ଡ଼କାୟତ ଦଳଙ୍କୁ ଧରା ପକାଇଲା ଦେଶୀ କୁକୁଡ଼ା ଝୋଳ ଲୋଭ ; ୫ ଗିରଫ, ଖଣ୍ଡା-ମାଉଜର-ଗୁଳି ଜବତ

ଭୁବନେଶ୍ବର: ଆଜି ରାତିରେ ଥିଲା ଡ଼କାୟତି ଯୋଜନା । କେଉଁଠି ଡ଼କାୟତି କରିବେ ସେ ଘର ବି ଠାବ ହୋଇଥିଲା । ଖଣ୍ଡା, ବନ୍ଧୁକ ଗୁଳି ସବୁ ପ୍ରସ୍ତୁତ ସରିଥିଲା । ଦୁଇଟା ମୋଟର ସାଇକେଲରେ ବି ତେଲ ଟାଙ୍କି ପୁରା କରାଯାଇଥିଲା । ଡ଼କାୟତି କରିବାକୁ ଯିବା ପୂର୍ବରୁ ହୋଇଥିଲା ଭୋଜି ଆୟୋଜନ । ଦେଶୀ କୁକୁଡ଼ା ଝୋଳ ଖାଇ ବାହାରିଥାଆନ୍ତେ ରାତି ଅଧିଆ ଯୋଜନାରେ ବାହାରିଥାଆନ୍ତେ । ହେଲେ କପାଳ ମନ୍ଦ । ଦେଶୀ କୁକୁଡ଼ା କିଣିବାକୁ ଯିବାବେଳେ ଜଣେ ଧରା ପଡ଼ିଲା, ଆଉ ତା’ଠୁ ସୂଚନା ପାଇ ଆଉ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ସେମାନଙ୍କଠାରୁ ନଗଦ ସାଢ଼େ ସାତ ହଜାର ଟଙ୍କା, ଗୋଟିଏ ପିସ୍ତଲ, ୨ଟି ଗୁଳି, ୩ଟା ଖଣ୍ଡା, ଆଉ ୨ଟା ବାଇକ ଜବତ କରିଛି ପୁଲିସ ।

ଏୟାରଫିଲ୍ଡ଼ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ନିକଟରେ ଏହି ଡ଼କାୟତ ଦଳ ଏକାଠି ହୋଇଥିଲେ । ସେଇଠି ଭୋଜି ଆୟୋଜନ ବି ହୋଇଥିଲା । ବାଟରୁ ଚିକେନ କିଣା ସରିଥିଲା । ହେଲେ ଅଡ଼ୁଆ ହୋଇଥିଲା ଗୋଟାଏ ପୂର୍ବ ମାମଲା । ପୂର୍ବରୁ ବଟି ମଗା ମାମଲାରେ ଜଣେ ସମ୍ପୃକ୍ତ ଥିଲା ଓ ସେ ସେହିବାଟ ଦେଇ ଯାଇଥିବା ଦେଖି କେହି ଜଣେ ପୁଲିସକୁ ସୂଚନା ଦେଇଥିଲା । ପୁଲିସ ଦାଦାବଟି ମାମଲାରେ ଅଭିଯୁକ୍ତକୁ ପିଛା କରି ପହଞ୍ଚି ଯାଇଥିଲେ ଘଟଣାସ୍ଥଳରେ । ପୁଲିସର କ୍ୟୁଏଟି ଚାରିପଟୁ ଘେରି ଯାଇଥିଲେ । ଶେଷରେ ପଞ୍ଚପାଲିର ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା । ପରମାନନ୍ଦ ଭାରିମଲ, କାଶୀନାଥ ସାମନ୍ତରାୟ, ଅମୀର ଜୟସିଂହ, ସୁକାନ୍ତ ଭାରିମଲ ଓ ଅନୀଲ ବଳିଆରସିଂହ ପୁଲିସ ହାତରେ ଧରା ପଡ଼ିଥିଲେ । ପୁଲିସ ଚାପ ଆଗରେ ସେମାନେ ଡ଼କାୟତି କରିବାକୁ ଯୋଜନା କରିଥିବା ସ୍ବୀକାର କରିଥିବା ସୂଚନା ମିଳିଛି ।

Comments are closed.