ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ କୁର୍ସୁଡର ଟିଟିଲାଗଡ ସି​‌ନ୍ଧେକେଲା ରାସ୍ତାର ଦେଉଳି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଏକ ଅଟୋ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଏହି ଦୁର୍ଘଟଣା ଗଟିଛି। ମୃତକ ଜଣଙ୍କ କୁରସୁଡ ଗ୍ରାମର ପରମାନନ୍ଦ ବେହେରା(୪୫) ଏବଂ ସେ ଜଣେ ଦୃଷ୍ଟିହୀନ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଅଏଁଲାଭଟା ଗ୍ରାମର ବାଇକ ଆରୋହୀ ପବନ ମୁଗ୍ରୀ(୩୦) ଗୁରୁତର ହୋଇଛନ୍ତି। ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରେ ପରମାନନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ବାଇକ ଚାଳକ ପବନଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ରେଫର କରାଯାଇଥିବା ଜଣାପଡ଼ିଛି। ଅଟୋରେ ପରମାନନ୍ଦଙ୍କ ସହ ବସିଥିବା ତାଙ୍କ ପତ୍ନୀ ଏବଂ ଦୁଇ ଛୁଆ ଏବଂ ବାଇକ୍ ଚାଳକ ପବନଙ୍କ ସହ ବସିଥିବା ତାଙ୍କ ପତ୍ନୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସି​‌ନ୍ଧେକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଅଟୋ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ସି​‌ନ୍ଧେକେଲା ଥାନାରେ ଏକ କେସ୍ ରୁଜୁ କରାଯାଇ ଏହାର ତଦନ୍ତ ଜାରି ରହିଛି। ଅପରପକ୍ଷରେ ମୃତ ଦୃଷ୍ଟିହୀନ ପରମାନନ୍ଦଙ୍କ ପରିବାରଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ସମାଜସେବୀଙ୍କ ପକ୍ଷରୁ ଟିଟିଲାଗଡ ଉପଜିଲାପାଳଙ୍କ ଠାରେ ଲିଖିତ ନିବେଦନ କରାଯାଇଛି। ମୃତକଙ୍କ ପରିବାରଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଶା ସଂଗଠନର ସଂଯୋଜକ ସଞ୍ଜିବ ପଟ୍ଟନାୟକ ଦାବି କରିଛନ୍ତି।

Comments are closed.