’ବିଶ୍ବମାରୀ’ରେ ବିଶ୍ବ ଓ ରାଷ୍ଟ୍ର

- ହରପ୍ରସାଦ ଦାସ

ଏ ଯାବତ୍‌ ବିଶ୍ୱର ଇତିହାସରେ ଦୁର୍ବିପାକ, ମହାମାରୀ ଓ ଗଣହତ୍ୟାର ଭୟଙ୍କର ଘଟନାମାନ ଘଟି ଯାଇଛି, କିନ୍ତୁ ‘ବିଶ୍ୱମାରୀ’ (ପାଣ୍ଡେମିକ୍‌)ର ଅଭୂତପୂର୍ବ ନରସଂହାର ଆତଙ୍କ ମାନବ ସଭ୍ୟତାର ପରିକଳ୍ପନାରେ ନଥିଲା। ଭାରତୀୟ ସଭ୍ୟତାରେ ପୁରାଣମାନଙ୍କରେ ପ୍ରଳୟର ପରିକଳ୍ପନା ତ’ ୟା ତୁଳନାରେ ଏକ ଆକସ୍ମିକ ସୁଖଦ ବିସ୍ମୟ ମାତ୍ର ବୋଲି କୁହାଯିବ। ଥିବ ଥିବ, ହଠାତ୍‌ ସମଗ୍ର ପୃଥିବୀର ଭୂଭାଗ ଜଳପ୍ଲାବନରେ ନିମଜ୍ଜିତ ହୋଇଯିବ, ସାମୂହିକ ଧ୍ୱଂସରେ ନା ସ୍ମୃତି ଥିବ ନା କ୍ଷୟ। ପ୍ରଳୟ ଏକ ପୂର୍ଣ୍ଣ ସମତଳ ନବରଚନା ପାଇଁ, କିନ୍ତୁ ଏ ଭୂତାଣୁ ସଂକ୍ରମଣରେ ଗ୍ରସ୍ତ ପୃଥିବୀ ଏଇନେ କୋଉଠି? ଆଶା ଅଛି ସ୍ଥିତି ବଦଳିବ, କିନ୍ତୁ ଅନୁମାନ ନାହିଁ କେବେ। ସମଗ୍ର ବିଶ୍ୱର ମାନବସମାଜ ଗୃହବନ୍ଦୀ। ମାନବୀୟ ସଂସର୍ଗ ଏବେ ସଂଗରୋଧରେ ବିଚ୍ଛିନ୍ନ। ଥିଓଡର୍‌ ଆଡୋର୍ନୋ ତାଙ୍କର ପ୍ରସିଦ୍ଧ ରଚନା ‘ନଲେଜ ଆଣ୍ଡ୍‌ ପାୱାର’ ରେ ପୋଲାଣ୍ଡର ଅସ୍ୱିତ୍‌ରେ ଜିଉ ଗଣହତ୍ୟାର ଆଲୋଚନା କରି କହିଥିଲେ ଯେ ଏ ଗଣହତ୍ୟାରୁ କୌଣସି ମତେ ବଞ୍ଚିଯାଇଥିବା ମଣିଷଙ୍କ ପାଇଁ ବଞ୍ଚିରହିବା ଥିଲା ଏକ ପାପବୋଧ, ସେମାନେ ବଞ୍ଚିଥିଲେ ଏଇ ପାପବୋଧ ମୁଣ୍ଡରେ ନେଇ ଯେ ବନ୍ଧୁକୁଟୁମ୍ଭ ସମସ୍ତଙ୍କ ସହିତ ସେମାନେ ନ ମଲେ କାହିଁକି? ଆଉ ଟିକିଏ ଉତ୍ତପ୍ତ ଓ ତୀକ୍ଷ୍ଣ ସ୍ୱରରେ ସେ ୟା ବି କହିଥିଲେ ଯେ ନିଜ ଆଖପାଖରେ ସମସ୍ତେ ମରିଯାଉଥିବାବେଳେ ନିଜେ ବଞ୍ଚିବା, ଗୋଟେ ଭୂତହୋଇ ବଞ୍ଚିବା ଭଳି। ବହୁବର୍ଷ ତଳେ ଏ ରଚନା ପଢ଼ିଲାବେଳେ ମୁଁ ୟାର ଅନୁମାନ କରିପାରିନଥିଲି। ପୋଲାଣ୍ଡରେ ଅସ୍ୱିତ୍‌ରେ ନରସଂହାରର ମେମୋରିଆଲ ଦେଖିଲାବେଳେ ବି ୟାର ତାତ୍ପର୍ୟ୍ୟ ଅନୁମାନରେ ନଥିଲା। କିନ୍ତୁ ଏବେ ? ଏବେ ମୋ ସହରରେ , ମୋ ଦେଶରେ ଓ ମୋ ବିଶ୍ୱରେ ମୋର ବନ୍ଧୁ, ପ୍ରିୟଜନ ଓ ମାନବ ସଭ୍ୟତାର ସହବନ୍ଧନରେ ଆବଦ୍ଧ ସୁଦୂରର ମଣିଷମାନେ ବି ଏକ ସଂକ୍ରାମକ ଭୂତାଣୁ କବଳିତ ହୋଇ ନିଶ୍ଚିହ୍ନ ହେଲାବେଳେ ମନରେ ଭୟ ଆସୁଛି ଏ ଭୂତାଣୁ ମାନବ ସମାଜକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରିଦେବନି ତ? କିନ୍ତୁ ଏ ନିଶ୍ଚିହ୍ନ ହେବାର ପ୍ରକ୍ରିୟା ଏକାଥରକେ ସମୂହର ନିପାତ କରିବ ନାହିଁ। ଧୀରେଧୀରେ ଖାଇଚାଲିବ ଓ ପୃଥିବୀ ଏକ ମହାଶ୍ମଶାନରେ ପରିଣତ ହେବ। ଏଭଳି ସ୍ଥିତିରେ ଆମର ପ୍ରତିବାଦ, ପ୍ରତିରୋଧ ତ ମୁକାବିଲାର ଭାଷା କେବଳ ସକାରାତ୍ମକ ଚିନ୍ତନ। ଆମକୁ ଏ ଭରସା ରଖିବାକୁ ହେବ ଯେ ଏ ପୃଥିବୀରେ ଧ୍ୱଂସର ଏହି ଗତି ପରାହତ ହେବ ଓ ମାନବ ସମାଜ ବଂଚିଯିବ।

ଏଇ କିଛିଦିନ ଗୃହବନ୍ଦୀ ହୋଇ ରହିବା ଭିତରେ ତିନିଟି ସ୍ମରଣୀୟ ବାର୍ତ୍ତାଳାପର ଉଲ୍ଲେଖ କରେ, କାରଣ ଏ ବାର୍ତ୍ତାଳାପ ଭିତରେ ଥିଲା ନିରବରେ ଭବିଷ୍ୟତ ଚାହିଁବାର ସମ୍ଭାବନା। କରିତ୍‌କର୍ମା କେନ୍ଦ୍ରମନ୍ତ୍ରୀ ଓ ବିଚାରବନ୍ତ ରାଜନେତା ଧର୍ମେନ୍ଦ୍ର ପ୍ରଧାନ ଚିନ୍ତାପ୍ରକଟ କଲେ କାହିଁକି ଦେଶରେ ସକାରାତ୍ମକ ଚିନ୍ତନର ଅଭାବ ପଡ଼ୁଛି। ଏଥିପାଇଁ କି ପ୍ରକାରର ମୌଳିକ ଉପାଦାନ ଜରୁରୀ। ଓଡ଼ିଶାର ଜଣେ ବିଶିଷ୍ଟ ରାଜନେତା ଓ ପ୍ରାୟ ପନ୍ଦରବର୍ଷ ସଂସଦ ସଦସ୍ୟ ଖାରବେଳ ସ୍ୱାଇଁ ଏ ଚିନ୍ତା ପ୍ରକଟ କଲେ ଯେ ହୁଏତ ଏ ଭୂତାଣୁ ସଂକ୍ରମଣ ପଛରେ ତୃତୀୟ ବିଶ୍ୱଯୁଦ୍ଧର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏବେ ତା’ର ପରୋକ୍ଷବୋଧନ ଆମେ ଶୁଣୁଛେ। ମୋର ଜଣେ ଅଣ-ଭାରତୀୟ ବନ୍ଧୁ ବୁଦ୍ଧିଜୀବୀ ଜିମ୍‌ ମାର୍କିନନ୍‌ ପ୍ରଶ୍ନ ଉଠେଇଲେ କୋରନା ପଛର ବିଶ୍ୱ-ନେତୃତ୍ୱ ବିଷୟରେ। ଏହି ତନିଟି ପ୍ରଶ୍ନ ଓ ମନ୍ତବ୍ୟ ବସ୍ତୁତଃ ବିଶ୍ୱମାରୀ-ପରବର୍ତ୍ତୀ ବିଶ୍ୱର ଏକ ରୂପରେଖ ତିଆରି କରିଛନ୍ତି ମୋ ଭିତରେ, ମୁଁ ଏ ଦୁର୍ଦିନରେ ସେଇ ଚିନ୍ତାରେ ଆପଣଙ୍କୁ ସହଭାଗୀ କରୁଚି ଏକୁ ଆଶାରେ ଯେ ଆପଣ ନିଜେ ଏ ବିଷୟରେ ଚିନ୍ତା କରିବେ। ସମୟଥିଲା ଯେତେବେଳେ ଆମେ ଆମ ସହର ବା ଖୁବ୍‌ ବେଶିରେ ରାଜ୍ୟ କଥା ଭାବୁଥିଲେ। ସ୍ଥଳ ବିଶେଷରେ ଦେଶ ବି ଚିନ୍ତାର ବିଷୟ ଥିଲା, କିନ୍ତୁ ଏକା ସାଥିରେ ଆମ ଗ୍ରାମ ବା ସହର ସହିତ ରାଜ୍ୟ, ଦେଶ ଓ ବିଶ୍ୱର ଚିନ୍ତା କରିବାର ବିଷୟ ନଥିଲା। ସହମରଣ ବା ମିଳିତ ମୃତ୍ୟୁର ଏ ଆତଙ୍କ ସମଗ୍ର ବିଶ୍ୱକୁ ଗୋଟିଏ ସଂଯୋଜକ ଦ୍ୱାରା ଯୋଡ଼ିଦେଇଚି। ସେ ସଂଯୋଜକ ବ୍ୟାଧି, କ୍ଷୟ, ସଂକ୍ରମଣ, ମୃତ୍ୟୁ।

ହୋଇପାରେ କରୋନା ଏକ ଭୂତାଣୁ ଏକ ପ୍ରୋଟିନ୍‌ ପରମାଣୁ ! ଇଏ ରାସାୟନିକ ବିଷ ନୁହେଁ, ଜୀବାଣୁ ନୁହେଁ, ଇଏ ଭୂତାଣୁ। ଭୂତାଣୁକୁ ମାରିବ କିଏ? ଶରୀର ଭିତରେ ଥିବା ଭୂତାଣୁ-ପ୍ରତିରୋଧ ହିଁ ବାହାରର ଭୂତାଣୁର ଅନୁପ୍ରବେଶକୁ ବିଫଳ କରିପାରେ, କିନ୍ତୁ ସଂକ୍ରମିତ ନହେଲେ ଶରୀର ଭିତରେ ଏ ପ୍ରତିରୋଧ ସୃଷ୍ଟି ହେବ କିପରି? ବୈଜ୍ଞାନିକମାନେ ପରୀକ୍ଷାଗାରରେ ବ୍ୟସ୍ତ, ବିଭିନ୍ନ ଉତ୍ସରୁ ଆହୂତ ଔଷଧି ଜ୍ଞାନ ମଧ୍ୟ ଚର୍ଚ୍ଚାରେ, କିନ୍ତୁ କେହି ଏଯାବତ୍‌ ନିର୍ଣ୍ଣାୟକ ସିଦ୍ଧ ହୋଇ ନାହାନ୍ତି। ୟା ବୋଲି ଆମେ କ’ଣ ମୃତ୍ୟୁ ଆସନ୍ନ ଭାବି ହାତ ଛାଡିଦେବା। ନା ଭୂତାଣୁ ସଂକ୍ରମଣ ଏକ ସ୍ୱବିନାଶୀ ଶକ୍ତି। ଇଏ ଶରୀର ନପାଇଲେ ତା’ର ଉଦ୍ଦାମ ବାୟବ୍ୟତାରେ ହିଁ ନିଜକୁ ସମାପ୍ତ କରିଦେବ। ଗୃହବନ୍ଦୀତ୍ୱ ଓ ସଂଗରୋଧର ସକାରାତ୍ମକ ତାତ୍ପର୍ୟ୍ୟ ଏହିଠାରେ, ଏହିଠାରେ ମଧ୍ୟ ମାନବଜୀବନ ସଂରକ୍ଷଣରେ ରାଷ୍ଟ୍ରର ଭୂମିକା। କହିବାରେ ଦ୍ୱିଧାନାହିଁ ଯେ ରାଷ୍ଟ୍ରୀୟ ଭୂମିକା ନିର୍ବାହରେ ଭାରତ ଏକ ପଥିକୃତ ନାୟକର ସ୍ଥାନରେ ବିଦ୍ୟମାନ। ଏ ଭୂମିକା ବିଶ୍ୱନାୟକର ଭୂମିକା। ଏଥିରେ ନକାରାତ୍ମକ ଆଲୋଚନାର ସ୍ଥାନ କାହିଁ? ରାଜନୈତିକ ଶକ୍ତି ଆହରଣରେ ବିଫଳ କିଛି ଦଳ ବା କିଛି ବ୍ୟକ୍ତି ଯଦି ତାଙ୍କର ସ୍ୱାର୍ଥଲିପ୍ତ ମାନସିକତାର ଉଦ୍‌ବାର୍ୟ୍ୟ ପରିପ୍ରକାଶ ପାଇଁ ଭାରତ-ସରକାର ବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିନ୍ଦା କରନ୍ତି, ତେବେ ତାକୁ ମତପ୍ରକାଶର ଅଧିକାର ଭାବି ନଜରଅନ୍ଦାଜ କରାଯିବ ନାହିଁ; ବରଂ ନିନ୍ଦୁକମାନଙ୍କୁ ଜଣଜଣ କରି ମଞ୍ଚକୁ ଡକାଯିବ ତାଙ୍କର ମତ ସାବ୍ୟସ୍ତ କରିବା ପାଇଁ। ଏଇ ନକାରାତ୍ମକତା ତ ଭାରତୀୟ ଐକ୍ୟ-ସାଧନର ଶତ୍ରୁ! ଭାରତୀୟ ରାଷ୍ଟ୍ରର ସକାରାତ୍ମକ ରାଜଦର୍ଶନର ତିନିଟି ନିଷ୍କର୍ଷ ଏଠି ସ୍ମରଣରେ ରଖିବାକୁ ହିଁ ହେବ, ତା ନହେଲେ ବିପର୍ୟ୍ୟୟର ରାଜନୀତି ଆମଠୁ ଆମର ମହାଜାତୀୟ ଦୃଷ୍ଟି ଅପହରଣ କରିନେଇପାରେ। ସେ ତିନିଟି ସକାରାତ୍ମକ କଥା ଏହିପରି:

(୧) ପ୍ରଧାନମନ୍ତ୍ରୀ ହେବ ତ ଏମିତି! ମୁଁ ମୋଦୀଙ୍କ ତିନିତିନିଟି ରାଷ୍ଟ୍ରସମ୍ବୋଧନ ଶୁଣିଚି। ଏଭଳି ସ୍ପଷ୍ଟତା, ଦୂରଦୃଷ୍ଟି, ସମ୍ବେଦନ ଓ କରୁଣାପୂର୍ଣ୍ଣ ଦୃଢ଼ତା କ୍ୱଚିତ୍‌ ଦେଖିବାକୁ ମିଳେ। ଜଣେ କେହି ସାମ୍ବାଦିକ କରୋନା- ଆକ୍ରାନ୍ତ ଇଂଲଣ୍ଡର ମହାରାଣୀଙ୍କ ସମ୍ବୋଧନ ଭୂୟସୀ ପ୍ରଶଂସା କଲେ। ମୁଁ ମହାରାଣୀଙ୍କ ଭାଷଣ ଶୁଣିଚି। ସେ ଭାଷଣ ମୋଦୀଙ୍କ ଭାଷଣ ସହିତ କୌଣସି ଦିଗରୁ ତୁଳନୀୟ ନୁହେଁ। ସାମ୍ବାଦିକ ମହୋଦୟ ମହାରାଣୀଙ୍କ ଠସ୍‌ଠସ୍‌ ଇଂରେଜୀ ଉଚ୍ଚାରଣରେ ସ୍ତମ୍ଭୀଭୂତ ହୋଇଯାଇ ଥାଇପାରନ୍ତି, ସେ ତାଙ୍କର ଔପନିବେଶିକ ଭ୍ରାନ୍ତି ହୋଇପାରେ। ଠୋସ୍‌ କଥା ଥିଲା ନରେନ୍ଦ୍ର ମୋଦୀଙ୍କ ଭାଷଣରେ। ସେ ଯେଭଳି ଭାବରେ ରାଷ୍ଟ୍ରକୁ ବିଶ୍ୱମାରୀର ବିପଦ ବିଷୟରେ ଅବଗତ କରାଇଲେ, ଯେଭଳି ଭାବରେ ସଂକଳ୍ପ ଓ ସମ୍ବରଣରେ ମନ୍ତ୍ର ଦେଲେ ତାହା ନିମ୍ନତମ ସ୍ତରର ସାଧାରଣ ଭାରତୀୟଙ୍କ ହୃଦୟକୁ ସ୍ପର୍ଶ କଲା। ସେଇଥିପାଇଁ ତ ତାଙ୍କରି ଆହ୍ୱାନରେ ବିଶ୍ୱମାରୀ ବିରୋଧରେ ପ୍ରତ୍ୟକ୍ଷ ଭାବରେ ଲଢ଼ୁଥିବା ଡାକ୍ତର, ନର୍ସ, ପୁଲିସ ଓ ପ୍ରଶାସକ ସମସ୍ତଙ୍କ ପାଇଁ ଘଣ୍ଟି ବାଜିଲା, ଶଙ୍ଖ ବାଜିଲା, ଆତଙ୍କିତ ମୁହଁଟିମାନଙ୍କରେ କୃତଜ୍ଞତାର ଫୁଲ ଫୁଟିଗଲା। ସତରେ କୃତଜ୍ଞ ମଣିଷ ମୁହଁ କି ସୁନ୍ଦର! ସେତିକିବେଳେ ଘଣ୍ଟାଧ୍ୱନିରେ ବିଚଳିତ ନେତିବାଦୀମାନେ ଯେତେବେଳେ କହି ଉଠିଲେ ଯେ ଇଏ ଗୋଟେ ନାଟକ ହେଲା, ୟାର ଆଉ କିଛି ତାତ୍ପର୍ୟ୍ୟ ନାହିଁ, ସେତେବେଳେ ତାଙ୍କର ମୁହଁଟିମାନ ଏମିତି ନିଷ୍ପ୍ରଭ, ରଂଗହୀନ ଓ କାଳିମାମୟ କାହିଁକି ଦିଶୁଥିଲା! ଦିଶୁଥିଲା ଏଇଥିପାଇଁ ଯେ ସେମାନଙ୍କ ପାଖରେ ସତ୍ୟର ବଳ ନଥିଲା। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆମେ ଦୀପ ଜାଳିଲୁ ରାତି ନ’ଟା ବେଳେ ନ’ମିନିଟ ପାଇଁ। ମୁଁ ରହୁଥିବା ଆଇଆରସି ଭିଲେଜ ଅଞ୍ଚଳରେ ପ୍ରତିଘରେ ଜଳିଉଠିଲା ଦୀପ ଠିକ୍‌ ରାତି ନ’ଟାରେ। ସମାଲୋଚକ କହିଲେ ଇଏ ନାଟକ, ଇଏ ସଂଖ୍ୟା- ଶାସ୍ତ୍ର ଉପରେ ଅନ୍ଧବିଶ୍ୱାସ, ଇଏ ତନ୍ତ୍ରକ୍ରିୟା, କିନ୍ତୁ ଆମେ ଭାରତବାସୀ ଦେଖିଲୁ କେବଳ ଜ୍ୟୋତି, ଆଲୋକବର୍ତ୍ତିକା, ଦୀପଶିଖା ଓ ଆଲୋକର ଉତ୍ସବ। ଇଏ ଥିଲା ଦେଶବାସୀଙ୍କ ପାଇଁ ମାନବ କଲ୍ୟାଣର