ବାଇକକୁ ଧକ୍କା ଦେଲା ଟ୍ରକ, ୨ ମୃତ

ଦେବଗଡ଼ : କନ୍ଧଳ ଗ୍ରାମ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏକ ଟ୍ରକ୍ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବାଫଳରେ ଏହି ଦୁର୍ଘଟଣା ଘଟିଛି। ମୃତ ଦ୍ବୟ ହେଲେ କଣ୍ଢଳ ଗ୍ରାମର ରମାକାନ୍ତ ରାଉତ ଓ କନ୍ଦର୍ପ ସାହୁ ।

ମିଳିଥିବା ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ସମୟରେ କଣ୍ଢଳ ଗ୍ରାମର ରମାକାନ୍ତ  ଓ କନ୍ଦର୍ପ ଏକ ବାଇକ ଯୋଗେ ୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ ତାରିଣି ମନ୍ଦିର ଛକ ନିକଟରେ କୌଣସି ଏକ ଅଜଣା ଗାଡି ସେମାନଙ୍କୁ ପଛପଟୁ ଧକ୍କାଦେଇଥିଲା ଫଳରେ ବାଇକ ସହ ରାସ୍ତା ଉପରକୁ ଛିଟିକିପଡି ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ରମାକାନ୍ତଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ସେହିପରି କନ୍ଦର୍ପଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ତାଙ୍କୁ ବୁର୍ଲା ନେବା ପୂର୍ବରୁ ଜିଲା ମୂଖ୍ୟ ଚିକିତ୍ସାଳୟରେ ହିଁ କନ୍ଦର୍ପଙ୍କର ମୃତ୍ୟୁ ଘଟିଥିଲା। ଦେବଗଡ ଥାନା ପୁଲିସ ଏନେଇ ଏକ ମାମଲା ଋଜୁକରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଉଭୟଙ୍କର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

 

 

Comments are closed.