ପ୍ରଥମ ୨ଟି ଟେଷ୍ଟରୁ ଈଶାନ୍ତ, ରୋହିତ ବାଦ୍‌

ମୁମ୍ବଇ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ୨ଟି ଟେଷ୍ଟ ମ୍ୟାଚ୍‌ରେ ଖେଳିବେ ନାହିଁ ଭାରତର ବରିଷ୍ଠ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଓ ତାରକା ବ୍ୟାଟସମ୍ୟାନ୍ ରୋହିତ ଶର୍ମା। ଏଥିସହ ବାକି ୨ଟି ଟେଷ୍ଟରେ ମଧ୍ୟ ଏମାନଙ୍କ ଖେଳିବା ନେଇ ଆଶଙ୍କା ରହିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମେ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଏହାପରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ଆହତ ଥିବାରୁ ଅଷ୍ଟ୍ରେଲିଆ ଯାଇନଥିବା ଈଶାନ୍ତ ଓ ରୋହିତ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ଅଭ୍ୟାସ ଜାରି ରଖିଛନ୍ତି। ଈଶାନ୍ତ ୩ୟ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ହେଲେ ତାଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେ ୧୪ ଦିନ ବାଧ୍ୟତାମୂଳକ ସଂଗରୋଧରେ ରହିବେ। ପରେ ସେ ଜାନୁଆରୀ ୭ରୁ ସିଡ୍‌ନୀରେ ହେବାକୁ ଥିବା ୩ୟ ଟେଷ୍ଟମ୍ୟାଚ୍‌ରେ ଖେଳିବାର ସମ୍ଭାବନା ରହିଛି। ଆଇପିଏଲ୍‌ ବେଳେ ଆହତ ହୋଇଥିବା ରୋହିତ ଶର୍ମା ଅଦ୍ୟାବଧି ସଂପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି। ଡିସେମ୍ବର ୨ୟ ସପ୍ତାହ ପୂର୍ବରୁ ରୋହିତ ସଂପୂର୍ଣ୍ଣ ମ୍ୟାଚ୍‌ ଫିଟନେସ୍ ପାଇବାର ଆଶା ନାହିଁ। ତେଣୁ ସେ ପ୍ରଥମ ୨ଟି ଟେଷ୍ଟ ଖେଳିପାରିବେ ନାହିଁ। ଡିସେମ୍ବର ୨ୟ ସପ୍ତାହ ପରେ ସେ ଯଦି ଅଷ୍ଟ୍ରେଲିଆ ଯାଆନ୍ତି; ତାଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ। ଏପରି ପରିସ୍ଥିତିରେ ରୋହିତ ସଂପୂର୍ଣ୍ଣ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିବା ନେଇ ଆଶଙ୍କା ସୃଷ୍ଟିହୋଇଛି। ଯଦି ଆଇପିଏଲ୍‌ ପରେ ରୋହିତ ସିଧାସଳଖ ଅଷ୍ଟ୍ରେଲିଆ ଯାଇଥାଆନ୍ତେ; ସେ ଟେଷ୍ଟ ସିରିଜ୍‌ ଖେଳିବା ଆଶା ଅଧିକ ରହିଥାଆନ୍ତା। ଈଶାନ୍ତ ଏନ୍‌ସିଏରେ ଦୀର୍ଘଦିନ ଧରି ଅଭ୍ୟାସ କରିଥିଲେ ମଧ୍ୟ ତାଙ୍କ ମ୍ୟାଚ୍‌ ଫିଟ୍‌ନେସ୍‌କୁ ନେଇ ସନ୍ଦେହ ରହିଛି। ଏପରି ପରିସ୍ଥିତିରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ସମସ୍ତ ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ। ଦ୍ରୁତ ବୋଲିଂ ବିଭାଗରେ ଭାରତୀୟ ଦଳରେ ଯଶପ୍ରୀତ୍‌ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି, ନବଦୀପ ସୈନି ଓ ମହମ୍ମଦ ସିରାଜ୍‌ ପ୍ରମୁଖ ଥିବାରୁ ଈଶାନ୍ତଙ୍କ ଅନୁପସ୍ଥିତି ଦଳ ସେପରି ଅନୁଭବ କରିବ ନାହିଁ ବୋଲି ଚର୍ଚ୍ଚା ହେଉଛି।

Comments are closed.