ଅଷ୍ଟ୍ରେଲିଆରେ ପୁନର୍ବାର ଫିଟନେସ୍‌ ପରୀକ୍ଷା ଦେବେ ରୋହିତ

ନୂଆଦିଲ୍ଲୀ: ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଶେଷ ୨ଟି ମ୍ୟାଚ୍‌ରେ ଭାରତ ତରଫରୁ ତାରକା ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା ଖେଳିବାର ଆଶା ସୃଷ୍ଟିହୋଇଛି। ତେବେ ଅଷ୍ଟ୍ରେଲିଆରେ ସଂଗରୋଧ ଅବଧି ଶେଷ ପରେ ରୋହିତଙ୍କର ପୁଣିଥରେ ଫିଟ୍‌ନେସ ଆକଳନ କରାଯିବ ବୋଲି ବିସିସିଆଇ ଘୋଷଣା କରିଛି। ଶୁକ୍ରବାର ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ରୋହିତ ଶର୍ମା ସଫଳତାର ସହ ଫିଟନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ରୋହିତ ଖୁବ୍‌ଶୀଘ୍ର ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେ ୧୪ ଦିନିଆ ସଙ୍ଗରୋଧରେ ରହିବେ। ତାଙ୍କ ଶାରୀରିକ ଦକ୍ଷତା ବଢ଼ାଇବା ଲାଗି ଏହି ୧୪ ଦିନ କ’ଣସବୁ ଅଭ୍ୟାସ ରୋହିତ କରିବେ; ଏନ୍‌ସିଏ ପକ୍ଷରୁ ରୋହିତଙ୍କୁ ଏହା ପ୍ରଦାନ କରାଯାଇଛି। ସଂଗରୋଧ ଅବଧି ଶେଷ ପରେ ଅଷ୍ଟ୍ରେଲିଆରେ ପୁନର୍ବାର ରୋହିତ ଫିଟନେସ୍‌ ପରୀକ୍ଷା ଦେବେ ବୋଲି ଶନିବାର ବିସିସିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଥାଉକି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୧୭ରୁ ଆଡିଲେଡ୍‌ରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ଟେଷ୍ଟ ଆସନ୍ତା ୨୬ରୁ ମେଲବୋର୍ଣ୍ଣରେ ଖେଳାଯିବ। ଏହି ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ସେ ଖେଳିବାର ସୁଯୋଗ ପାଇବେ ନାହିଁ। ତୃତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୭ରୁ ସିଡନୀରେ ଓ ଚତୁର୍ଥ ଟେଷ୍ଟ ଜାନୁଆରୀ ୧୫ରେ ବ୍ରିସବେନ୍‌ରେ ଖେଳାଯିବାକୁ ଥିବାବେଳେ ଏହି ୨ଟି ମ୍ୟାଚ୍‌ରେ ରୋହିତ ଖେଳିବାର ଆଶା ରହିଛି। ବିସିସିଆଇ ତରଫରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ୟୁଏଇରେ ଆୟୋଜିତ ଆଇପିଏଲ୍‌ରେ ଖେଳୁଥିବା ବେଳେ ରୋହିତଙ୍କ ଜଂଘ ମାଂସପେଶୀରେ ଆଘାତ ଲାଗିଥିଲା। ସେ ୟୁଏଇରୁ ଫେରି ଗତ ନଭେମ୍ବର ୧୯ରୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ଶାରୀରିକ ଅଭ୍ୟାସ ଜାରି ରଖିଥିଲେ। ଶୁକ୍ରବାର ରୋହିତଙ୍କ ଫିଟନେସ୍‌ ପରୀକ୍ଷା ହୋଇଥିବା ବେଳେ ତାଙ୍କ ଫିଟନେସ୍‌କୁ ନେଇ ଜାତୀୟ କ୍ରିକେଟ୍‌ ଏକାଡେମୀ ନିର୍ଦେଶକ ରାହୁଲ ଦ୍ରାବିଡ଼ ଓ ଅନ୍ୟ ବିଶେଷଜ୍ଞ ସନ୍ତୋଷବ୍ୟକ୍ତ କରିଥିବାରୁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଅନୁମତି ମିଳିଛି।

Comments are closed.