ଗଛ ପଡ଼ି ଦୀର୍ଘ ୧୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ

କୋଲବିରା: କୋଲବିରା ବ୍ଲକ ବଡ଼ବହାଲ ଠାରେ ତିନୋଟି ବିରାଟକାୟ ଗଛ ପଡି ଏନ୍‍ଏଚ୍‍ ଦୀର୍ଘ ୧୨ ଘଣ୍ଟା ଅବରୋଧ ହୋଇଥିଲା। ରାତି ୧୦ଟା ୩୦ ମିନିଟ ସମୟରେ ବର୍ଷା ସହ ପ୍ରବଳ ବେଗରେ ପବନ ବହିବା ଫଳରେ ବଡ଼ବହାଲ ଛକର ଉଭୟ ପାର୍ଶ୍ୱରେ ତିନୋଟି ଗଛ ଉପୁଡି ରାସ୍ତା ଉପରେ ପଡିଥିଲା। କୋଲବିରା ଦମକଲ ବାହିନୀ ଏବଂ ପୁଲିସର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ଜାତୀୟ ରାଜପଥକୁ ଯାତାୟତ ଉପଯୋଗୀ କରାଯାଇ ପାରିଥିଲା। ରାସ୍ତାରେ ଗଛ ପଡି ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ସହ ସହ ଟ୍ରକ ଅଟକି ରହିଥିଲା। ସନ୍ଧ୍ୟାରୁ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ରାତି ବଢିବା ସହିତ ଘଡ଼ ଘଡି ସହ ବିଜୁଳିର ବେଗ ମଧ୍ୟ ବଢିଥିଲା। ଏହା ସହିତ ରାତି ୧୦ ପରେ ଅଚାନକ ପ୍ରବଳ ବେଗରେ ପବନ ବହିଥିଲା ଏଥିରେ ଅନେକ ସ୍ଥାନରେ ଛୋଟ ବଡ଼ ଗଛଡାଳ ଭାଙ୍ଗିଥିବା ବେଳେ ତିନୋଟି ବିରାଟକାୟ ବୃକ୍ଷ ବଡ଼ବାହାଲ ଛକ ନିକଟରେ ଟଳି ପଡିବା ଯୋଗୁ ଜାତୀୟ ରାଜପଥ ୪୯ ଦୀର୍ଘ ୧୨ ଘଣ୍ଟା ଧରି ଅବରୋଧ ରହିଥିଲା।

Comments are closed.