୩ କିମି ଦୁର୍ଗମ ଘାଟି ରାସ୍ତାରେ ଭାରରେ ବୁହା ହେଲେ ଗର୍ଭବତୀ ମହିଳା 

ରାସ୍ତା ସାଜିଛି ମରଣଯନ୍ତା

ମୋହନା : ଭଲ ରାସ୍ତାଟିଏ ନ ଥିବାରୁ ଗାଁରେ ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ୩ କିମି ପାହାଡିଆ ଘାଟି ରାସ୍ତାରେ ଭାରରେ ବୋହି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି ପରିବାର ଲୋକେ ।  ଏଭକି ଏକ ଜନନୀ ଯନ୍ତ୍ରଣା ଘଟଣା ପୁଣି ଥରେ ଦେଖିବକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡି ପଞ୍ଚାୟତ ଅନ୍ତର୍ଗତ ବୁଢ଼ାପଙ୍କ ଗାଁରେ । ଗାଁର ଦେବ ମଳିକଙ୍କ ସ୍ତ୍ରୀ ଜୟନ୍ତୀ ମଳିକ ଗର୍ଭ ଯନ୍ତ୍ରଣା ସହି ନ ପାରିବାରୁ ପରିବାର ଲୋକେ ମୋହନା ୧୦୮କୁ ଖବର ଦେଇଥିଲେ । ୧୦୮ ଆସିଲା, କିନ୍ତୁ ରାସ୍ତା ଖରାପ ଯୋଗୁଁ ଗାଁଠାରୁ ୩ କିମି ଦୂରରେ ଅଟକି ଗଲା। ଯାହାଫଳରେ ଜୟନ୍ତୀଙ୍କର ଗର୍ଭ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ବାଧ୍ୟହୋଇ ଏକ ଭାରରେ ବୋହି ପାହାଡିଆ ଘାଟି ଓ କାଦୁଅ ପଚପଚ଼ ରାସ୍ତା ଏବଂ ଏକ ଭରା ନାଳ ପାର କରି  ଗାଁ ଠାରୁ ୩ କିମି ଦୂର ଖଜୁରିପଦା ଗ୍ରାମ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ୧୦୮ ଯୋଗେ କର୍ମଚାରୀମାନେ ଆଣି ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ଜଣକ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଉଭୟେ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଅନ୍ୟପଟେ ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମବାସୀମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ଵତନ୍ତ ଭାବେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

Comments are closed.