ଦୀପାବଳି। ରାଷ୍ଟ୍ରନାୟକ ହୃଦୟର ସ୍ପର୍ଶକାତରତା ଓ ସମ୍ବେଦନା ନଦେଖି ଆମେ କାହିଁକି ଦେଖୁଥାନ୍ତୁ ୟା ଭିତରେ ରାଜନୀତିର ଅକ୍ଷର। ଅନ୍ଧାରର ଜୀବ ଅନ୍ଧାରରେ ରହନ୍ତୁୁ ଶାନ୍ତିରେ। ଆମକୁ ଆଲୋକ ଦିଶୁ। ପୁଣି ଏ ଭିତରେ ଗଲଫ୍‌ ଟାଇମ୍‌ସରେ ଜଣେ କିଏ ଲେଖିଲେ ବିଶ୍ୱମାରୀକୁ ମୁକାବିଲା କରିବା ନାଁରେ ମୋଦୀ ୨୦୨୪ର ନିର୍ବାଚନ ପାଇଁ ଭୂମି ପ୍ରସ୍ତୁତ କରୁଚନ୍ତି। କି ଲଜ୍ଜାକର କଥା ଏ ! ଏଭଳି କଥାକୁ କି ଭାଷାରେ ନିନ୍ଦା କରାଯିବ ଭାବି ହେଉନି।

(୨)ଦ୍ୱିତୀୟ ସକାରାତ୍ମକ କଥା ହେଲା ଭାରତର ବିଶ୍ୱସ୍ତରୀୟ ବିପର୍ୟ୍ୟୟ ପରିଚାଳନାର ସାମର୍ଥ୍ୟ। କୁହାଯାଇପାରେ ଯେ ଆମେରିକା ଓ ୟୁରୋପଠାରୁ ଅଧିକ ସ୍ପଷ୍ଟ, ସୁସଂଯୋଜିତ ଓ ସୁପରିକଳ୍ପିତ। ଅନ୍ୟ ରାଜ୍ୟମାନେ ଗୃହବନ୍ଧନ, ସଂଗରୋଧ ଓ ଲକ୍‌ଡାଉନ କିଭଳି କାର୍ୟ୍ୟାନ୍ୱିତ କଲେ କହିପାରିବି ନାହିଁ, କିନ୍ତୁ ମହାରାଷ୍ଟ୍ର ସରକାର ଯେଭଳି ଭାବରେ ହଜାରହଜାରର ଶ୍ରମିକଙ୍କୁ ଏକାଠି କରାଇ ସାମାଜିକ ସଂକ୍ରମଣର ଆସୁରିକ ଯୋଜନାକୁ ପଣ୍ଡ କରିବାରେ ବିଫଳ ହେଲେ ତାହା ମୋତେ ବିସ୍ମିତ ଓ ବ୍ୟଥିତ କରିଚି, କିନ୍ତୁ ହ୍ୟାଟ୍‌ସ ଅଫ୍‌ ଟୁ ନବୀନ ଜୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ରାଷ୍ଟ୍ରୀୟ ସଂକଳ୍ପକୁ ଯେଭଳି ଭାବରେ ଯୁଦ୍ଧ-ଭିତ୍ତିକ ତତ୍ପରତା ସହିତ କାର୍ୟ୍ୟକାରୀ କରାଇଲେ ତାହା ରାଜ୍ୟଶାସନରେ ଇତିହାସରେ ଏକ ଦୃଷ୍ଟାନ୍ତ ହୋଇ ରହିବ। ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ଭୂମିକାରେ ସୁବ୍ରତ ବାଗ୍‌ଚୀ ଯେଉଁ ଦୃଢ଼ତା, କଳ୍ପନାଶୀଳତା, ଅନ୍ତରଙ୍ଗତା ଓ ଦକ୍ଷତାର ସହିତ ବିଶ୍ୱମାରୀର ତାତ୍ପର୍ୟ୍ୟ ଉପସ୍ଥାପିତ କରିଚାଲିଛନ୍ତି, ତା’ର ପଟାନ୍ତର