ସଡ଼କ ଦୁର୍ଘଟଣା: ୧୦ ବର୍ଷରେ ଗଲାଣି ୪୩ହଜାର ଜୀବନ

ଭୁବନେଶ୍ବର : ରାଜ୍ୟରେ ଦୁର୍ଘଟଣା ହାର କ୍ରମାଗତ ଭାବେ ବଢ଼ିଚାଲିଥିବାବେଳେ ଏହା କିପରି ନିୟନ୍ତ୍ରଣକୁ ଆସିବ ସେଥିନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମକୋର୍ଟ କମିଟି ଏହାର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ଓଡ଼ିଶାରେ ଦୁର୍ଘଟଣା ହାର ଜାତୀୟ ହାରଠାରୁ ଅଧିକ ରହିଛି। ସରକାରୀ ତଥ୍ୟ କହୁଛି ଗତ ୧୦ ବର୍ଷରେ ଓଡ଼ିଶାରେ ୪୩ହଜାର ଲୋକଙ୍କ ଜୀବନ ଗଲାଣି। ତେବେ ଦୁର୍ଘଟଣା ହାର କମାଇବା ଦିଗରେ ସୁପ୍ରିମକୋର୍ଟ କମିଟି ଯେଉଁସବୁ ସର୍ତ୍ତାବଳି ଓ ନିର୍ଦେଶନାମା ଜାରି କରିଥିଲେ ତାହା କିପରି କାର୍ଯ୍ୟକାରୀ ହୋଇଛି ସେଥିନେଇ ରିପୋର୍ଟ ମାଗିଥିବାବେଳେ ରାଜ୍ୟ ସରକାର ଏହା ଉପରେ ନିଜର ଅନୁପାଳନ ରିପୋର୍ଟ ଦାଖଲ କରିଛନ୍ତି ।

ରାଜ୍ୟ ସରକାର ଗତ ୧୭ ତାରିଖରେ କମିଟିର ସଚିବଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଯେ ଦୁର୍ଘଟଣା ହାର କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଛି। ୨୦୨୦ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୧୨,୨୩୨ ନିଶାସକ୍ତ ଚାଳକଙ୍କୁ ଠାବ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୬୭୭ଜଣଙ୍କୁ ଗିରଫ କରାଯାଇଛି। ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ୧,୫୯,୧୭୪ ଚାଲାଣ କଟାଯାଇଛି। ଦୁର୍ଘଟଣାରେ ଆହତ ୧୧ହଜାର ବ୍ୟକ୍ତିଙ୍କ ଚିକିତ୍ସା କରାଯାଇଥିବାବେଳେ ସେମାନଙ୍କ ଭିତରୁ ୯୯ପ୍ରତିଶତଙ୍କ ଜୀବନ ରକ୍ଷା ହୋଇପାରିଛି। ଚିକିତ୍ସା ବାବଦରେ ଘରୋଇ ହସ୍ପିଟାଲକୁ ୬କୋଟି ଟଙ୍କା ପ୍ରଦାନ କରାଯାଇଛି।

ରାଜ୍ୟ ସରକାର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ୨୦୨୦ ଜାନୁଆରୀରୁ ଜୁନ ଭିତରେ ରାଜ୍ୟରେ ଦୁର୍ଘଟଣା ହାର ପୂର୍ବ ବର୍ଷ ତୁଳନାରେ ୨୪ପ୍ରତିଶତ କମିଥିବାବେଳେ ମୃତ୍ୟୁ ହାର ୩୨.୮ପ୍ରତିଶତ କମିଛି। ରାଜ୍ୟରେ ମୋଟ ୪୩୫ଟି ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ବ୍ଲାକ ସ୍ପଷ୍ଟ ଚିହ୍ନଟ ହୋଇଥିବାବେଳେ ସେସବୁ ସ୍ଥାନରେ ଦୀର୍ଘମିଆଦି ପ୍ରତିକାର ପନ୍ଥା ଗ୍ରହଣ ପାଇଁ ସୁପ୍ରିମକୋର୍ଟ କମିଟି ଯେଉଁ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର ଏହାର ଅନୁପାଳନ ପାଇଁ ପଦକ୍ଷେପ ନେଉଛନ୍ତି। ଇତିମଧ୍ୟରେ ଜାତୀୟ ରାଜପଥରେ ଥିବା ୨୨୩ଟି ବ୍ଲାକ ସ୍ପଟ ଭିତରୁ ୪୪ଟି ସ୍ଥାନରେ ଦୁର୍ଘଟଣା ରୋକିବା ପାଇଁ ଦୀର୍ଘମିଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ୨୦ଟି ସ୍ଥାନରେ ଏଭଳି ପଦକ୍ଷେପର ଆବଶ୍ୟକତା ନଥିବାବେଳେ ଅବଶିଷ୍ଟ ସ୍ଥାନଗୁଡ଼ିକରେ ୨୦୨୨ ସୁଦ୍ଧା ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କୁହାଯାଇଛି। ରାଜ୍ୟର ପ୍ରାୟ ୧୯୩ଟି ଦୁର୍ବଳ ତଥା ଦୁର୍ଘଟଣା ଦୃଷ୍ଟିରୁ ସ୍ପର୍ଶକାତର ଅଞ୍ଚଳରେ ସାଇନବୋର୍ଡ଼, ରମ୍ବଲର ବ୍ୟବସ୍ଥା କରାଯିବା ସହିତ ରାସ୍ତା ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଛି। ମଦ ପିଇ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଅଭିଯୋଗରେ ୨୦୧୮ରେ ୪୮.୯୫ପ୍ରତିଶତ ଚାଳକ ଏବଂ ୨୦୧୯ରେ ୨୭.୬୯ ପ୍ରତିଶତ ଚାଳକଙ୍କ ‌ଡ଼୍ରାଇଭିଂ ଲାଇସେନ୍ସ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୮ରେ ସଡ଼କ ଦୁର୍ଘଟଣାରେ ଦେଶରେ ୧.୪୮ଲକ୍ଷ ଲୋକଙ୍କ ‌ମୃତ୍ୟୁ ହୋଇଥିବାବେଳେ ୪.୬୦ଲକ୍ଷ ଆହତ ହୋଇଥିଲେ। ତେବେ ଜାତୀୟ ହାର ତୁଳନାରେ ଓଡ଼ିଶାରେ ଦୁର୍ଘଟଣା ହାର ଅଧିକ ରହିଛି। ୨୦୧୯ରେ ରାଜ୍ୟରେ ୧୧୦୬୪ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୫୩୩୩ ଲୋକ ପ୍ରାଣ ହରାଇଥିଲେ ଏବଂ ୧୧୧୭୭ ଲୋକ ଆହତ ହୋଇଥିଲେ। ଗତ ୧୦ ବର୍ଷ ଭିତରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୪୩ହଜାର ଲୋକଙ୍କ ‌ଜୀବନ ଗଲାଣି। ବିଡ଼ମ୍ବନାର ବିଷୟ ହେଉଛି ଦୁର୍ଘଟଣାରେ ପ୍ରାଣହାନି ଘଟିଥିବା ଲୋକଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଯୁବ ଶ୍ରେଣୀର ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ବେଶ କାର୍ଯ୍ୟକ୍ଷମ।

