୍ତ କରାଯାଇଛି। ମାଇକ୍ରୋସପ୍ଟ ଟିମ୍ସ ଆପରେ ହେଉଥିବା ଭର୍ଚୁଆଲ କ୍ଲାସ ରିସୋର୍ସ ପର୍ସନ ତଦାରଖ କରୁଛନ୍ତି। ଏହି ସବୁ ବ୍ୟବସ୍ଥା ସ୍ୱାଗତ ଯୋଗ୍ୟ। କିନ୍ତୁ ଏହି ସବୁ ବ୍ୟବସ୍ଥା ଥିଲେ ମଧ୍ୟ ଛାତ୍ରଛାତ୍ରୀ ଯେଉଁ ବ୍ୟବସ୍ଥାରେ ଉପକୃତ ହେବେ, ତାହା ସେମାନଙ୍କ ନିକଟରେ ନାହିଁ। ଯାହାଫଳରେ ଏହି ବ୍ୟବସ୍ଥା ଫଳପ୍ରଦ ହୋଇପାରୁନଥିବା ଦେଖା ଯାଉଛି।

Comments are closed.