ନାହିଁ। ଆମ ପୂର୍ବ ପିଢ଼ିର ଲୋକେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ୱାର୍‌-ବ୍ରଡକାଷ୍ଟିଂ ଶୁଣିବା ପାଇଁ ଉତ୍‌କର୍ଣ୍ଣ ହୋଇ ରହିଲାଭଳି ପ୍ରତିଦିନ ଅପେକ୍ଷା କରୁଥିଲି ତାକୁ ଶୁଣିବା ପାଇଁ। ତାଙ୍କ ସହିତ ଯେଉଁ ବରିଷ୍ଠ ପ୍ରଶାସକମାନେ ଥିଲେ ସେମାନେ ବି ପ୍ରମାଣ କରିଥିଲେ ଯେ ଓଡ଼ିଶାର ବରିଷ୍ଠ ପ୍ରଶାସକମାନେ ଶାସକ ଭୂମିକା ସହିତ ସେବକ ଭୂମିକାରେ ଅବତୀର୍ଣ୍ଣ। କୁହାଯାଇପାରିବ ଯେ ଭାରତୀୟ ରାଜନୀତିରେ ରାଷ୍ଟ୍ରୀୟ ସକାରାତ୍ମକତାର ସବୁ ମାର୍ଗ ଓଡ଼ିଶାରେ ଖୋଲି ଦେଇଛନ୍ତି ନବୀନ ଜୀ। ଉଭୟ ପ୍ରଧାନମନ୍ତ୍ରୀ ମୋଦୀଜୀ ଓ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନଜୀ ସକାରାତ୍ମକ ରାଜନୀତି ଓ ରାଷ୍ଟ୍ରମଙ୍ଗଳକୁ ବ୍ୟବହାରଯୋଗ୍ୟ ଓ ବିଶ୍ୱସନୀୟ ପ୍ରତିପାଦିତ କରିଛନ୍ତି। ଯେଉଁ ପୁଲିସ ଏକଦା ତାଙ୍କର ରୁକ୍ଷତା ପାଇଁ ନିନ୍ଦିତ ହେଉଥିଲେ ସେଇ ପୁଲିସ ଆଜି ତାଙ୍କର ରୁକ୍ଷ ନିୟନ୍ତ୍ରଣ କ୍ଷମତା ସଂବରଣ ପାଇଁ ଅଭିନନ୍ଦିତ ହେଉଛନ୍ତି।

(୩) ତୃତୀୟ ସକାରାତ୍ମକ ନିଷ୍କର୍ଷ ହେଲା ରାଜନୀତିର ମାନବୀକରଣ। ଯେଉଁ ରାଜନୀତି ସତ୍ତା-ଯୁଦ୍ଧରେ ଦିନକୁଦିନ ଅମାନବୀୟ ହୋଇଉଠୁଥିଲା, ସେ ରାଜନୀତି ବର୍ତ୍ତମାନ ସ୍ତବ୍ଧ। ବର୍ତ୍ତମାନ ସଭ୍ୟତାର ଏ ଘୋର ସଂକଟରେ ମାନବିକତା ହିଁ ନାୟକ। ଅର୍ଥନୀତି ଓ ରାଜନୀତି ଦ୍ୱାରା ନିୟନ୍ତ୍ରିତ ଗଣତନ୍ତ୍ର ସତେ ଅବା ପ୍ରଥମଥର ପାଇଁ ମାନବିକତା ଆଧାରରେ ଗଣଚେତନାକୁ ସ୍ପର୍ଶ କରୁନି। କହିବାରେ ଦ୍ୱିଧା ନାହିଁ ଯେ ବିଶ୍ୱମାରୀ ପରବର୍ତ୍ତୀ କାଳର ରାଜନୀତି ଏକ ଭିନ୍ନ ରାଜନୀତି ହେବ। ମଣିଷ ରହିବ ୟାର କେନ୍ଦ୍ରରେ ସତ୍ତା ବା ସତ୍ତାଧାରୀ ନୁହେଁ !