ରାଜ୍ୟରେ ଦୁର୍ଘଟଣା ହାର କମାଇବା କ୍ଷେତ୍ରରେ ରାଜ୍ୟ ସରକାର ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁ ନଥିବା ନେଇ କିଛି ଦିନ ତଳେ ସୁପ୍ରିମକୋର୍ଟ କମିଟି ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏ ଦିଗରେ ଜିଲାର ପ୍ରଶାସନିକ କର୍ତ୍ତୃପକ୍ଷ ତନଖି କରିବା ଏବଂ ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ କଡ଼ାକଡ଼ି କରିବାକୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ଗତ ଜାନୁଆରୀ ୨୯ରେ ରାଜ୍ୟ ସରକାରଙ୍କ ‌ପରିବହନ ବିଭାଗ ପକ୍ଷରୁ ସଡ଼କ ନିରାପତ୍ତା କମିଟି ବୈଠକ ଡ଼କାଯାଇଥିଲା। ବୈଠକରେ ଦୁର୍ଘଟଣା ହାର କମାଇବା ନିମନ୍ତେ ବିଭିନ୍ନ ଜିଲା ପ୍ରଶାସନକୁ ଧାର୍ଯ୍ୟଲକ୍ଷ୍ୟ ହାସଲ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦିଅଯାଇଥିଲା।

ଗତ ଦୁଇ ବର୍ଷର ଦୁର୍ଘଟଣା ଜନିତ ମୃତାହତ ଏବଂ ଜନସଂଖ୍ୟା ତୁଳନାରେ ଯାନବାହନ ଚଳାଚଳ ଆଦି ପରିସଂଖ୍ୟାନକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଉପରେ ଦୁର୍ଘଟଣା ହାର ହ୍ରାସ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ତଦନୁସାରେ ଜିଲାସ୍ତରୀୟ କମିଟି ଜରିଆରେ ଦୁର୍ଘଟଣା ସଂଖ୍ୟା କମାଇବା ନିମନ୍ତେ ଜିଲାସ୍ତରୀୟ କମିଟିକୁ ଦାୟିତ୍ବ ଦିଆଯିବା ସହିତ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରାଜ୍ୟ ସରକାର ସୁପ୍ରିମ​‌‌କୋର୍ଟ କମିଟି ଆଗରେ ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ସଡ଼କ ଦୁର୍ଘଟଣାରେ ୨୦୧୮ରେ ୫୩୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୫୩୩୩କୁ ବଢ଼ିଥିଲା। ରାଜ୍ୟର ୩୦ଟି ଜିଲା ମଧ୍ୟରୁ ଅନୁଗୋଳ, ଗଜପତି, ନୟାଗଡ଼ରେ ଦୁର୍ଘଟଣାଜନିତ ମୃତାହତ ସଂଖ୍ୟା ୧୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଥିବାବେଳେ ଅନ୍ୟାନ୍ୟ ଜିଲାଗୁଡ଼ିକରେ ୧୦ରୁ ୧୫ ପ୍ରତିଶତ କମାଇବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

Comments are closed.