ବକ୍ସ ଅଫିସରେ ଦର୍ଶକଙ୍କ ମନ ମୋହୁଛି ‘ରୁହି’: ଜାଣନ୍ତୁ ୪ ଦିନର ଆୟ

ମୁମ୍ବଇ: ରାଜକୁମାର ରାଓ-ଜାହ୍ନବୀ କପୁର ଅଭିନୀତ ଚଳଚ୍ଚିତ୍ର ‘ରୁହି’ ବକ୍ସ ଅଫିସରେ କମାଲ୍‍ କରୁଛି। ୧୧ ତାରିଖ ମହାଶିବରାତ୍ରି ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୪ ଦିନରେ ଉଲ୍ଲେଖନୀୟ ଆୟ କରିଛି। ପ୍ରଥମ ଦିନ ‘ରୁହି’ ୩.୦୬ କୋଟି ଟଙ୍କା ଆୟ କରିଛି। ସେହିଭଳି ଦ୍ୱିତୀୟ ଦିନରେ ୨.୨୫ କୋଟି ଟଙ୍କା ଆୟ କରିଥିବା ବେଳେ ତୃତୀୟ ଦିନରେ ଫିଲ୍ମ ୩.୪୨ କୋଟି ଟଙ୍କାର ବ୍ୟବସାୟ କରିଛି। ଚତୁର୍ଥ ଦିନରେ ରାଜକୁମାରଙ୍କ ଫିଲ୍ମ ୩.୪୩ କୋଟି ଟଙ୍କା ଆୟ କରିଛି। ବର୍ତ୍ତମାନ ସୁଦ୍ଧା ଚଳଚ୍ଚିତ୍ର ମୋଟ୍‍ ୧୨.୧୬ କୋଟି ଟଙ୍କା ଆୟ କରିଛି।

ଚଳିତ ବର୍ଷର ବଡ଼ ହିନ୍ଦୀ ଫିଲ୍ମ ‘ରୁହି’ ମୁକ୍ତିଲାଭ କରିବାର ପ୍ରଥମ ଦିନରେ ‘ଟେନେଟ୍‍’ ଓ ‘ୱାଣ୍ଡର ୱିମେନ୍‍ ୮୪’ର ଭାରତୀୟ ଆୟକୁ ମଧ୍ୟ ପଛରେ ପକାଇଦେଇଛି। ଫିଲ୍ମ ପୁରା ଦେଶରେ ପ୍ରାୟ ୨ ହଜାର ପରଦାରେ ରିଲିଜ୍‍ ହୋଇଛି। ଏଥିରେ ଜାହ୍ନବୀ ଓ ରାଜକୁମାରଙ୍କ ବ୍ୟତୀତ ବରୁଣ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। କରୋନା ପରିସ୍ଥିତିରେ ଫିଲ୍ମର ଏଭଳି ବ୍ୟବସାୟକୁ ଏକ ସକରାତ୍ମକ ଆରମ୍ଭ ବୋଲି ବିବେଚନା କରାଯାଉଛି।

 

Comments are closed.