ଖାରବେଳ ସ୍ୱାଇଁଙ୍କ ଆଶଙ୍କା ଅମୂଳକ ନୁହେଁ। ବିଶ୍ୱମାରୀ କମିଗଲା ପରେ ହୁଏତ ସମଗ୍ର ବିଶ୍ୱର କ୍ରୋଧ ଚୀନ ବିରୋଧରେ ପୁଞ୍ଜିଭୂତ ଆକ୍ରୋଶରେ ପରିଣତ ହେବ। ଏ ପ୍ରଶ୍ନର ଅମୂଳକ ନୁହେଁ ଯେ ଉହାନ୍‌ରେ କରୋନା ଏତେ ପ୍ରାଣ ନେଲା, କିନ୍ତୁ ରାଜଧାନୀ ବେଜିଂ ଅକ୍ଷତ ରହିଗଲା? କେମିତି? ମାରକ ଭୂତାଣୁକୁ ଅସ୍ତ୍ରରୂପେ ପ୍ରୟୋଗ କରି ବିଶ୍ୱକୁ କରାୟତ୍ତ କରିବାକୁ କୌଣସି ଦେଶ ଚାହୁଁଥିଲା କି ? ସେ ଦେଶ ଚୀନ କି ? ବିଶ୍ୱର ସର୍ବଶକ୍ତିମାନ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ବର୍ତ୍ତମାନ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଓ ଉପାୟଶୂନ୍ୟ। ଭାରତରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ବଟିକା ନେଇ କୃତଜ୍ଞ ଆମେରିକା, କାଲିକି ବାହୁସ୍ଫୋଟ ମାରି ପୁଣି ଉଠିବ କି? ମୋର ତ ମନେ ହେଉଛି ୟୁରୋ- ଆମେରିକାନ ଆଧିପତ୍ୟ (ହେଜିମୋନି)କୁ ପ୍ରକୃତି ଭୂତାଣୁ ପ୍ରୟୋଗ କରି ଧ୍ୱସ୍ତ କରିଦେଲା। ଭବିଷ୍ୟତର ରାଜନୈତିକ ସନ୍ତୁଳନରେ ବିରାଟ ଅକଳ୍ପନୀୟ ପରିବର୍ତ୍ତନ ଆସିବ।

ମୋର ବିଦେଶୀ ବନ୍ଧୁ, ଯାହାଙ୍କ ଛଦ୍ମନାମ ମୁଁ ଏ ରଚନାରେ ବ୍ୟବହାର କରିଛି କହୁକହୁ କହିଦେଲେ ବିଶ୍ୱନାୟକର ଭୂମିକାରେ ସେ କେବଳ ଭାରତ ଓ ତା’ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖୁଛନ୍ତି। ମୁଁ ତାଙ୍କ ବିଶ୍ୱରାଜନୀତିର ବର୍ତ୍ତମାନ ସ୍ଥିତିକୁ ନେଇ ଅଜସ୍ର ପ୍ରଶ୍ନ ପଚାରିଗଲି ଏଇ ଖୁସିରେ ଯେ ସେ କୁହନ୍ତୁୁ ପ୍ରକୃତରେ ସେ ମୋତେ ଜଣେ ଭାରତୀୟ ଭାବି ଏକଥା କହୁଛନ୍ତି ନା ବିଶ୍ୱସ୍ତରରେ ୟାର ଚର୍ଚ୍ଚା ଜୋର୍‌ ଧରିଲାଣି। ସେ ବିଚଳିତ ହେଲେ ନାହିଁ। ବରଂ ଚିନ୍ତାକୁଳ ଓ ବ୍ୟଥିତ କଣ୍ଠରେ କହିଲେ ଭାରତ ହିଁ ଏକମାତ୍ର ଦେଶ ଯେଉଁଠି ପ୍ରକୃତି ଓ ସଭ୍ୟତା ଦୁଇଟା ଯାକୁ ବଞ୍ଚେଇବାର ମହାମନ୍ତ୍ର ମନୀଷୀମାନେ ଛାଡ଼ି ଦେଇଛନ୍ତି ଓ ନରେନ୍ଦ୍ରମୋଦୀ ଏକମାତ୍ର ବିଶ୍ୱସ୍ତରୀୟ ନେତା ଯାହାଙ୍କ ପାଖରେ ରାଜନୀତିର ଆଧ୍ୟାତ୍ମିକ ପ୍ରାଣସ୍ପନ୍ଦନ ଅଛି। ଅଧ୍ୟାତ୍ମରେ ହିଁ ଭବିଷ୍ୟତର ବିଶ୍ୱ ବିଶ୍ୱାସ କରିବ ଓ ତାହାହିଁ ହେବ ଗଣତନ୍ତ୍ର ପରିଚାଳନାର ସର୍ବାଧୁନିକ ଓ ସର୍ବପ୍ରାଚୀନ ଶାଶ୍ୱତ ଦର୍ଶନ। ତୁମ ତୁଣ୍ଡ ସୁତୁଣ୍ଡ ହେଉ ବନ୍ଧୁ !

Comments are closed.